Advertisment

ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌: ଜଳ ଜଳ ଦିଶିଲା ଦଧିନଉତି, ନୀଳଚକ୍ର

ସୋସିଆଲ୍ ମିଡିଆରେ ଖୁଲ୍ଲମ୍‌ଖୁଲ୍ଲା ପ୍ରଦର୍ଶିତ ହେଉଛି ଶ୍ରୀମନ୍ଦିର ପରିସରର ଡ୍ରୋନ୍ ଭିଡିଓ। ୫ ମିନିଟ୍ ୪୨ ସେକେଣ୍ଟର ଏହି ଭିଡିଓରେ ନୀଳଚକ୍ର ଠାରୁ ଆରମ୍ଭ କରି ସିଂହଦ୍ୱାର ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ଦେଖିବାକୁ ମିଳିଛି।

author-image
Rajalaxmi Sahoo
Visuals of Puri Srimandir’s aerial view surfaces on internet

Visuals of Puri Srimandir’s aerial view surfaces on internet

ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟ ହୋଇଛି। ସୋସିଆଲ୍ ମିଡିଆରେ ଖୁଲ୍ଲମ୍‌ଖୁଲ୍ଲା ପ୍ରଦର୍ଶିତ ହେଉଛି ଶ୍ରୀମନ୍ଦିର ପରିସରର ଡ୍ରୋନ୍ ଭିଡିଓ। ୟୁଟ୍ୟୁବରେ ଅନିମେଶ ଚକ୍ରବର୍ତ୍ତୀ ନାମକ ପଶ୍ଚିମବଙ୍ଗର ଜଣେ ଯୁବକ ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ପୋଷ୍ଟ କରିଛନ୍ତି। ୫ ମିନିଟ୍ ୪୨ ସେକେଣ୍ଟର ଏହି ଭିଡିଓରେ ନୀଳଚକ୍ର ଠାରୁ ଆରମ୍ଭ କରି ସିଂହଦ୍ୱାର ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଫୁଟେଜ୍‌ର କିଛି ଫଟୋକୁ ଜଣେ ବ୍ୟକ୍ତି ସୋସିଆଲ୍ ମିଡିଆରେ ଛାଡ଼ି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି।

Advertisment

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏହି ଭିଡିଓରେ ରହିଛି ଶ୍ରୀମନ୍ଦିରର ଅଧିକାଂଶ ବିହଙ୍ଗମ ଦୃଶ୍ୟ। ଶ୍ରୀମନ୍ଦିର ଉପର ଦେଇ ଡ୍ରୋନ୍ ଉଡ଼ାଇ, ଅନିମେଶ ଏହାକୁ ଉତ୍ତୋଳନ କରିଥିବା ସ୍ପଷ୍ଟ ଜଣାପଡ଼ୁଛି। ଶ୍ରୀମନ୍ଦିର ନୀଳଚକ୍ରରେ ପତିତପାବନ ବାନା ବଦଳାଇବା ବେଳର ଦୃଶ୍ୟ ସହ ସିଂହଦ୍ୱାର, ନାଟମଣ୍ଡପ, ଜଗମୋହନ, ଏପରିକି ମେଘନାଦ ପାଚେରୀ ଭିତରର ସମସ୍ତ ମନ୍ଦିର ଓ ଐତିହ୍ୟ, ଅତି ସ୍ପଷ୍ଟ ଭାବେ ଏହି ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। 

ନୋ ଫ୍ଲାଇଙ୍ଗ୍ ଜୋନ୍ ହୋଇଥିବାରୁ ଶ୍ରୀମନ୍ଦିର ଉପରେ ଡ୍ରୋନ୍ କ୍ୟାମେରା ସମେତ କୌଣସି ବି ଯନ୍ତ୍ର ଉଡ଼ାଇବା ନିଷେଦ୍ଧ। ତଥାପି ଏଭଳି ଭିଡିଓ ଉତ୍ତୋଳନ ହେଲା କେମିତି ? ଏଥିପାଇଁ କିଏ ଦେଲା ଅନୁମତି ? ଡ୍ରୋନ୍ ଉଡ଼ିବା ବେଳେ କଣ କରୁଥିଲେ ଶ୍ରୀମନ୍ଦିର ପୋଲିସ ଓ ସୁରକ୍ଷାକର୍ମୀ ? କୃଷ୍ଣଚନ୍ଦ୍ର ପା଼ଢ଼ୀ ନାମକ ଜଣେ ବ୍ୟକ୍ତି ସୋସିଆଲ୍ ମିଡିଆରେ ଏହି ଡ୍ରୋନ୍ ଭିଡିଓର କିଛି ଫଟୋ ଛା଼ଡ଼ି ଏହା ଶ୍ରୀମନ୍ଦିର ପାଇଁ କେଉଁ ପ୍ରକାରର ସୁରକ୍ଷା ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷେ, ଅନିମେଶ ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏଥିପାଇଁ ସେ ପୋଲିସଠୁ ମୌଖିକ ଅନୁମତି ନେଇଥିଲେ। ତେବେ ବିବାଦ ତେଜିବା ପରେ ଅନିମେଶ ସମ୍ପୃକ୍ତ ଭିଡିଓକୁ ୟୁଟ୍ୟୁବ୍‌ ଚାନେଲ୍‌ରୁ ହଟାଇଦେଇଥିବା ଦେଖିବାକୁ ମିଳିଛି।

Advertisment

ଇଏ ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଓ ଗର୍ଭଗୃହର ଫଟୋ ଭାଇରାଲ୍ ହେବା ଭଳି ଘଟଣା ସାମ୍ନାକୁ ଆସିଛି। ଶ୍ରୀମନ୍ଦିର ନିକଟରେ ଉପସ୍ଥିତ ଥିବା ପୋଲିସ ଷ୍ଟାଫ୍‌ଙ୍କୁ ଅନିମେଶ ଡ୍ରୋନ୍ ଉଡ଼ାଇବା କଥା ପଚାରିବାରୁ, ସେମାନେ କହିଥିଲେ ଯେ ଦୂରରୁ ଉଡ଼ାଇ ପାରିବ। ବେଶି ପାଖକୁ ଯିବନି। ଓଡ଼ିଶା ପର୍ଯ୍ୟଟନ ବିଭାଗର ଏକ ପ୍ରୋଜେକ୍ଟ କରିବା ପାଇଁ ପୁରୀ ଆସିଥିଲେ ବୋଲି ଅନିମେଶ କହିଛନ୍ତି। ଏଥିସହ ସଫେଇ ଦେଇ ସେ କହିଛନ୍ତି ଯେ, ମନ୍ଦିର ଉପରେ ନୁହେଁ, ଦୂରରୁ ଡ୍ରୋନ୍ ଉଡ଼ାଇ ଜୁମ୍ ଲେନ୍ସରେ ସୁଟିଂ କରିଥିଲି। 

ମାତ୍ର ୨ ସପ୍ତାହ ପୂର୍ବେ ୟୁଟ୍ୟୁବ୍‌ରେ ଏହି ଭିଡିଓ ଅପ୍‌ଲୋଡ୍‌ ହୋଇ ଥିବାବେଳେ ତାଙ୍କ ପାଖରେ ଶ୍ରୀମନ୍ଦିରର ରାତ୍ରିକାଳୀନ ଦୃଶ୍ୟ ମଧ୍ୟ ଥିବା ସମ୍ପୃକ୍ତ ଭିଡିଓରେ ଅନିମେଶ ଦାବି କରିଛନ୍ତି। 

(ରିପୋର୍ଟ- ପ୍ରଦୀପ ମହାନ୍ତି ଓ ମଧୁସୂଦନ ମିଶ୍ର, ପୁରୀ)

Puri Srimandir Lord Jagannath Temple
Advertisment
Advertisment