• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏଣିକି ରାଜ୍ୟର ସମସ୍ତ ମୋ ସେବା କେନ୍ଦ୍ରରେ ମିଳିବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ବୁକିଂ କରିବାର ସୁବିଧା ମିଳିବ । ଫଳରେ ଗାଡି ମାଲିକମାନେ ନିଜ ନିଜର ଗାଡି ପାଇଁ ନିକଟସ୍ଥ ମୋ ସେବା କେନ୍ଦ୍ରକୁ ଯାଇ ବୁକିଂ କରିପାରିବେ । ରାଜ୍ୟ ପରିବହନ କର୍ତ୍ତୃପକ୍ଷ-STA ଏନେଇ ପ୍ରେସ ରିଲିଜ ଜାରି କରିଛନ୍ତି ।

ଆଜି ପର୍ଯ୍ୟନ୍ତ କେବଳ ଅନଲାଇନ୍ ପୋର୍ଟାଲ ସିଆମ୍ ଡଟ୍ ଇନରେ ବୁକିଂ କରିହେଉଥିଲା । ଫଳରେ ଗ୍ରାମାଞ୍ଚଳ ଲୋକେ ଇଣ୍ଟରନେଟ୍ ସୁବିଧା ନଥିବାରୁ ଏବଂ ଅନଲାଇନ୍ ଅଭିଜ୍ଞତା ଅଭାବ ଯୋଗୁଁ ହଇରାଣ ହେଉଥିଲେ । ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ-STA, ଓକାକକୁ ଅନୁରୋଧ କରିବା ପରେ ଓକାକ୍ ପକ୍ଷରୁ ସମସ୍ତ ମୋ ସେବା କେନ୍ଦ୍ରରେ ବୁକିଂ କରିବା ପାଇଁ ବ୍ୟବସ୍ଥା ହୋଇଛି ।

ଅଧିକ ପଢ଼ନ୍ତୁ: ଗାଁ ଗହଳିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌କୁ ନେଇ ସରକାରଙ୍କ ନୂଆ ପଦକ୍ଷେପ

ନୂଆ ବ୍ୟବସ୍ଥା ଫଳରେ ଲୋକେ ସେଠାକୁ ଯାଇ ନିଜ ନିଜ ଗାଡିର ହାଇ ସିକ୍ୟୁରିଟି ନମ୍ବର ପାଇଁ ପଞ୍ଜୀକରଣ କରିପାରିବେ । ତା ସହ ରାଜ୍ୟର ସମସ୍ତ ଆଟିଓ ଅଫିସରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ହେଲ୍ପ ଡେସ୍କର ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ, ଯେଉଁମାନଙ୍କ ଗାଡ଼ିର ନମ୍ବରର ଶେଷ ଅଙ୍କ ୧,୨,୩ ଓ ୪ ଥିବ, ସେମାନଙ୍କ ପାଇଁ ହାଇସିକ୍ୟୁରିଟି ପ୍ଲେଟ୍ ଲଗାଇବାର ସମୟସୀମା ଅକ୍ଟୋବର ୩୧ ବୋଲି ଧାର୍ଯ୍ୟ କରାଯାଇଛି।  ସେହିପରି ଯେଉଁମାନଙ୍କ ଗାଡ଼ି ନମ୍ବରର ଶେଷ ଅଙ୍କ ୫ ଓ ୬ ରହିଛି, ସେମାନଙ୍କ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ସମୟସୀମା ୩୦ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଶେଷ ଅଙ୍କ ୭ ଓ ୮ ଥିବା ଗାଡ଼ିଗୁଡ଼ିକରେ ପ୍ଲେଟ୍ ଲଗାଇବା ପାଇଁ ଶେଷ ତାରିଖ ଡିସେମ୍ବର ୩୧ ରଖାଯାଇଛି । ଯେଉଁ ଗାଡ଼ି ଗୁଡ଼ିକର ନମ୍ବରର ଶେଷ ଅଙ୍କ ୯ ଓ ୦ ଥିବ, ସେଗୁଡ଼ିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ପାଇଁ ସମୟସୀମାକୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି ।