• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କଟକ ଛତ୍ରବଜାର ଅର୍ବାନ ହାଟ ଉଦଘାଟନକୁ ଛଅମାସ ପୁରିଲାଣି। ହେଲେ ପିଣ୍ଡି ବିବାଦ ଏବେ ମଧ୍ୟ ଥମିନାହିଁ। ଯେତିକି ପିଣ୍ଡି ଅଛି ତାହା ପର୍ଯ୍ୟାପ୍ତ ହେଉ ନ ଥିବାରୁ ରାସ୍ତା କଡ଼ରେ ଚାଲିଛି ପରିବା ବେପାର। ପିଣ୍ଡିରେ ବସିବାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ।

ଥମୁନି ଛତ୍ରବଜାର ପିଣ୍ଡି ବିବାଦ । ଖାଲି ପଡ଼ିଛି ପିଣ୍ଡି, ରାସ୍ତାରେ ବ୍ୟବସାୟୀ । ଛତ୍ରବଜାର ପିଣ୍ଡି ବଣ୍ଟନ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ମୋଟ ୪୫୮ ଟି ପିଣ୍ଡି ପାଇଁ ବ୍ୟବସାୟୀଙ୍କୁ ଟୋକନ ବଣ୍ଟା ଯାଇଛି। ହେଲେ ଟୋକନ ପାଇଥିବା କିଛି ବ୍ୟବସାୟୀ ପିଣ୍ଡିରେ ନ ବସି ବାହାର ପାର୍କିଂରେ ବସୁଥିବା ଅଭିଯୋଗ ହୋଇଛି। ଏଣୁ ଯେଉଁ ପିଣ୍ଡି ଗୁଡିକ ପାର୍କିଂ ଠାରୁ ଦୂରରେ ରହିଛି, ସେମାନଙ୍କ ବ୍ୟବସାୟ ଠପ୍ ହୋଇପଡିଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ। ଗ୍ରାହକ ହାଟ ଭିତରକୁ ନ ପଶି ବାହାରୁ ପରିବା କିଣି ଚାଲିଯାଉଥିବା ଅଭିଯୋଗ ହୋଇଛି ।

ପିଣ୍ଡି ବିବାଦ ଭିତରେ ବାହାରେ ବସୁଥିବା ବ୍ୟବସାୟୀ ମାଲାମାଲ ହେଉଥିବା ବେଳେ ପିଣ୍ଡିରେ ବସୁଥିବା ବ୍ୟବସାୟୀ ଖାଲି ହାତରେ ବସୁଛନ୍ତି । ସେହିପରି ହାଟରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇଛି । ବ୍ୟବସାୟୀଙ୍କ ଠାରୁ ୟୁଜର୍ସ ଫି ଆଦାୟ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ସିଏମସି ସମସ୍ୟାର ଅନୁଧ୍ୟାନ କରି ସମାଧାନ କରିବାକୁ ଦାବି କରିଛନ୍ତି ବ୍ୟବସାୟୀ ସଂଘ ସଂପାଦକ। ଅନ୍ୟପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି କଟକ ମେୟର । ଆଗକୁ ଅର୍ବାନ ହାଟ କେବେ ବ୍ୟବସ୍ଥିତ ହେଉଛି, ତାହା ଦେଖିବାକୁ ବାକି ରହିଲା।

 

  • Reported by:
  • PRAVAT BISOI