• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପାଣି ଅଭାବରୁ ପଡ଼ିଆ ପଡୁଥିଲା ଶହ ଶହ ଏକର ଜମି । ବିଲକୁ ପାଣି ଯୋଗାଇଦେବାକୁ ପ୍ରଶାସନକୁ ବାରମ୍ବାର ଗୁହାରୀ କରିଥିଲେ । ହେଲେ କିଛି ବି ସୁଫଳ ମିଳିନାନି । ଶେଷରେ ଅଣ୍ଟା ଭିଡିଲେ ଗ୍ରାମବାସୀ । ନିଜେ କାମ କରିବେ ଆଉ ବିଲକୁ ପାଣି ପାଣି ସବୁଜିମା ଖେଳାଇବେ । ସେଇଆ ହିଁ ହେଲା, ସଫଳ ହେଲା ଉଦ୍ୟମ । ସରକାରଙ୍କ ସହାୟତା ବିନା ଦେଢ କିଲୋମିଟର କେନାଲ ଖୋଳି ବିଲରେ ପାଣି ପହଞ୍ଚାଇଲେ।

ଅଧିକ ପଢ଼ନ୍ତୁ: ଶୁଣିଲାନି ପ୍ରଶାସନ: ନିଜେ ଚାନ୍ଦା ଆଦାୟ କରି ପୋଲ ତିଆରି କଲେ ଗାଁ ଲୋକ

ଏକତା ହିଁ ବଳ । ଏହାର ଉଦାହରଣ ଦେଖିବା ରାୟଗଡ଼ା କାଶୀପୁର ଅଞ୍ଚଳରୁ । କାହାର ହାତରେ କୋଦାଳ ତ ଆଉ କାହାରି ହାତରେ ଶାବଳ । ଚାଲିଛି କେନାଲ ଖୋଳା କାମ । ପୁରୁଷ, ମହିଳା ସଭିଏଁ ଏହି କେନାଲ ଖୋଳା କାମରେ ଲାଗିଛନ୍ତି । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମାଇକଂଚ ପଞ୍ଚାୟତର କୁଟୁରୁଝିରି ଗାଁର ସମସ୍ତେ ଏକା ମନରେ କାର୍ଯ୍ୟରେ ଲାଗିଛନ୍ତି । କେନାଳ ଖୋଳି ନିକଟରେ ଥିବା ଜଳାଶୟର ପାଣିକୁ ଏହି ରାସ୍ତାରେ ନେଇଯିବେ ।

ହାତକୁ ଦୁଇ ହାତ ଲଗାଇ କରି ଶେଷରେ ବଢ଼ିଲା କାମ । ଆଉ ଏହି କେନାଲ ଦେଇ ପାଣି ମଧ୍ୟ ଆସି ବିଲରେ ମାଡ଼ିଲା । ବାରମ୍ବାର ପ୍ରଶାସନ ଓ ଜନପ୍ରତିନିଧିଙ୍କ ନିକଟରେ ଗୁହାରି କରି ବିଫଳ ହେବା ପରେ ନିଜେ କେନାଳ ଖୋଳିବାକୁ ନିଷ୍ପତ୍ତି ନେଇଥିଲେ ଲୋକେ ।

ଜମିରେ ପାଣି ପହଞ୍ଚିବା ପରେ ଗ୍ରାମବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହେବା ସହ ଚାଷ କାମ ସ୍ୱାଭାବିକ ହୋଇଛି । ବର୍ତ୍ତମାନ ଜମିରେ ପନିପରିବା ସହ ଅନ୍ୟ ଫସଲ ଅମଳ କରୁଛନ୍ତି ଚାଷୀ । ପାଣି ଅଭାବରୁ ଯେଉଁ ଜମିରେ ଦୁବ କଅଁଳୁନଥିଲା ସେହି ଜମି ଏବେ ସବୁଜିମାରେ ଭରପୁର । ହେଲେ ଚାଷୀଙ୍କ ଲାଗି ସ୍ଥାୟୀ କେନାଲ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ପ୍ରଶାସନକୁ ଗୁହାରି କରିଛନ୍ତି । ଲୋକଙ୍କ ଅଭିଯୋଗ ନେଇ ବିଧିବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି କହିଛନ୍ତି କାଶୀପୁର ବିଡିଓ । ଏକତା ହିଁ ବଳ । ଦୃଢ଼ ଇଚ୍ଛାଶକ୍ତି ସଫଳତା ନିଶ୍ଚିତ । ଏହା କରି ଦେଖାଇଛନ୍ତି କୁଟୁରୁଝିରି ଗ୍ରାମବାସୀ ।

(ରିପୋର୍ଟ- ରାୟଗଡ଼ା କାଶୀପୁର ରାଜେଶ କୁମାର ପାତ୍ର)