Advertisment

ଯାତ୍ରା ପେଣ୍ଡାଲରେ ଅଶ୍ଳୀଳତାକୁ ନେଇ କଳାକାର-ଆୟୋଜକ ମୁହାଁମୁହିଁ

ନୃତ୍ୟ ଆଳରେ ଅଙ୍ଗ ପ୍ରଦର୍ଶନକୁ ନେଇ ଏବେ ପୁଣି ମୁଣ୍ଡ ଟେକିଛି ନୂଆ ବିବାଦ।

author-image
Chandan Shishu
ଅଦ୍ୟତନ ହୋଇଛି
Jatra

Jatra

ଅପେରା ମଞ୍ଚରେ ପୁଣି ରାଣୀ ଚର୍ଚ୍ଚା। ରାଣୀ ପଣ୍ଡା ନୁହଁନ୍ତି, ବରଂ ଚର୍ଚ୍ଚାରେ ରାଣୀ ପ୍ରିୟଦର୍ଶିନୀ। ଏ ହେଉଛନ୍ତି ସେହି ରାଣୀ, ଯାହାଙ୍କ ନୃତ୍ୟ ପ୍ରଦର୍ଶନକୁ ନେଇ ହୁଲସ୍ତୁଲ୍। ମଞ୍ଚରେ ହୋଇଥିଲା ତମ୍ବିତୋଫାନ୍। ଅଙ୍ଗ ପ୍ରଦର୍ଶନର ସୀମା ଏତେ ଟପିଯାଇଥିଲା ଯେ, ନିଜ କ୍ରୋଧକୁ ସମ୍ଭାଳି ପାରିନଥିଲେ ପେଣ୍ଡାଲ ନିକଟରେ ବସିଥିବା ମହିଳା ଦର୍ଶକ ମନ୍ଦାକିନି ପଣ୍ଡା। ସିଧା ଛିଡ଼ା ହୋଇ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀଙ୍କ ଉପରକୁ ଏଭଳି ଫୋପାଡ଼ିଥିଲେ ନିଜ ପିନ୍ଧା ଚପଲ୍। 

Advertisment

ଅକ୍ଟୋବର ୨୭। ସ୍ଥାନ ଭଦ୍ରକ ଜିଲ୍ଲା ଚରମ୍ପା। ପରିବେଷଣ କରିଥିଲେ ଆଇଟମ୍ ନୃତ୍ୟ। ଅଙ୍ଗଭଙ୍ଗୀ ଦେଖି କିଛି ଦର୍ଶକ ତାଳିମାଡ଼ କରି କୁରୁଳି ଉଠୁଥିଲେ ତ ଆଉ କିଏ ତାଳ ଦେଇ ନାଚି ଉଠୁଥିଲେ। ତାହାରି ଭିତରେ କିନ୍ତୁ କୁହୁଳି ଉଠୁଥିଲେ ପେଣ୍ଡାଲ ନିକଟରେ ବସିଥିବା ମହିଳା ଦର୍ଶକ ମନ୍ଦାକିନୀ ପଣ୍ଡା। ଅଙ୍ଗ ପ୍ରଦର୍ଶନର ସୀମା ଏତେ ଲଙ୍ଘିଯାଇଥିଲା ଯେ, ଶେଷରେ ନିଜ ପିନ୍ଧା ଚପଲ ଖୋଲି ସିଧା ମଞ୍ଚ ଉପରକୁ ଫୋପାଡ଼ିଥିଲେ ମନ୍ଦାକିନୀ। କଥା ଏତିକିରେ ସରିନଥିଲା। ମଞ୍ଚ ଉପରକୁ ଯାଇ ପ୍ରତିବାଦ ବି କରିଥିଲେ। ଜଣେ ମହିଳା କାର୍ଯ୍ୟକ୍ରମକୁ ବନ୍ଦ କରିଦେଇଥିଲେ। ତେବେ ଆୟୋଜନ କମିଟି ସଦସ୍ୟ ତାଙ୍କୁ ଦୀର୍ଘ ସମୟ ଧରି ବୁଝାସୁଝା କରିବା ପରେ ଶେଷରେ ଶାନ୍ତ ପଡ଼ିଥିଲା ସ୍ଥିତି। ହେଲେ ଅଶ୍ଳୀଳ ନୃତ୍ୟକୁ ବିରୋଧ କରିବାକୁ ଯାଇଥିବା ମନ୍ଦାକିନୀ ଏବଂ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶନୀ ଏବେ ମୁହାଁମୁହିଁ।

ନୃତ୍ୟ ଆଳରେ ଅଙ୍ଗ ପ୍ରଦର୍ଶନକୁ ନେଇ ଏବେ ପୁଣି ମୁଣ୍ଡ ଟେକିଛି ନୂଆ ବିବାଦ। ଛିଡ଼ା ହୋଇଛି ବିତର୍କର ନୂଆ ତାଣ୍ଡବ। ମୁହାଁମୁହିଁ କଳାକାର ସଂଘ,  ଆୟୋଜକ। ରାଜ୍ୟ କଳାକାର ମହାସଂଘ ସମ୍ପାଦକ ତଥା ଅଭିନେତା ବାପି ପଣ୍ଡା, ଯାତ୍ରା ପେଣ୍ଡାଲରେ ଖୁଲମଖୁଲ୍ଲା ଅଙ୍ଗ ପ୍ରଦର୍ଶନ ପାଇଁ ଆୟୋଜକଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ଖୋଲାମଞ୍ଚରେ ନଗ୍ନତା ଅନୁଚିତ। କୋର କମିଟି ଏହାର ସତ୍ୟାସତ୍ୟ ଅନୁଧ୍ୟାନ କରିବ ଓ ସତ ପ୍ରମାଣିତ ହେଲେ ସଂପୃକ୍ତ ଅଭିନେତ୍ରୀଙ୍କୁ ଚେତାବନୀ ଦିଆଯିବ। ସେପଟେ ରାଜନନ୍ଦିନୀ ଅପେରାର ମ୍ୟାନେଜର କହିଛନ୍ତି, କେବେ ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯାଇନି କି ଦିଆଯିବନି।

Advertisment

ପରୋକ୍ଷରେ ହେଉ କିମ୍ବା ପ୍ରତ୍ୟକ୍ଷରେ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଆଇଟମ୍ ନୃତ୍ୟ ଆଳରେ ଅଙ୍ଗ ପ୍ରଦର୍ଶନ ଏବେ ପାଲଟିଛି ନୂଆ ଟ୍ରେଣ୍ଡ। ଦିନେ ଖଣ୍ଡଗିରି ଯାତ୍ରାରେ ଜଣେ ଦର୍ଶକଙ୍କ କାନ କାମୁଡ଼ି ଚର୍ଚ୍ଚାକୁ ଆସିଥିଲେ ଯାତ୍ରା ଜଗତର ଆଇଟମ୍ କୁଇନ୍ ରାଣୀ ପଣ୍ଡା। ଆଉ ଏବେ ରାଣୀ ପ୍ରିୟଦର୍ଶିନୀଙ୍କ କଳା ପ୍ରଦର୍ଶନକୁ ନେଇ ହଟଚମଟ। ତେବେ ଯାତ୍ରା ପେଣ୍ଡାଲର ଖୋଲାମଞ୍ଚରେ ଏଭଳି ନୃତ୍ୟ ପ୍ରଦର୍ଶନ କେତେ ଉଚିତ ? ଆଇଟମ୍ ଡ୍ୟାନ୍ସ ଆଳରେ ହେଉଥିବା ଅଙ୍ଗ ପ୍ରଦର୍ଶନକୁ ରୋକିବ କିଏ ? ମନୋରଂଜନ ନାଁରେ ଶାଳୀନତା ଆଉ ସଂଯମତାକୁ ଭୁଲିଯାଉଛନ୍ତି କି ଯାତ୍ରା ମାଲିକ, ଆୟୋଜକ ଓ କଳାକାର ?  ଭଦ୍ରକ ଘଟଣା ପରେ ଏବେ ଅପେକ୍ଷା, କରୋନା ମାଡ଼ରୁ ଅଣ୍ଟା ସଳଖି ଛିଡ଼ା ହେଉଥିବା ଯାତ୍ରା ପାର୍ଟିର ମାଲିକମାନେ ଆଗାମୀ ଦିନରେ କେତେ ଶାଳୀନତା ଆପଣାଉଛନ୍ତି ମଞ୍ଚ ଉପରେ।

Jatra Party
Advertisment
Advertisment