Advertisment

ତୁର୍କୀରେ ଛାତିଥରା ଭୂମିକଂପ, ହେଲେ ତାଳଚେରରେ ଛନକା

ସାମାନ୍ୟ ଝଟ୍‌କାରେ ସହର ଧୂଳିସାତ୍ ହେବା ଆଶଙ୍କା

author-image
Chandan Shishu
ଅଦ୍ୟତନ ହୋଇଛି
undefined

turkey earthquake triggers panic in talcher

ତୁର୍କୀରେ ଛାତିଥରା ଭୂମିକଂପ। ହେଲେ ତାଳଚେରରେ ଛନକା, କାରଣ ବି ଆପଣଙ୍କ ସାମ୍ନାରେ। କାହା ଶୋଇବା ଘର ମଝିରେ ଗାତ, ତ କାହା ଘର ଅଗଣାରେ ଗଭୀର ଖାତ। ପୁଣି କେଉଁଠି ଘର କାନ୍ଥ ଫାଟିଛି, ତ କେଉଁଠି ଲୋକଙ୍କ ନିତିଦିନିଆ ଯାଆସ ରାସ୍ତାରେ ନିଶ୍ଚିତ ମୃତ୍ୟୁକୁ ଅପେକ୍ଷା କରିଛି ଖାଇ ଭଳି ଖାଲ। କୋଇଲା ଖାଦାନର ଗନ୍ତାଘର ତାଳଚେର ଅଞ୍ଚଳରେ ଯେଭଳି ଭାବରେ ବିପଦ ମୁହଁରେ ପଡିଛି ଜନଜୀବନ, ତାକୁ ନେଇ ଚିନ୍ତା ଯେତିକି, ଭୟ ବି ସେତିକି।ସାମାନ୍ୟ ଭୂମିକଂପର ଝଟକାରେ ସାରା ତାଳଚେର ସହର ତାସ୍ ଘର ଭଳି ମାଟିରେ ମିଶିବାକୁ ମିନିଟିଏ ବି ଲାଗିବନି କହିଛନ୍ତି ଅଞ୍ଚଳବାସୀ।

Advertisment

ଅଧିକ ପଢ଼ନ୍ତୁ: ତୁର୍କୀରେ ପ୍ରକୃତିର ତାଣ୍ଡବ ! ମାଟିରେ ମିଶିଯାଇଛି କୋଠାବାଡ଼ି, ଚାପି ହୋଇ ରହିଛି ଶହ ଶହ ଜୀବନ

କାହିଁକି ତାଳଚେରରେ ଏଭଳି ସ୍ଥିତି ? କିଏ ଏଥିପାଇଁ ଦାୟୀ ? ଘଣ୍ଟାଚକଟା ଭିତରେ ତଥ୍ୟ କହୁଛି କଳାହୀରାର ସହର ତାଳଚେର ଅଞ୍ଚଳରେ ମୋଟ୍ ୧୩ଟି କୋଇଲା ଖଣିରୁ ୮ଟି ଖୋଲା ଥିବାବେଳେ ୫ଟି ଭୂତଳ କୋଇଲା ଖଣି ରହିଛି। ଶହେ ବର୍ଷ ତଳୁ ଏଠୁ ଦିନରାତି କୋଇଲା ଉତ୍ତୋଳନ ଚାଲିଛି। ମହାନଦୀ କୋଲଫିଲ୍ଡ ଲିମିଟେଡ୍ ବା ଏମସିଏଲ୍ କୋଇଲା ଖନନ ଦାୟିତ୍ବରେ ରହିଛି। ହେଲେ ଭୂଗର୍ଭରୁ କୋଇଲା ଖନନ ପରେ ସେଠାରେ ବ୍ରାହ୍ମଣୀ ନଦୀରୁ
ବାଲି ଆଣି ଭର୍ତ୍ତି କରାଯିବାର କାମ ଠିକ୍ ଭାବେ ହେଉନାହିଁ। ଯାହାର ପରିଣାମ ଭୋଗୁଛନ୍ତି ସାଧାରଣ ଜନତା। ତାଳଚେର ୩ନମ୍ବର ଭୂକଂପ ଜୋନ୍ ରେ ଥିଲେ ବି କୌଣସି ପ୍ରତିଷେଧକ ବ୍ୟବସ୍ଥା ହେଉନାହିଁ। ଏଥିପାଇଁ ଉଭୟ ଜିଲ୍ଲା ପ୍ରଶାସନ ଓ ଏମସିଏଲକୁ ସିଧାସଳଖ ଦାୟୀ କରିଛି ଭୂଗର୍ଭ କୋଇଲା ଖଣି ସଂଗଠନ।

Advertisment

ତେଣେ ତାଳଚେର କୋଇଲା ଖଣି ସମସ୍ୟା ଓ ଜନସୁରକ୍ଷାକୁ ନେଇ ତେଜିଛି ରାଜନୀତି। ବିଜେପି କହିଛି, ବାରମ୍ବାର ଏ ନେଇ ଦଳ ଆନ୍ଦୋଳନ କରିଛି। ଏମିତିକି ସ୍ଥାନୀୟ ଜନପ୍ରତିନିଧି ବିଧାନସଭା କି ସଂସଦରେ ତାଳଚେର ସମସ୍ୟା ଉଠାଉନଥିବାରୁ ଏହାର ଫାଇଦା ନେଇ ଏମସିଏଲ୍ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ଯାହାର ପରିଣାମ ଆପଣଙ୍କ ସାମ୍ନାରେ। ସେହିଭଳି କଂଗ୍ରେସର ଆରୋପ, ଏମଏସିଏଲର ଦାୟିତ୍ୱହୀନତା ଦିନେ ତାଳଚେରବାସୀଙ୍କ ପାଇଁ କାଳ ସାଜିବ। ଜବାବରେ ସ୍ଥାନୀୟ ବିଧାୟକ ସବୁ ଦୋଷ ନିଜ ଉପରୁ ଖସାଇ ସିଧା କେନ୍ଦ୍ର ସରକାର ଓ ଏମସିଏଲ୍ ମୁଣ୍ଡରେ ଥୋଇଛନ୍ତି।

(ତାଳଚେରରୁ ମନିଲ କୁମାର ମହାରଣାଙ୍କ ରିପୋର୍ଟ)

Turkey Earthquake
Advertisment
Advertisment