• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଣ ଜଙ୍ଗଲରେ ରହୁଥିବା ଆଦିବାସୀମାନେ ଲଘୁ ବନ ଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି । ଜଙ୍ଗଲରେ ଥିବା ପ୍ରାଚୁର୍ଯ୍ୟରୁ ସେମାନେ ଅର୍ଥ ଉପାର୍ଜନ କରିଥାନ୍ତି । କିନ୍ତୁ ପରିଶ୍ରମ ଅନୁସାରେ ସେମାନଙ୍କୁ ମିଳି ପାରୁନାହିଁ ତାଙ୍କ ପ୍ରାପ୍ୟ । ରାୟଗଡ଼ା ଗୁଣୁପୁରର ମହୁଲ ସଂଗ୍ରହକାରୀଙ୍କ କଥା କୁହନ୍ତୁ କିମ୍ବା ନୂଆପଡ଼ାର ଚାର କୋଳି ସଂଗ୍ରହକାରୀ । ସରକାରୀ ସ୍ତରରେ ବିକ୍ରିର ସୁଯୋଗ ନମିଳିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଏଠାକାର ଆଦିବାସୀ ।

ସକାଳ ହେଲେ ଜଙ୍ଗଲରେ ପହଞ୍ଚିଯାଆନ୍ତି ଆଦିବାସୀ ଲୋକେ । ପିଲାଠୁ ବୁଢା ସମସ୍ତେ ଲାଗିପଡ଼ନ୍ତି ମହୁଲ ଗୋଟାଇବାରେ । ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ଆଦିବାସୀ ଗାଁଗୁଡିକରେ ପ୍ରତିବର୍ଷ ଏହି ସମୟରେ ମହୁଲ ସଂଗ୍ରହ କରି କିଛି ଅର୍ଥ ଉପାର୍ଜନ କରନ୍ତି ଆଦିବାସୀ । ମହୁଲ ଫୁଲକୁ ଦେଖିଲେ ଆପଣ ଭାବିବେ ଏସବୁ ଖୁବ୍‌ ସହଜରେ ଗଛରୁ ତୋଳି ଅଣାଯାଇଥିବ । ହେଲେ ବାସ୍ତବରେ ମହୁଲ ଫୁଲ ସଂଗ୍ରହ କରିବା ଭାରି କଷ୍ଟସାଧ୍ୟ ।

ସାରା ଜଙ୍ଗଲରେ ବୁଲି ବୁଲି ଗଛରୁ ଖସିଥିବା ମହୁଲ ଫୁଲକୁ ସଂଗ୍ରହ କରାଯାଇଥାଏ । ଏହା ପରେ ଅତି କାଇଦାରେ ଶୁଖାଇ ତାକୁ ବଜାରରେ ବିକ୍ରି କରାଯାଏ । କିନ୍ତୁ ଏତେ ସବୁ ପରେ ତାଙ୍କୁ ମିଳି ପାରୁନାହିଁ ଉଚିତ୍ ପ୍ରାପ୍ୟ । ସରକାରୀ ନିର୍ଦ୍ଧାରିତ ଦର ଜାଣିନଥିବାରୁ ବେପାରୀମାନଙ୍କୁ କମ୍ ଦାମ୍‌ରେ ବିକ୍ରି କରୁଥିବା କହିଛନ୍ତି ମହୁଲ ସଂଗ୍ରହକାରୀ । ପୂର୍ବରୁ କ୍ୱିଣ୍ଟାଲ ପିଛା ଦର ଦୁଇ ହଜାର ଟଙ୍କା ରହିଥିବା ବେଳେ ଏବେ ଦର କେତେ ସେମାନଙ୍କୁ ଅଜଣା । ପୂର୍ବରୁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବା ଟିଡିସିସି ଦ୍ୱାରା ମହୁଲ ବିକ୍ରି ବଟାର ସୁବିଧା ରହୁଥିଲା, କିନ୍ତୁ ଅନେକ ବର୍ଷ ହେବ ତା ବି ହେଉନାହିଁ । ସେପଟେ ଅଧିକାରୀ କହିଛନ୍ତି ପ୍ରତି ପଞ୍ଚାୟତରେ ସରକାରୀ ଦର ଧାର୍ଯ୍ୟ କରାଯାଇଥାଏ ।

 

ସେପଟେ ସମାନ ସମସ୍ୟା ନୂଆପଡ଼ା ଜିଲ୍ଲାର ଚାହାଁର ବା ଚାର କୋଳି ସଂଗ୍ରହକାରୀଙ୍କର । ଖଡିଆଳ, ବୋଡେନ୍, ସିନାପାଲି ଆଦି ବ୍ଲକ୍‌ରେ ଲୋକମାନେ ଚାର କୋଳି ସଂଗ୍ରହ କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି । ଏହି କୋଳି ଖାଇବାକୁ ଭାରି ମିଠା ଲାଗୁଥିବା ବେଳେ ଏହାର ମଞ୍ଜିର ଚାହିଦା ବି ବେଶ ଅଧିକ ରହିଛି । କିନ୍ତୁ ବଜାରରେ ମୂଲ୍ୟ ବେଶି ନଥିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ସଂଗ୍ରହକାରୀ । ବେପାରୀମାନେ କିଲୋ ପ୍ରତି ୮୦ରୁ ୧୦୦ ଟଙ୍କାରେ ଚାର ମଞ୍ଜି କିଣି ନେଉଛନ୍ତି । ଯାହା କି ପରିଶ୍ରମ ତୁଳନାରେ ବହୁତ କମ୍ ବୋଲି ସଂଗ୍ରହକାରୀ କହିଛନ୍ତି । ସେପଟେ ବିଭାଗୀୟ ଅଧିକାରୀ କହୁଛନ୍ତି ପଞ୍ଚାୟତ ସ୍ତରରେ ଚାର କୋଳିର ଦାମ କିଲୋ ପିଛା ୩୦୦ଟଙ୍କା ଧାର୍ଯ୍ୟ କରାଯାଇଛି ।