/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707838904.jpg)
Elephant Death
ମାୟାବୀ ମଣିଷର ମାୟାଜାଲକୁ ବୁଝିପାରିଲାନି ନିରୀହ ଦନ୍ତା। ଜଙ୍ଗଲରେ ଖାଦ୍ୟ ଭାବି ବୋମାକୁ ଖାଇଲା। ବିସ୍ଫୋରଣରେ ଜିଭ ଛିଡ଼ିଯିବା ସହ ଗୁରୁତର ଆହତ ହେଲା।୧୫ ଦିନର ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବା ପରେ ଶେଷରେ ଭରତପୁର ଜଙ୍ଗଲରେ ଜୀବନ ହାରିଛି ଦନ୍ତାହାତୀ। ଏବେ ପ୍ରଶ୍ନ ଉଠୁଛି, ଯଦି ରାଜଧାନୀ ଉପକଣ୍ଠରେ ଏଭଳି ଘଟଣା ଘଟୁଛି, ତେବେ ରାଜ୍ୟରେ କେତେ ସୁରକ୍ଷିତ ଗଜରାଜ ?
ଅସୁରକ୍ଷିତ ଅଭୟାରଣ୍ୟ ! ସୀମା ଟପିଲା ଶିକାରୀଙ୍କ ବର୍ବରତା। ବଳି ପଡ଼ିଗଲେ ଗଜରାଜ। ବାରହା ହେଉ କି ହରିଣ ବା ହାତୀ, କାହାକୁ ଛାଡ଼ୁନାହାନ୍ତି ଶିକାରୀ । ରାଜଧାନୀର ଫୁସଫୁସ୍ କୁହାଯାଉଥିବା ଭରତପୁର ଜଙ୍ଗଲର ଏହା ହେଉଛି ବାସ୍ତବତା। ଭରତପୁର ଜଙ୍ଗଲ ଭିତରେ ଗତକାଲି ନିଶ୍ଚଳ ହୋଇ ଛିଡ଼ାହୋଇଛି ଏହି ଦନ୍ତା ହାତୀ। ଚିନ୍ତା କରୁଛି, ତା’ ସହ ଏମିତି କପଟ କାହିଁକି କଲା ମଣିଷ ? କେମିତି ଜାଣିପାରିଲିନି, ଭୋକ ମେଣ୍ଟାଇବା ଲାଗି ଯାହାକୁ ଖାଦ୍ୟ ଭାବି ଖାଉଛି, ତାହା ଶିକାରୀ ଖଞ୍ଜିଥିବା ବୋମା ବୋଲି। ପାଟିରେ ଖାଦ୍ୟ ଦେଇଛି କି ନାହିଁ, ଢୋ କରି ଶବ୍ଦ ହେଲା । କିଛି ବୁଝିବା ପୂର୍ବରୁ ଜିଭ ଛିଡ଼ି ଖସିପଡ଼ିଲା, ଦାନ୍ତ ମାଢ଼ି ଭାଙ୍ଗି ଚୂରମାର ହୋଇଗଲା। ନା ଖାଇ ପାରୁଛି, ନା ପିଇ ପାରୁଛି । ଓୟୁଏଟି ଓ ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କ ସବୁ ପ୍ରଚେଷ୍ଟା ଫେଲ୍ ମାରିଲା। ୧୫ ଦିନ ଧରି ଯନ୍ତ୍ରଣାରେ ଛଟପଟ ହେବାପରେ ଗତକାଲି ଆଖି ବୁଜିଛି ଏହି ଦନ୍ତା ହାତୀ।
ହାତୀ ଶିକାର କ୍ଷେତ୍ରରେ ଓଡ଼ିଶାରେ ଏଭଳି ଘଟଣା ନୂଆ ବୋଲି କୁହାଯାଉଛି । ଯଦିଓ ପୂର୍ବରୁ ଏଭଳି ଘଟଣା କେରଳରେ ଦେଖିବାକୁ ମିଳିଥିଲା, ତେବେ ଭୁବନେଶ୍ୱର ଉପକଣ୍ଠରେ ଶିକାରୀଙ୍କ ଏଭଳି ବର୍ବର ଶିକାର ଶୈଳୀକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ। ଏବେ ପ୍ରଶ୍ନ ଉଠୁଛି, ବାରହା ଶିକାର ଜାଲରେ ଫସି ଦନ୍ତାର ଜୀବନ ଗଲା, ନା ହାତୀ ଶିକାର ପାଇଁ ଶିକାରୀ ଆପଣେଇଥିଲେ ଏ ଫର୍ମୁଲା ? କିଭଳି ହେବ ଏ ଘଟଣାର ପର୍ଦ୍ଦାଫାସ? ଏହା ପଛରେ ସ୍ଥାନୀୟ ଶିକାରୀ ନା କାମ କରୁଛି ବଡ଼ ରାକେଟ୍ ?
ସରକାରୀ ତଥ୍ୟ କହୁଛି, ଗତ ୫ ବର୍ଷରେ ରାଜ୍ୟରେ ୪୩୦ ହାତୀଙ୍କ ଜୀବନ ଯାଇଛି। ସେଥିମଧ୍ୟରୁ ଶିକାର ଯୋଗୁ ୨୨ଟି ହାତୀର ଜୀବନ ଯାଇଥିବା ବେଳେ ଯୋଜନାବଦ୍ଧ ହତ୍ୟାରେ ୨ ଓ ବିଷକ୍ରିୟାରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)