• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନାକ୍ ଗ୍ରେଡେସନରେ ତଳକୁ ଖସିଲା ଉତ୍କଳ ବିଶ୍ୱବିଦ୍ୟାଳୟ । ୨୦୧୬ରେ ଏ- ପ୍ଲସ ଗ୍ରେଡ ପାଇଥିବା ବେଳେ ୨୦୨୩ରେ ଏହା ଏ- ଗ୍ରେଡକୁ ଖସି ଆସିଛି । ତେବେ କାହିଁକି ତଳକୁ ଖସିଲା ରାଜ୍ୟର ସର୍ବବୃହତ ତଥା ସର୍ବ ପୂରାତନ ସରକାରୀ ବିଶ୍ୱବିଦ୍ୟାଳୟର ରାଙ୍କ ? ୟୁନିଭର୍ସିଟିରେ କ’ଣ ଅବହେଳା ଖୋଜି ପାଇଛନ୍ତି ନାକ୍ ଟିମ ? ଛାତ୍ରଛାତ୍ରୀ ଏହାକୁ ନେଇ ଚିନ୍ତାପ୍ରକଟ କରିଥିବାବେଳେ ପୂର୍ବତନ କୁଳପତି ସିଧା ଅଭିଯୋଗ ଆଣିଛନ୍ତି ରାଜ୍ୟ ସରକାରଙ୍କ ଉପରେ । ସେପଟେ ୧୫ ଦିନ ଭିତରେ ପୁନର୍ବିଚାର କରିବାକୁ ନାକ୍ ନିକଟରେ ଆବେଦନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ନାକ୍ ଗ୍ରେଡେସନରେ କଟିଲା ଉତ୍କଳ ବିଶ୍ୱବିଦ୍ୟାଳୟର ନାକ । ୨୦୧୬ରେ ଥିଲା A+ , ୨୦୨୩ରେ ମିଳିଲା A ଗ୍ରେଡ୍ । ଉପରକୁ ଉଠିବା ବଦଳରେ ତଳକୁ ଖସିଛି ଉତ୍କଳ ବିଶ୍ୱବିଦ୍ୟାଳୟ ମାନ୍ୟତା । ନାକ୍ ପକ୍ଷରୁ ହୋଇଥିବା ସର୍ଭେରେ ଉତ୍କଳକୁ ମିଳିଛି ୩.୧୬ ସ୍କୋର । ଫଳରେ ୟୁନିଭରସିଟି A+ରୁ A ଗ୍ରେଡକୁ ଖସିଆସିଛି । ତେବେ କାହିଁକି ନାକ୍ ଗ୍ରେଡେସନରେ ତଳକୁ ଖସିଲା ଉତ୍କଳ ବିଶ୍ୱବିଦ୍ୟାଳୟ ? ୟୁନିଭରସିଟିରେ କ’ଣ ରହିଛି ସମସ୍ୟା ? ନାକ୍ ସର୍ଭେ ରିପୋର୍ଟ ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଛି ଏହାର କାରଣ ଖୋଜା ।

ଗ୍ରେଡେସନ୍ କମିବା ପଛରେ ରିସର୍ଚ୍ଚ ସ୍କୋଲାର ନବାହାରିବା, ଇଣ୍ଟରନାସନାଲ କନଫରେନ୍ସରେ ଭାଗ ନନେବା ଏବଂ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ପ୍ରଭାବିତ ହୋଇଥିବା ଭଳି କାରଣ ରହିଛି । ଏଥିସହ ରାଜ୍ୟର ଏହି ସର୍ବପୁରାତନ ସରକାରୀ ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଶହ ଶହ ଅଧ୍ୟାପକ ପଦ । ୟୁନିଭରସିଟି ପାଇଁ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଅନୁମୋଦନ ସଂଖ୍ୟା ୨୫୭ । ତେବେ ସେଥିମଧ୍ୟରୁ ୧୨୯ ପଦ ଖାଲି ପଡିଛି । ଯାହା ମଧ୍ୟରେ ରହିଛି ୩୭ ପ୍ରଫେସର, ୪୫ ଆସୋସିଏଟ ପ୍ରଫେସର ଓ ୪୭ ଆସିଷ୍ଟାଣ୍ଟ ପ୍ରଫେସର । ସେହିଭଳି ୯୮୦ ଅଣ ଶିକ୍ଷକ ପଦବୀରୁ ଖାଲି ପଡିଛି ୬୬୭ । ଏଥିପାଇଁ ପରୋକ୍ଷରେ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟରେ ବ୍ୟୁରୋକ୍ରାଟଙ୍କ ଅହେତୁକ ହସ୍ତକ୍ଷେପ ମୁଖ୍ୟ କାରଣ ବୋଲି କହିଛନ୍ତି ପୂର୍ବତନ କୁଳପତି ।

ଏହାରି ଭିତରେ ନାକ୍ ଗ୍ରେଡେସନର ପୁନର୍ବିଚାର ପାଇଁ ଆବେଦନ କରିବାକୁ ପ୍ରସ୍ତୁତ ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ । ଏ ନେଇ କୁଳପତି ଗଣମାଧ୍ୟମ ଆଗରେ କିଛି କହି ନଥିବାବେଳେ ଉଚ୍ଚଶିକ୍ଷା ବିଭାଗର ପରାମର୍ଶଦାତା ତନ୍ମୟ ସ୍ୱାଇଁ କହିଛନ୍ତି, ରିପୋର୍ଟରେ ତ୍ରୁଟି ରହିଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁଭବ କରିଛି । ନାକ୍‌ର ନିୟମ ଅନୁସାରେ ୧୫ ଦିନ ଭିତରେ ପୁଣି ଆବେଦନ କରାଯାଇ ପାରିବ ।

ଗ୍ରେଡ୍ ଏ- ପ୍ଲସରୁ ଏକୁ ଖସିବା ପରେ ସର୍ବଭାରତୀୟ ସ୍ତରରେ ପ୍ରିମିୟମ ୟୁନିଭର୍ସିଟି ତାଲିକାରୁ ଖସିଯିବ ଉତ୍କଳ ବିଶ୍ୱବିଦ୍ୟାଳୟ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍।

  • Reported by:
  • CHANDAN PAIKRAY