Advertisment

ଏମିତି ଏକ ଗାଁ, ଯେଉଁଠି ଗ୍ରାମୀଣ ପରିବେଶରେ ମୁକ୍ତ ଜୀବନ ଜୀଉଁଛନ୍ତି ବିରଳ କୃଷ୍ଣସାର

ଚାରିଆଡ଼େ ସବୁଜିମା, ବଣ ପାହାଡ଼ ଘେରା ପରିବେଶ ଭିତରେ ଛନଛନିଆ ଗଛ ଲତା। ଆଉ ତାହାରି ଭିତରେ ଫୁର୍ତ୍ତି କରୁଛନ୍ତି ମୃଗ ଆଉ ହରିଣ ବିଲୁପ୍ତପ୍ରାୟ ବିରଳ କୃଷ୍ଣସାର ମୃଗ ବି ଅଛନ୍ତି। ଖେଳୁଛନ୍ତି, ବୁଲୁଛନ୍ତି ବେଫିକର ହୋଇ। ଏଠି ନା ହିଂସ୍ରଜନ୍ତୁୁଙ୍କ ଡର ଅଛି ନା ଶିକାରୀଙ୍କ ରହିଛି ଲୋଲୁପ ଦୃଷ୍ଟି।

author-image
Chandan Shishu
ଅଦ୍ୟତନ ହୋଇଛି
Blackbuck Protection In Ganjam

deers and blackbucks

ଏମିତି ଏକ ଗାଁର କାହାଣୀ, ଯେଉଁଠି ବିଲୁପ୍ତ ପ୍ରାୟ କୃଷ୍ଣସାର ମୃଗ ପାଉଛନ୍ତି ମଣିଷଙ୍କ ସ୍ନେହ ଆଉ ଶ୍ରଦ୍ଧା। ଗାଁ ଲୋକଙ୍କ ଲାଳନ ପାଳନରେ ବଢ଼ିଚାଲିଛନ୍ତି। ସକାଳରୁ ସଞ୍ଜ ଯାଏଁ ଗ୍ରାମୀଣ ପରିବେଶରେ ବିଚରଣ କରୁଛନ୍ତି ମୁକ୍ତଭାବେ। ବନ ବିଭାଗର ସହଯୋଗକ୍ରମେ ସେହି ପରିବେଶରେ ସୁସ୍ଥ ଜୀବନ ଜୀଇଁ ନିଜର ବଂଶବିସ୍ତାର ବି କରୁଛନ୍ତି। ବିରଳ କୃଷ୍ଣସାର ମୃଗଙ୍କ ଗାଁ କୁହାଯାଉଥିବା ଗଞ୍ଜାମ ଜିଲ୍ଲାର ଚିକିଲି ଏବଂ ଭେଟନଈରୁ ଏକ ସ୍ୱତନ୍ତ୍ର ରିପୋର୍ଟ।

Advertisment

ଚାରିଆଡ଼େ ସବୁଜିମା, ବଣ ପାହାଡ଼ ଘେରା ପରିବେଶ ଭିତରେ ଛନଛନିଆ ଗଛ ଲତା। ଆଉ ତାହାରି ଭିତରେ ଫୁର୍ତ୍ତି କରୁଛନ୍ତି ମୃଗ ଆଉ ହରିଣ ବିଲୁପ୍ତପ୍ରାୟ ବିରଳ କୃଷ୍ଣସାର ମୃଗ ବି ଅଛନ୍ତି। ଖେଳୁଛନ୍ତି, ବୁଲୁଛନ୍ତି ବେଫିକର ହୋଇ। ଏଠି ନା ହିଂସ୍ରଜନ୍ତୁୁଙ୍କ ଡର ଅଛି ନା ଶିକାରୀଙ୍କ ରହିଛି ଲୋଲୁପ ଦୃଷ୍ଟି। କାରଣ, ଏ ହେଉଛି ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳର ଚିକିଲି ଗାଁ। ଯେଉଁଠି ମଣିଷଙ୍କ ସ୍ନେହ, ଶ୍ରଦ୍ଧା ଆଉ ସୁରକ୍ଷାର ପରିଧି ଭିତରେ ବେଶ୍ ଆରାମରେ ଜୀବନ ଜୀଉଁଛନ୍ତି ଏମାନେ। ଖାଦ୍ୟର ଅଭାବ ନାହିଁ କି ପାନୀୟ ଜଳ ସଙ୍କଟ ବି ନାହିଁ। ସ୍ୱଇଚ୍ଛାରେ ଗାଁ ଲୋକଙ୍କ ଦ୍ୱାରା କରାଯାଇଥିବା ବିରି, ମୁଗ ଫସଲ ଖାଇ ବଢ଼ୁଛନ୍ତି ଏମାନେ। ଲୁଣ ଚଟାଣରେ ଲୁଣ ଖାଇ ବିଚରଣ କରୁଛନ୍ତି ବେଶ ଖୁସିମନରେ।

ଅଧିକ ପଢ଼ନ୍ତୁ: ଇଏ ଏମିତି ଏକ ଗାଁ, ଯେଉଁଠି ୪ ମାସ ହୁଏ ଲକ୍‌ଡାଉନ୍‌ !

ଚିକିଲି ଗାଁର ପିଢ଼ି ପରେ ପିଢ଼ି ସୁରକ୍ଷା ଦେଇ ଆସୁଛନ୍ତି ବିରଳ କୃଷ୍ଣସାର ମୃଗଙ୍କୁ। ପର୍ଯ୍ୟଟକଙ୍କ ଭିଡ଼ ବି ଜମୁଛି। ଜୈବ ବିବିଧତା ସହ ବିଲୁପ୍ତ ପ୍ରାୟ ବନ୍ୟପ୍ରାଣୀଙ୍କ ସୁରକ୍ଷା କ୍ଷେତ୍ରରେ ସ୍ଥାନୀୟ ବାସିନ୍ଦାଙ୍କ ଦାୟିତ୍ୱପଣିଆକୁ ଦେଖି ଗାଁର ଶେଷମୁଣ୍ଡରେ ୱାଚ ଟାୱାର ନିର୍ମାଣ କରିଛି ବନବିଭାଗ, ବନ କର୍ମଚାରୀଙ୍କୁ ବି ମୁତୟନ କରିଛି। ଆଉ ଏ ହେଉଛି ଆସିକା ବନାଞ୍ଚଳର ଭେଟନଈ। ବିରଳ କୃଷ୍ଣସାର ମୃଗଙ୍କ ମୁକ୍ତ ବିଚରଣ ଇଲାକା। ଦୃଶ୍ୟ ଦେଖିଲେ ଲାଗିବ, କୌଣସି ଏକ ଅଭୟ୍ୟାରଣ୍ୟ କିମ୍ବା ଜାତୀୟ ଉଦ୍ୟାନ। ଆହାର ଏବଂ ବିହାର ପାଇଁ ଉତ୍କୃଷ୍ଟସ୍ଥଳୀ ହୋଇଥିବାରୁ ସୁରକ୍ଷିତ ଭାବେ ଜୀବନ ଜୀଉଁଛନ୍ତି କୃଷ୍ଣସାର ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ସାଜିଛନ୍ତି ଅମୂଲ୍ୟ ସଂପଦ।

Advertisment

ସର୍ବଶେଷ ଗଣନା ଅନୁଯାୟୀ, ଦକ୍ଷିଣ ଘୁମୁସର ବନଖଣ୍ଡର ଆସିକା ବନାଞ୍ଚଳରେ ଚଳିତବର୍ଷ ବୃଦ୍ଧି ପାଇଥିବା ୨ ଶହରୁ ଅଧିକ କୃଷ୍ଣସାରଙ୍କୁ ମିଶାଇ ୧୯୭୯ରେ ପହଞ୍ଚିଛି ସଂଖ୍ୟା। ତେବେ ସଡ଼କ ପାରିବେଳେ ହରିଣ ଓ ମୃଗ ଦୁର୍ଘଟଣାର ଶୀକାର ହେଉଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ସ୍ପିଡ଼ ବ୍ରେକର ଓ ସଚେତନତା ହୋଡିଂ ଲଗାଯିବ ବୋଲି କହିଛି ବନବିଭାଗ। 

ଲୋକଙ୍କ ସ୍ନେହ, ଶ୍ରଦ୍ଧା ଆଉ ସୁରକ୍ଷାର ବଳୟ ଭିତରେ ଅବାଧ ବିଚରଣ କରୁଥିବା କୃଷ୍ଣସାର ମୃଗ ଓ ହରିଣଙ୍କ ପାଇଁ ସରକାରୀ ସ୍ତରରେ ଆହୁରି ଉଦ୍ୟମ କଲେ ଚିିକିଲି ଏବଂ ଭେଟନଈ ବନ୍ୟପ୍ରାଣୀ ପର୍ଯ୍ୟଟନ କ୍ଷେତ୍ରରେ ଆହୁରି ନାଁ କରନ୍ତା।

Blackbuck Deer
Advertisment
Advertisment