• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଏକାସଙ୍ଗେ ଶ୍ମଶାନରେ ଜଳିଲା ବାପ-ପୁଅଙ୍କ ଜୁଇ । ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ମୃତକ ହେଲେ ବାପା ଆଦିକନ୍ତ ସା ଓ ପୁଅ ଆର୍ତ୍ତତ୍ରାଣ ସା । ସୂଚନା ମୁତାବକ ଆର୍ତ୍ତତ୍ରାଣଙ୍କ ବାପା ଆଦିକନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପଥିବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ନିଆଯାଇଥିଲା ।

ସେଠାରେ ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ । ସେହି ସମୟରେ ପୁଅ ଆର୍ତ୍ତତ୍ରାଣଙ୍କ ସ୍ୱାସ୍ଥ୍ୟ ଭଲ ଲାଗୁନି ବୋଲି ମେଡିକାଲର କିଛି କର୍ମଚାରୀଙ୍କୁ କହିଥିଲେ । ପରେ ପରେ ସେହିଠାରେ ହଠାତ୍‌ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

ରାତି ପ୍ରାୟ ୧୨ଟା ୪୫ ମିନିଟ୍‌ରେ ପୁଅ ଆର୍ତ୍ତତ୍ରାଣଙ୍କ ମୃତ୍ୟୁ ହୋଇଥିବାବେଳେ ଏହି ଘଟଣାକୁ ଦେଖି ବାପା ଆଦିକନ୍ତଙ୍କର ରାତି ୨ଟା ସମୟରେ ମଧ୍ୟ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ବାପା ଆଦିକନ୍ତ ସାଙ୍କୁ ୭୦ ବର୍ଷ ବୟସ ହୋଇଥିବାବେଳେ ପୁଅ ଆର୍ତ୍ତତ୍ରାଣ ସାଙ୍କୁ ୫୦ ବର୍ଷ ହୋଇଥିବା ଜଣାପଡ଼ିଛି ।

ପରେ ପରେ ଉଭୟଙ୍କୁ ଡାକ୍ତରଖାନାରୁ ନିଜ ଗାଁ ତରଭାକୁ ଅଣାଯାଇ ଶେଷକୃତ୍ୟ କରାଯାଇଛି । ତେବେ ଏପରି ଏକ ଦୁଃଖଦ ଘଟଣା ପାଇଁ ତରଭା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖାଲି ସେତିକି ନୁହେଁ, ସୂଚନା ଅନୁସାରେ ଆଦିକନ୍ତଙ୍କ ୩ ପୁଅ ରହିଥିଲେ । ସେମାନଙ୍କ ମଧ୍ୟରୁ ସାନ ପୁଅ ଶରତ ସାଙ୍କର ଗତବର୍ଷ ଅର୍ଥାତ୍‌ ୨୦୨୧, ୨୯ ଡିସେମ୍ବରରେ ଅକାଳ ମୃତ୍ୟୁ ହୋଇଥିଲା ।

ଆଉ ବର୍ତ୍ତମାନ ଗୋଟିଏ ଦିନରେ ବାପା ଆଦିକନ୍ତ ଓ ବଡ଼ ପୁଅ ଆର୍ତ୍ତତ୍ରାଣଙ୍କ ମୃତ୍ୟୁ ହୋଇଛି । ଏବେ କେବଳ ଘରର ମୁରବୀ କହିଲେ ମଝିଆ ପୁଅ ରଞ୍ଜନ ସା । ପରିବାରର ଏତେବଡ଼ ଦୁଃଖକୁ ନିଜର କାନ୍ଧରେ ବୋହି ସମସ୍ତଙ୍କ ପାଇଁ ସାହାରା ପାଲଟିଛନ୍ତି । ମାତ୍ର ଗୋଟିଏ ବର୍ଷ ନପୂରୁଣୁ ପରିବାରର ତିନି ତିନିଜଣଙ୍କ ଦୁଃଖଦାୟକ ମୃତ୍ୟୁରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

  • Reported by:
  • Rabindra Hota