• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆକାଶଛୁଆଁ ଟମାଟୋ ଦର । ଗୃହିଣୀଙ୍କ ହାଣ୍ଡିଶାଳରେ ଲାଲ୍ ଟମାଟୋର ଅଭାବ । ସପ୍ତାହକ ଭିତରେ ୩ ଗୁଣା ଦର ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି । ଆଳୁ ଦର ମଧ୍ୟ ଆଗ ଅପେକ୍ଷା ସାମାନ୍ୟ ଉଚ୍ଚା ରହିଛି ।

ଲେମ୍ବୁ ପରେ ଏବେ ଟମାଟୋ ମହଙ୍ଗା ହୋଇଛି । ତେଣୁ ଗୃହିଣୀଙ୍କ ହାଣ୍ଡିଶାଳରେ ଏବେ ଟମାଟୋର ଅଭାବ ପଡିଛି । ଯେଉଁଠି କିଛି ଦିନ ତଳେ ଟମାଟୋ ୨୦ରୁ ୨୫ ଟଙ୍କା ବିକ୍ରି ହେଉଥିଲା, ତାହା ଏବେ ୭୦ ଟଙ୍କା ଉପରେ ବିକ୍ରି ହେଉଛି । ଯାହାକୁ ନେଇ ଚିନ୍ତାରେ ଖାଉଟି ଓ ବ୍ୟବସାୟୀ । ଖାଲି ଟମାଟୋ ନୁହେଁ, ଆଳୁ ଦର ମଧ୍ୟ ଆଗ ଅପେକ୍ଷା ସାମାନ୍ୟ ଉଚ୍ଚା ରହିଛି । 

ରାଜ୍ୟରେ ଅଧିକାଂଶ ସ୍ଥାନରେ ଟମାଟୋ ଦର ଏବେ ଆକାଶ ଛୁଆଁ । ତେଣୁ ଚିନ୍ତାରେ ଖାଉଟି ଓ ବ୍ୟବସାୟୀ । ଗରିବ ହୁଅନ୍ତୁ ବା ଧନୀ, ହାଣ୍ଡିଶାଳରେ ଟମାଟୋ ରହିବା ଥୟ । ଏପରି କ୍ଷେତ୍ରରେ ଟମାଟୋ ଦର ବୃଦ୍ଧି ପାଇଁ କେଜିଏ ବଦଳରେ ଅଧ କିଲୋ, ଅଢେଇଶ ନେଇ ଚଳାଇ ଦେଉଛନ୍ତି ଗୃହିଣୀ । ବରଗଡରେ ଟମାଟୋ କିଲୋ ପିଛା ବିକ୍ରି ହେଉଛି ଏବେ ୬୦ ଟଙ୍କା । ଏପଟେ ଟମାଟୋ ଦର ବୃଦ୍ଧି ପାଇଁ ବିକ୍ରି କମ୍ ହେଉଥିବା ବେଳେ ଦୋକାନରେ ଗଚ୍ଛିତ ରହି ପଚି ସଢିଯାଉଛି । ଫଳରେ ବ୍ୟବସାୟୀ କ୍ଷତି ସହୁଥିବା କହିଛନ୍ତି । ସେହିପରି ରାଉରକେଲା ସହରରେ ଟମାଟୋ କିଲୋ ପିଛା ଦର ୪୦ ଟଙ୍କା ଏବଂ ଆଳୁ କିଲୋ ୨୫ ଟଙ୍କା ରହିଛି ।

ଦିନକ ତଳେ ବିଲାତି ଦର ୨୦ରୁ ୨୫ ଟଙ୍କା ଥିଲା । ହେଲେ ଏବେ ତାହା ଅଧିକାଂଶ ସ୍ଥାନରେ ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି । ଏପରିକି କଟକର କେତେକ ସ୍ଥାନରେ ୯୦ ଟଙ୍କାରେ ମଧ୍ୟ ବିକ୍ରୀ ହେଉଛି । ଟମାଟୋ କେଜିଏ ଜାଗାରେ ଅଧା କିଲୋଗ୍ରାମ ନେବାକୁ ବାଧ୍ୟ ହେଉଛନ୍ତି ଗ୍ରାହକ । ସେହିପରି ଭୁବନେଶ୍ୱରରେ ଟମାଟୋ ଦର ୬୦ ଉପରେ ରହିଛି । ତେବେ ବେଙ୍ଗାଲୁରୁ ଓ ନାସିକରୁ ଆମଦାନୀ କମିବା ଫଳରେ ଦର ବୃଦ୍ଧି ହୋଇଥିବା କୁହାଯାଉଛି । ଆମ ରାଜ୍ୟରେ ବିଲାତି ଓ ଆଳୁ ଯଥେଷ୍ଟ ଅମଳ ହେଉନାହିଁ । ତେଣୁ ବର୍ତ୍ତମାନ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡୁଛି । ଛତ୍ରବଜାରକୁ ଦୈନିକ ୩୦ରୁ ୪୦ ଟନ୍ ବିଲାତି ଆସିଥାଏ । ହେଲେ ଏବେ କିନ୍ତୁ ୨୦ ଟନ୍‌ରେ ସୀମିତ ରହୁଛି । କେବଳ ବିଲାତି ନୁହେଁ, ଆଳୁ ଦର ମଧ୍ୟ ବଢି ଯାଇଛି । ଆଳୁ ଦର କିଲୋ ପିଛା କିଛି ଦିନ ପୂର୍ବରୁ କଟକରେ ୨୦ ଟଙ୍କା ଥିଲାବେଳେ ତାହା ବଢି ୩୦ରୁ ୩୫ ଟଙ୍କାରେ ପହଞ୍ଚିଛି ।