/odishatv-khabar/media/post_attachments/uploadimage/library/16_9/16_9_0/s_1670144152.jpg)
Viral drone video of Puri Srimandir: YouTuber seeks apology
ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏନେଇ ସିଂହଦ୍ୱାର ଥାନାରେ ସମ୍ପୃକ୍ତ ୟୁଟ୍ୟୁବରଙ୍କ ବିରୋଧରେ ଏତଲା ଦିଆଯାଇଛି। ଭଏସ୍ ଅଫ କମନ୍ ମ୍ୟାନ୍ ସଂଗଠନ ଏହି ଏତଲା ଦେଇଛି। ସମ୍ପୃକ୍ତ ୟୁଟ୍ୟୁବରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଶ୍ରୀମନ୍ଦିରର ଉପଯୁକ୍ତ ସୁରକ୍ଷା ଦାବି କରାଯାଇଛି।
ସେପଟେ ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଉତ୍ତୋଳନ ଓ ଏହାକୁ ଭାଇରାଲ କରି କ୍ଷମା ମାଗିଛନ୍ତି ପଶ୍ଚିମବଙ୍ଗର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ। ପୋଲିସ ଠାରୁ ଅନୁମତି ନେଇ ଏଭଳି ଭିଡିଓ ଉତ୍ତୋଳନ କରିଥିବା ପୂର୍ବରୁ ସେ କହିଥିବା ବେଳେ, ଏବେ ସେ କହିଛନ୍ତି- ମୁଁ ମିଛରେ ଏଭଳି କହିଥିଲି। ଘଟଣାକୁ ନେଇ ସେ କ୍ଷମା ମାଗିଛନ୍ତି। ଏହାସହ ଏକ ଭଡିଓ ସୋସିଆଲ୍ ମିଡିଆରେ ଅପ୍ଲୋଡ୍ କରି ସେ ମହାପ୍ରଭୁ ଜଗନ୍ନାଥ, ଓଡ଼ିଶାବାସୀ ଓ ପୋଲିସ ପ୍ରଶାସନକୁ କ୍ଷମା ମାଗିଛନ୍ତି।
ଶ୍ରୀମନ୍ଦିର ନୋ ଫ୍ଲାଏ ଜୋନ୍ ଅନ୍ତର୍ଗତ ବୋଲି ଜାଣିନଥିବା କହିବା ସହ ତାଙ୍କ ଡ୍ରୋନ୍ରେ ସେଭଲି କିଛି ଓ୍ୱାର୍ଣ୍ଣିଂ ଦେଖାଇନଥିଲା ବୋଲି ସେ କହିଛନ୍ତି।। ତେଣୁ ଅଜାଣତରେ ଏଭଳି ଭୁଲ୍ ହୋଇଥିବା ଅନିମେଶ କହିଛନ୍ତି।ଏହି ଭିଡିଓ ୨ରୁ ୩ ମାସ ପୂର୍ବେ ସେ ଶୁଟିଂ କରିଥିଲେ। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସେ ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରୁ ଏହି ଭିଡିଓ ହଟାଇ ଦେଇଥିବା କହିଛନ୍ତି।
ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ଏଭଳି ଭିଡିଓ ଉତ୍ତୋଳନ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ୫ ମିନିଟ ୪୨ ସେକେଣ୍ଡର ଏହି ଭିଡିଓରେ ଆକାଶ ମାର୍ଗରୁ ଶ୍ରୀମନ୍ଦିର ପରିସରର ସମସ୍ତ କୋଣଅନୁକୋଣ ପ୍ରାଞ୍ଜଳ ଭାବେ ଦେଖାଯାଉଛି। ଏଠାରେ ପ୍ରଶ୍ନ ଉଠୁଛି, ଶ୍ରୀମନ୍ଦିର ଉପରେ ଡ୍ରୋନ୍ କ୍ୟାମେରା ସମେତ କୌଣସି ବି ଯନ୍ତ୍ର ଉଡ଼ାଇବା ନିଷେଦ୍ଧ। ତଥାପି ଏଭଳି ଭିଡିଓ ଉତ୍ତୋଳନ ହେଲା କେମିତି ? ଡ୍ରୋନ୍ ଉଡ଼ିବା ବେଳେ କ’ଣ କରୁଥିଲେ ଶ୍ରୀମନ୍ଦିର ପୋଲିସ ଓ ସୁରକ୍ଷାକର୍ମୀ ? ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଓ ଗର୍ଭଗୃହର ଫଟୋ ଭାଇରାଲ୍ ହେବା ଭଳି ଘଟଣା ସାମ୍ନାକୁ ଆସିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)