• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ପେଟ୍ରୋଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ୍ କରି କହିଛନ୍ତି ଯେ, ପେଟ୍ରୋଲ ଦରକୁ କେନ୍ଦ୍ର ସରକାର ପଲିଟିକାଲ ଟୁଲ ଭାବେ ବ୍ୟବହାର କରୁଛନ୍ତି । ନିର୍ବାଚନ ସମୟରେ ଦର କମୁଛି, ନିର୍ବାଚନ ସରିଗଲେ ପୁଣି ଦର ବଢୁଛି ।

ଏପଟେ କୋଭିଡ୍ ଆଳରେ କେନ୍ଦ୍ର ମନ ଇଛା ସେସ୍ ଲାଗୁ କରୁଥିବାରୁ ରାଜ୍ୟକୁ ଅର୍ଥ ଆସିପାରୁନି । ତୈଳ ଦର ବୃଦ୍ଧି, ଚାଷ-ବାସ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରକୁ ପ୍ରଭାବିତ କରୁଛି । ତେଣୁ ରାଜ୍ୟଗୁଡ଼ିକର ସ୍ଥିତି ଖରାପ ହେଉଛି । ଅଚ୍ଛେ ଦିନ ବଦଳରେ ଏବେ ଦେଶରେ ବୁରା ଦିନ ଚାଲିଛି ବୋଲି ରଣେନ୍ଦ୍ର କହିଛନ୍ତି ।

ସେପଟେ ରଣେନ୍ଦ୍ରଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛି ବିଜେପି । ରାଜ୍ୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଆଦାୟ ହେଉଥିବା ରାଜସ୍ୱରେ କରୋନାର ମୁକାବିଲା କରାଯାଉଛି । ତେବେ ରାଜ୍ୟ ସରକାର ନିଜ ଟିକସ କମାଇ ଲୋକଙ୍କୁ କିଛିଟା ଆଶ୍ୱସ୍ତି ଦିଅନ୍ତୁ ।

ତେବେ ଆଜି ପୁଣି ବଢିଛି ତୈଳଦର । ପେଟ୍ରେଲ ଲିଟର ପିଛା ୨୯ ପଇସା ଏବଂ ଡିଜେଲ ୩୬ ପଇସା ବୃଦ୍ଧି ହୋଇଛି । ତୈଳଦର ବୃଦ୍ଧି ପରେ  ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୫୪ ପଇସା ହୋଇଛି । ସେହିପରି ଡିଜେଲ ୯୯ ଟଙ୍କା ୭୦ ପଇସାରେ ପହଞ୍ଚିଛି । କୋରାପୁଟ ଜୟପୁରରେ ପେଟ୍ରୋଲ ଲିଟର ଦର ୧୦୮ ଟଙ୍କା ୩୭ ପଇସା ରହିଛି । ଏଠାରେ ଡିଜେଲ ୧୦୪ ଟଙ୍କା ୧୦ ପଇସା ରହିଛି । ସେହିଭଳି ବଲାଙ୍ଗିରରେ ପେଟ୍ରେଲ ୧୦୫ ଟଙ୍କା ୭୦ ପଇସା ରହିଛି । ବାଲେଶ୍ୱରରେ ପେଟ୍ରେଲ ଲିଟର ପିଛା ୧୦୩ ଟଙ୍କା ୭୬ ପଇସା ରହିଛି ।

ଅନ୍ୟପଟେ ଅଣରିହାତି ଏଲ୍‌ପିଜି ଦର ମଧ୍ୟ  ବୃଦ୍ଧି ପାଇଛି । ଅଣରିହାତି ଏଲ୍‌ପିଜି ଦର ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀରେ ଅଣରିହାତି ଏଲ୍‌ପିଜି ସିଲିଣ୍ଡର ପିଛା ଦର ୮୯୯ ଟଙ୍କା ୫୦ ପଇସା ରହିଛି । ତୈଳ ଓ ଗ୍ୟାସ ଦରକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।