• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଧ୍ୱଂସ ଧ୍ୱଂସ ଆଉ ଖାଲି ଧ୍ୱଂସ । ତୁର୍କୀ ଓ ସିରିଆରେ ଭୟଙ୍କର ଭୂମିକମ୍ପ ପରେ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଏବେ ସୁଦ୍ଧା ୮ ହଜାରରୁ ଅଧିକ ଜୀବନ ଯାଇଥିବା ବେଳେ ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଧ୍ୱଂସାବଶେଷ ତଳେ ଏବେ ମଧ୍ୟ ବହୁ ଲୋକ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ଅଛି । ସେପଟେ ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ ଓ ରିଲିଫ କାମ । ଗତ ୪୮ ଘଣ୍ଟା ଭିତରେ ୫ଥର ଥରିଲାଣି ତୁର୍କୀ, ସିରିଆ, ଲେବାନନ୍ ଓ ଇଜ୍ରାଏଲ୍ । ପଡ଼ୋଶୀ ସିରିୟା ଓ ଲେବାନନରେ ମଧ୍ୟ ଏହାର ଝଟକା ଦେଖିବାକୁ ମିଳିଥିଲା । ତୁର୍କୀରେ ହଜାର ହଜାର କୋଠାବାଡ଼ି ଭାଙ୍ଗି ଯାଇଛି ।

ସେପଟେ ତୁର୍କୀର ମହାବିପତ୍ତି ବେଳେ, ସହଯୋଗର ହାତ ବଢ଼ାଇଛି ଭାରତ । ତୁର୍କୀକୁ ୨ଟି C-17 ଗ୍ଲୋବମାଷ୍ଟର ବିମାନରେ ୧୦୦ ଏନ୍‌ଡିଆରଏଫ୍ ଯବାନ, ସ୍ୱତନ୍ତ୍ର ପ୍ରଶିକ୍ଷିତ ଡଗ୍ ସ୍କ୍ବାଡ୍, ଡ୍ରିଲିଂ ମେସିନ, ରିଲିଫ ସାମଗ୍ରୀ, ଔଷଧ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଓ ଉପକରଣ ପଠାଯାଇଛି । ଅନ୍ୟପକ୍ଷରେ ଭାରତକୁ ବିପଦ ବେଳର ପ୍ରକୃତ ବନ୍ଧୁ ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ତୁର୍କୀ ରାଷ୍ଟ୍ରଦୂତ ।

ଅଧିକ ପଢ଼ନ୍ତୁ: ମୃତ୍ୟୁର ଆଁରୁ ବର୍ତ୍ତିଆସିଥିବା କୁନି ଝିଅ ପଚାରୁଛି- 'ମୋ ମାଆ କାହିଁ?'

ତେବେ ତୁର୍କୀରେ ଏହି ବିଧ୍ୱଂସ ଭିତରେ ଜୀବନ ବଞ୍ଚାଇବା ପାଇଁ ଚାଲିଛି ସଂଘର୍ଷ । ମାଟି ଅତଡ଼ା ତଳେ ଏବେ ବି ଅନେକ ଜୀବନ ଫସି ରହିଛି, ଯାହାକୁ ଶବ୍ଦରେ ବଖାଣିବା ବି କଷ୍ଟକର । ଏହି ଧ୍ୱଂସର ଲୀଳା ଭିତରେ ଜୀବନ ଫେରି ପାଇବା ଦୃଶ୍ୟ ବି ସାମ୍ନାକୁ ଆସୁଛି । କଥାରେ ଅଛି ନା, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ ! ଆଉ ତୁର୍କୀରେ ଏହା ସତ ପ୍ରମାଣିତ ହୋଇଛି । ଶହ ଶହ କିଲୋ ସିମେଣ୍ଟ କଙ୍କ୍ରିଟ୍ ଅତଡ଼ା ତଳେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଏକ କୁନି ଛୁଆର ଫଟୋ ସମସ୍ତଙ୍କୁ ଆଖିରେ ଲୁହ ଆଣିଛି । ୟାକୁ ଦେଖିଲେ ଲାଗୁଛି, ଯେମିତି କୁନି ଛୁଆଟେ କହୁଛି.. ମୁଁ ବଞ୍ଚିବି, ମୁଁ ଦୁନିଆ ଦେଖିବି । ବୋଧେ ଏହି ମନୋବଳ ହିଁ ତାକୁ ବଞ୍ଚାଇ ପାରିଛି । ତୁର୍କୀର ଅନେକ ଅଞ୍ଚଳରୁ ଏଭଳି ଛାତି ଥରାଇଲା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି ।

ତୁର୍କୀ ଏବେ ଦୁନିଆର ସବୁଠୁ ଖରାପ ସମୟ ଦେଖୁଛି । ନିମିଷକ ମଧ୍ୟରେ ମାଟିରେ ମିଶି ଯାଇଛି ତୁର୍କୀ । କିଏ ନିଜ ପରିବାର ଲୋକଙ୍କୁ ହରାଇଛି, କିଏ ନିଜ ପ୍ରିୟଜନ-ବନ୍ଧୁକୁ ହରାଇଛି । ଭୂମିକମ୍ପ ସିନା ଥିଲା କିଛି ସେକେଣ୍ଡର କିନ୍ତୁ ବିଧ୍ୱଂସ ଯେ ବର୍ଷ ବର୍ଷ ଯାଏଁ ମନରେ କଷ୍ଟ ଦେବ ସେ କଥା ଭାବିଲା ବେଳେ ଛାତି ଥରି ଉଠୁଛି ।