Advertisment

କଥା କହୁଛି ଆଖି...ଭାଷା ବୁଝୁଛି ମନ, ସାତ ଜନ୍ମର ସାଥୀ ହୋଇଛନ୍ତି ଫେସବୁକ ଲଭବାର୍ଡ

ଏଠି ଶବ୍ଦର ଆବଶ୍ୟକତା ନାହିଁ... କି ନାହିଁ ଭାଷାର ପ୍ରୟୋଜନ। ଠାରରେ ଠାରରେ... 'ନିଶବ୍ଦ' ଏ ପ୍ରେମ...। ଓଠ ନୁହେଁ, ଏଠି କଥା କହୁଛି ଆଖି... ଇସାରା ଇସାରାରେ ଚାଲିଛି ଭାବ ଦିଆନିଆ।

author-image
Santosh Kumar Sahoo
undefined

valentine's day

କଥାରେ ଅଛି- ପ୍ରେମ କାଳେ ଅଢ଼େଇ ଅକ୍ଷର। ହେଲେ ଏହି ଅଢ଼େଇ ଅକ୍ଷରକୁ ମନର ମଣିଷ ଆଗରେ ବଖାଣିବା ପାଇଁ କେତେବେଳେ ଶବ୍ଦକୋଷ ବି ନିଅଣ୍ଟ ପଡ଼େ, ତ ଆଉ କେତେବେଳେ ବିନା କୌଣସି ଶବ୍ଦରେ ବି ଯୋଡ଼ି ହୋଇଯାଏ ଦୁଇଟି ହୃଦୟ। ଏଇ ଯେମିତି ନୂଆପଡ଼ା ଖଡ଼ିଆଳ ଅଞ୍ଚଳର ନିଆରା ପ୍ରେମୀ ଯୁଗଳ, ଏବେ ନବଦଂପତି। ପରସ୍ପର ସହ ପଦୁଟିଏ କଥା ହୋଇ ପାରୁନଥିଲେ ବି, ପ୍ରେମର ବାଜିରେ ସେମାନେ ଚର୍ଚ୍ଚିତ ବିଜେତା।

Advertisment

ଏଠି ଶବ୍ଦର ଆବଶ୍ୟକତା ନାହିଁ... କି ନାହିଁ ଭାଷାର ପ୍ରୟୋଜନ। ଠାରରେ ଠାରରେ... 'ନିଶବ୍ଦ' ଏ ପ୍ରେମ...। ଓଠ ନୁହେଁ, ଏଠି କଥା କହୁଛି ଆଖି... ଇସାରା ଇସାରାରେ ଚାଲିଛି ଭାବ ଦିଆନିଆ। ମନର କଥାକୁ ମୁହଁରେ କହିନପାରିଲେ ବି, ସବୁ ଆପେ ଆପେ ବୁଝିଯାଉଛି ମନର ମଣିଷ ।... ହଁ... ପ୍ରାୟ ଦୁଇ ବର୍ଷ ତଳେ ଏକାଠି ବସା ବାନ୍ଧିଥିବା ଏ ଶୁଆ ଶାରୀ କଥା କହିପାରନ୍ତିନି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ବର ଗାଁର ବାମନ ଯୋଶୀ ଏବଂ ସୁନ୍ଦରଗଡ଼ ବଣାଇ ଜକେକେଲା ଗାଁର ପୁଷ୍ପାଞ୍ଜଳି ପ୍ରଧାନ। ଜନ୍ମରୁ ବାକ୍ ଶକ୍ତି ହରାଇଥିବା ଏହି ଦିବ୍ୟାଙ୍ଗ ଯୋଡ଼ିଙ୍କୁ ସାତ ଜନ୍ମର ସାଥି କରିବାକୁ, ସତେ ଯେମିତି ହାତ କାଟି ଲେଖିଦେଇଥିଲା ବିଧାତା। ଫେସବୁକରେ ଦେଖା, ୫ ବର୍ଷର ଅନଲାଇନ ବନ୍ଧୁତା, ଧୀରେ ଧୀରେ ପ୍ରେମ, ଆଉ ତା ପରେ ଉଭୟ ପରିବାରର ସ୍ୱୀକୃତି କ୍ରମେ ୨୦୨୨ ମାର୍ଚ୍ଚରେ ପଡ଼ିଥିଲା ହାତଗଣ୍ଠି। ସେବେଠୁ ହସଖୁସିରେ ଆଗେଇ ଚାଲିଛି ସେମାନଙ୍କ ସଂସାରର ଗାଡ଼ି। ଏହି ନିଆରା ପ୍ରେମପକ୍ଷୀଙ୍କୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ଓ ପ୍ରଶଂସା। ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା- ସତେ ଯେମିତି ଦୁହେଁ ଦୁହିଁଙ୍କ ପାଇଁ ଗଢ଼ା।

ବାମନ ଓ ପୁଷ୍ପାଞ୍ଜଳି ଦିବ୍ୟାଙ୍ଗ ହୋଇଥିଲେ ବି, ଶିକ୍ଷିତ। ବ୍ରେଲି ଭାଷାରେ ବାମନ ସପ୍ତମ ଯାଏଁ ଏବଂ ପୁଷ୍ପାଞ୍ଜଳି ଯୁକ୍ତ ଦୁଇ ପଢ଼ିଛନ୍ତି । ତେବେ ଦିବ୍ୟାଙ୍ଗ ଭତ୍ତା ଓ କିଛି ଚାଉଳ ପେଟ ପୋଷିବାକୁ ନିଅଣ୍ଟ ପଡ଼ୁଛି। ତେଣୁ ବାମନ ଛୋଟମୋଟ ବିଦ୍ୟୁତ ମରାମତି କାମ କରୁଥିବା ବେଳେ, ପୁଷ୍ପାଞ୍ଜଳି ଶିଖୁଛନ୍ତି ଟେଲରିଂ। ପ୍ରେମ ଯୁଦ୍ଧର ଏହି ଦୁଇ ବିଜେତା ଜୀବନ ଯୁଦ୍ଧରେ ବି ବିଜୟୀ ହେବାକୁ ପରସ୍ପରର ହାତ ଧରି ଚଳାଇଛନ୍ତି ସଂଘର୍ଷ। ତେବେ ସେମାନଙ୍କୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଖଡ଼ିଆଳ ବ୍ଲକ୍ ଅଧ୍ୟକ୍ଷା।

Advertisment

ପ୍ରେମ ପାଇଁ ନାଁ କୌଣସି ଭାଷା ଲୋଡ଼ା, ନା କୌଣସି ଶବ୍ଦ। ଏକଥାକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରିଛି ବାମନ ଓ ପୁଷ୍ପାଞ୍ଜଳିଙ୍କ ନିଆରା 'ନିଶବ୍ଦ' ପ୍ରେମ।

Valentine's Day
Advertisment
Advertisment