• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କିଏ ସାଇକେଲ ଧରି ନାଳ ପାର୍‌ ହେଉଛି ତ ଆଉ କିଏ ଲୁଗା ଟେକି ମୁଣ୍ଡରେ ବସ୍ତା ନେଇ ପାର ହେଉଛି ନାଳ । ପୁଣି ଆଉ କିଏ କିଏ ଘରର ଜିନିଷପତ୍ର ଧରି ଅତି ବିପଦପୂର୍ଣ୍ଣ ଭାବରେ ପାର୍‌ କରୁଛି ନାଳ । ସ୍ଥିତି ଏମିତି ଯେ ଟିକିଏ ଏପଟ ସେପଟେ ହେଲେ ଏଇ ନାଳରେ ଭାସି ଯାଇପାରେ ଜୀବନ । ହେଲେ ଉପାୟ ବି କିଛି ନାହିଁ । କାରଣ ଏଇ ନାଳ ପାର୍‌ ହେଲେ ବି ହିଁ କିଛି କାମ ହେବ ନହେଲେ ନାହିଁ ।

ମୟୂରଭଞ୍ଜ ଉଦଳା ବ୍ଲକ ପାଟସାଣୀପୁର ପଞ୍ଚାୟତର ତେନ୍ତଲା ଗାଁ । ଏଇ ଗାଁରେ ପାଖାପାଖି ୫୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି । କିନ୍ତୁ ଗାଁଟା ଯାକ ଲୋକଙ୍କର ଏବେ ମୁଣ୍ଡ ବିନ୍ଧାର କାରଣ ସାଜିଛି ନୂଆଣୀ ନାଳ । ଶୀତ ଓ ଖରାଦିନେ କଷ୍ଟେମଷ୍ଟେ ସିନା ଲୋକ ନାଳ ପାର୍‌ ହୋଇ ନିଜ କାମ କରିନେଉଛନ୍ତି । ହେଲେ ବର୍ଷା ଦିନରେ ସ୍ଥିତି ପୂରା ସଙ୍ଗୀନ । ନାଳରେ ପାଣି ବଢିଲେ ଏମାନଙ୍କର ଚିନ୍ତା ବଢେ । କେମିତି ପାର୍‌ ହେବେ ? କେମିତି କାମ ହେବ ସେଇ ଚିନ୍ତାରେ କଟେ ଦିନ ।

ନାଳରେ ଖଣ୍ଡିଏ ସେତୁ ଲାଗି ପ୍ରଶାସନକୁ ବାରମ୍ବାର ଗୁହାରି କରିଛନ୍ତି ସ୍ଥାନୀୟ ଲୋକ । ହେଲେ ଏମାନଙ୍କ ଗୁହାରି ଶୁଣିବା ପାଇଁ ପ୍ରଶାସନ ପାଖରେ ଯେମିତି ସମୟ ନାହିଁ । ବାରମ୍ବାର ଦାବି ପରେ ପ୍ରଶାସନ ଦାବି ଶୁଣୁନଥିବାରୁ ଏମିତି ଜୀବନକୁ ବିପଦରେ ପକାଇ ରାସ୍ତା ପାରି ହେଉଛନ୍ତି ଲୋକ । ଜାଣି ଆଶ୍ଚର୍ଯ୍ୟ ହେବେ କି, ପ୍ରତିବର୍ଷ ନିର୍ବାଚନ ଆସିଲେ ନେତାଏ ଭୋଟ ମାଗିବାକୁ ଆସନ୍ତି, ପ୍ରତିଶ୍ରୁତିର ପାହାଡ ବର୍ଷା କରନ୍ତି । ହେଲେ ସେତୁର କଥା ସେମିତି କଥାରେ ହିଁ ରହିଯାଏ । ଆଉ ଜଳବନ୍ଦୀ ଅବସ୍ଥାରେ ରହିଥାଆନ୍ତି ଲୋକେ ।

ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡିଏ ନଥିବାରୁ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ଗାଁ ଲୋକେ। ଏମିତିକି ଯଦି କାହାର ଦେହ ଖରାପ ହୁଏ ତେବେ ଗାଁକୁ ଆମ୍ବୁଲାନ୍ସ ବି ଆସିପାରେ ନାହିଁ । ଖରା ଓ ଶୀତ ଦିନରେ ସିନା ପିଲାଏ ସ୍କୁଲ ପଳାନ୍ତି ହେଲେ ବର୍ଷା ଦିନରେ ପିଲାଙ୍କ ପଢାରେ ବନ୍ଧା ହୁଏ ଡୋରି । ତେଣୁ ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାର ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ...ସେପଟେ ଲୋକଙ୍କର ଅଭିଯୋଗ ନେଇ ପ୍ରଶାସନର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନି ।

  • Reported by:
  • Manas Pani