/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688310407.jpg)
Villagers mourn as elderly couple from Khordha commit suicide after unable to repay loan
ଘରୋଇ ଫାଇନାନ୍ସ ସଂସ୍ଥାରୁ ଋଣ ନେଇ ଦଂପତିଙ୍କ ଆତ୍ମହତ୍ୟା । ଘଟଣା ନଜରକୁ ଆସିଛି କଣାସ ବ୍ଲକ ଅଁଳାଯୋଡ଼ି ଗାଁରୁ । କିସ୍ତି ଶୁଝିବାରେ ବିଳମ୍ବ ହେତୁ, ଫାଇନାନ୍ସ ସଂସ୍ଥା କର୍ମଚାରୀଙ୍କ ଜୁଲମ୍ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ମୃତକଙ୍କ ପରିବାର ଓ ଗାଁ ଲୋକେ ଅଭିଯୋଗ କରିଥିବାବେଳେ ସ୍ଥାନୀୟ ବିଡିଓ କହିଛନ୍ତି ଘଟଣାର ତଦନ୍ତ କରି ଜିଲ୍ଲା ପ୍ରଶାସନକୁ ଜଣାଇବୁ ।
ଅସହ୍ୟ ହେଲା ଘରୋଇ ଫାଇନାନ୍ସ କମ୍ପାନୀର ଜୁଲମ । ଋଣ ଭାର ସହି ନପାରି ଝୁଲି ପଡ଼ିଲେ ବୃଦ୍ଧ ଦମ୍ପତି । କଣାସ ଥାନା ଅଁଳାଯୋଡ଼ି ଗାଁରେ ଏ ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ମୃତ ପତି-ପତ୍ନୀ ହେଲେ ବାନାମ୍ବର ବେହେରା ଓ ବନିତା ବେହେରା । ଆଜି ଭୋର ସମୟରେ ଉଭୟ ଘର ଭିତରେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ-ଶନିବାର ରାତିରେ ଏକ ଘରୋଇ ଫାଇନାନ୍ସ କମ୍ପାନୀର କର୍ମଚାରୀ ଋଣ ଟଙ୍କା ଆଦାୟ କରିବାକୁ ବାନାମ୍ବରଙ୍କ ଘରକୁ ଆସିଥିଲେ ।
ବିଳମ୍ବିତ ରାତି ଯାଏଁ ସେମାନେ ଟଙ୍କା ପୈଠ କରିବାକୁ ଜୁଲମ କରିଥିଲେ। ଯେଉଁଥିରେ ଅତିଷ୍ଠ ହୋଇ ଶେଷରେ ଦମ୍ପତି ଆତ୍ମହତ୍ୟାର ପଥ ବାଛିଥିବା କୁହାଯାଉଛି । ଖବର ପାଇ ଭୁବନେଶ୍ୱରରେ ରହୁଥିବା ମୃତ ବାନାମ୍ବରଙ୍କ ଦୁଇ ପୁଅ ଗାଁରେ ପହଞ୍ଚି ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ । ହେଲେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାର ତନାଘନା ଚଳାଇଛି ।
ସୂଚନା ଅନୁସାରେ ମୃତ ଦଂପତିଙ୍କ ଗାଁ ଅଁଳାଯୋଡ଼ିର ଅନେକ ପରିବାର ବିଭିନ୍ନ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାଙ୍କଠାରୁ ଋଣ ଆଣିଛନ୍ତି । ପ୍ରତି ସପ୍ତାହରେ ଏଥିପାଇଁ କିସ୍ତି ଶୁଝିବାକୁ ପଡ଼ିଥାଏ । ଏଥିରେ ବ୍ୟତିକ୍ରମ ଘଟିଲେ ଫାଇନାନ୍ସ ସଂସ୍ଥାର କର୍ମଚାରୀ ଋଣ ଗ୍ରହୀତାଙ୍କୁ ନାନା କୁତ୍ସାରଟନା କରିବାକୁ ବି ପଛାଇ ନଥାନ୍ତି । ଯାହାର ଏହା ପରିଣାମ ହୋଇଥାଇପାରେ ବୋଲି ଗ୍ରାମବାସୀ କହିଥିବାବେଳେ କେଉଁ ସଂସ୍ଥାରୁ ଋଣ ନେଇ ଲୋକେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାର ତଦନ୍ତ କରାଯାଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯିବ ବୋଲି କହିଛନ୍ତି କଣାସ ବିଡିଓ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)