• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଢେଙ୍କାନାଳ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ । ସାତ ମହଲା ବିଶିଷ୍ଟ ଅଟ୍ଟାଳିକା, ବାହାରୁ ଦେଖିବାକୁ ପୁରା ଚକ୍‌ ଚକ୍‌ । ହେଲେ ହସ୍ପିଟାଲ ଭିତରେ କିନ୍ତୁ ସବୁକିଛି ଓଲଟପାଲଟ । ହସ୍ପିଟାଲର ENT ବା କର୍ଣ୍ଣ ନାସା ଗଳା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି । କିନ୍ତୁ ଏଠି ଦାୟିତ୍ୱରେ ଥିବା ଡାକ୍ତର ଗତ ୧୩ ତାରିଖରୁ ଛୁଟିରେ ଅଛନ୍ତି । ଯେଉଁଥିପାଇଁ ଏହି ବିଭାଗରେ ଝୁଲୁଛି ତାଲା । ଏଇଠି ଅନ୍ୟ କୌଣସି ଡାକ୍ତରଙ୍କୁ ଦାୟିତ୍ୱ ଦେବା ବଦଳରେ ହସ୍ପିଟାଲ ପକ୍ଷରୁ ଲଗାଇ ଦିଆଯାଇଛି ନୋଟିସ । ଯେଉଁଥିରେ ସ୍ପଷ୍ଟ ଭାବେ ଲେଖି ଦିଆଯାଇଛି ENT ବିଭାଗର ଡାକ୍ତର ଛୁଟିରେ ଥିବାରୁ ୧୩ ସେପ୍ଟେମ୍ବର ଠାରୁ ୬ ନଭେମ୍ବର ପର୍ଯ୍ୟନ୍ତ ଏହି ବିଭାଗ ବନ୍ଦ ରହିବ । 

ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଦୁଇମାସ ପର୍ଯ୍ୟନ୍ତ ଏହି ବିଭାଗ ବନ୍ଦ ରହିବ ତେବେ କର୍ଣ୍ଣ ନାସା ଗଳାରେ ପୀଡିତ ହୋଇ ଏଠାକୁ ଆସୁଥିବା ରୋଗୀ କରିବେ କଣ ? ନା ଦୂର ଦୂରାନ୍ତରୁ ଆସୁଥିବା ସାଧାରଣ ରୋଗୀଟିଏ ସରକାରୀ ମେଡିକାଲରେ ଚିକିତ୍ସା ନପାଇ ଘରୋଇ ମେଡିକାଲରେ ବ୍ୟୟବହୁଳ ଚିକିତ୍ସା ପାଇଁ ସର୍ବସ୍ୱାନ୍ତ ହେବେ ?

ଜିଲ୍ଲାର ଏହି ଚାକଚକ୍ୟ ମୁଖ୍ୟ ଚିକିତ୍ସାଳୟକୁ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ରୋଗୀ ଆସନ୍ତି । ଆଶା ରଖିଥାନ୍ତି ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ।  କିନ୍ତୁ ଡାକ୍ତର ମରୁଡି ସମସ୍ୟା ପାଇଁ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହୋଇ କିଏ ବାହାର ଜିଲ୍ଲାକୁ ଯାଆନ୍ତି ନଚେତ୍‌ ଆଉ କେହି ଜିଲ୍ଲାର ଘରୋଇ ମେଡିକାଲରେ ଚିକିତ୍ସିତ ହୁଅନ୍ତି ।

କେବଳ ସେତିକି ନୁହେଁ କେତେବେଳେ ଉପର ମହଲାରୁ ଡେଇଁ ରୋଗୀ ଆତ୍ମହତ୍ୟା ସମସ୍ୟା ହେଉ ଅବା ଡାକ୍ତର ଅବହେଳା ପାଇଁ ରୋଗୀ ମୃତ୍ୟୁ ସମସ୍ୟା । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗକୁ ନେଇ ବିବାଦରେ ଛନ୍ଦି ହୋଇ ରହେ ଏହି ସାତ ତାଲା ବିଶିଷ୍ଟ ସୁଉଚ୍ଚ ହସ୍ପିଟାଲ । ଏଥର କିନ୍ତୁ ଡାକ୍ତର ନାହାଁନ୍ତି କହି ହାତ ଟେକି ଦେଇଛନ୍ତି ହସ୍ସିଟାଲ କର୍ତ୍ତୃପକ୍ଷ ।

ଗୋଟିଏ ପଟେ ସ୍ୱାସ୍ଥ୍ୟ ସେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି କହୁଛନ୍ତି ରାଜ୍ୟ ସରକାର । ହେଲେ ପ୍ରକୃତରେ ଏଇଠି ଖୋଦ୍‌ ସ୍ୱାସ୍ଥ୍ୟ ସେବାର ସ୍ୱାସ୍ଥ୍ୟ ବିଗିଡିଯାଇଥିବା ପରି ମନେ ହେଉଛି ।

 

(ରିପୋର୍ଟ- ରାଜଶ୍ରୀ ଶତପଥୀ, ଢେଙ୍କାନାଳ)