• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଓଡ଼ିଶା ମୁହାଁ ଆନ୍ଧ୍ର ବାଘ । ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଜଙ୍ଗଲରେ ଘୁରି ବୁଲୁଛି ମହାବଳ । ରାତି ହେଲେ ଗାଁରେ ପଶି ଗାଈଗୋରୁଙ୍କୁ ଶିକାର କରୁଛି । ବନ ବିଭାଗ କ୍ୟାମେରା ଟ୍ରାପରୁ ସ୍ପଷ୍ଟ ହୋଇଛି ମହାବଳର ଉପସ୍ଥିତି । ଏହାକୁ ନେଇ ଛାନିଆରେ ସ୍ଥାନୀୟ ଅଧିବାସୀ । ଏପଟେ ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ସୁରକ୍ଷିତ ବାସସ୍ଥାନ ଯୋଗୁ ଓଡ଼ିଶା ଜଙ୍ଗଲକୁ ଘର କଲେଣି ବାଘ ।

ମହେନ୍ଦ୍ରଗିରିରେ ମହାବଳ । ରାୟଗଡ଼ ଓ ଗୋଷାଣୀ ଜଙ୍ଗଲରେ ବୁଲୁଛି । ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛି । ଗୁହାଳରେ ବନ୍ଧା ଗାଈଗୋରୁଙ୍କୁ ଶିକାର ବନାଉଛି । ଗତ କିଛି ଦିନ ହେଲା ଗଜପତି ଜିଲ୍ଲା ମହେନ୍ଦ୍ରଗିରି ବନାଞ୍ଚଳରେ ଘୁରି ବୁଲୁଛି ମହାବଳ । ବନ ବିଭାଗ କ୍ୟାମେରା ଟ୍ରାପରେ କଏଦ ହୋଇଛି ମହାବଳର ଫଟୋ । ମହେନ୍ଦ୍ରଗିରି ବନାଞ୍ଚଳ ଅଧୀନସ୍ଥ ଗଣ୍ଡାହାତୀ ନିକଟସ୍ଥ ସନ୍ତୋଷପୁର ଗାଁରେ ଦୁଇ ଦିନରେ ଦୁଇଟି ଗାଈକୁ ଘୋଷାରି ମାରିବା ପରେ ବନ ବିଭାଗ ପକ୍ଷରୁ ଘଟଣାକୁ ଗୁରୁତର ସହ ନେଇଥିଲା ।

ଆଖପାଖ ଅଞ୍ଚଳରୁ ମିଳିଥିଲା ମହାବଳର ପାଦଚିହ୍ନ । ଏହାପରେ ମହାବଳର ଉପସ୍ଥିତି ସୁନିଶ୍ଚିତ କରିବା ପାଇଁ ଖଞ୍ଜାଯାଇଥିଲା କ୍ୟାମେରା ଟ୍ରାପ । ଯେଉଁଥିରୁ ଗଜପତିରେ ମହାବଳ ଘୁରି ବୁଲୁଥିବା ସ୍ପଷ୍ଟ ହୋଇଛି । ଏହାପରେ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯିବା ସହ ବାଘର ଗତିବିଧି ଉପରେ ବି ନଜର ରଖାଯାଇଛି । ଏଣେ ବାଘ ବୁଲୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି କୋକୁଆ ଭୟ । ସନ୍ଧ୍ୟା ହେଲେ ଘରେ ପଡ଼ୁଛି ତାଟି କବାଟ ।

ଏ ନେଇ ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଏହି ମହାବଳ ବାଘ ଆନ୍ଧ୍ର ସୀମାନ୍ତ ଜଙ୍ଗଲରୁ ମହେନ୍ଦ୍ରଗିରିକୁ ଆସିଛି । ଦୁଇ ଚାରି ମାସ ପୂର୍ବରୁ ବି ବାଘଟି ଗଜପତି ଜିଲ୍ଲା ଜଙ୍ଗଲକୁ ଆସିଥିଲା। ଯେହେତୁ ବାଘ ସଂରକ୍ଷଣ ନେଇ ରାଜ୍ୟରେ ବ୍ୟାପକ ପଦକ୍ଷେପ ନିଆଯାଇଛି, ସେଥିପାଇଁ ବାରମ୍ବାର ଓଡ଼ିଶା ମୁହାଁ ହେଉଛନ୍ତି ବାଘ । ଅନ୍ୟପକ୍ଷରେ ଏହି ମହାବଳ ବାଘ ଉପରେ ନଜର ରଖିବାକୁ କ୍ୟାମେରା ଟ୍ରାପ ସହ ସ୍ୱତନ୍ତ୍ର ଟ୍ରାକିଂ ୟୁନିଟ୍ ବି ନିୟୋଜିତ କରାଯାଇଛି । ଏହାଛଡ଼ା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ କ୍ଷୟକ୍ଷତିକୁ ତୁରନ୍ତ ଭରଣା କରାଯାଉଛି ।

ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ବାଘ ଗଣନା ରିପୋର୍ଟ ଅନୁସାରେ ଓଡ଼ିଶାରେ ବାଘ ସଂଖ୍ୟା ୨୦କୁ କମିଛି । ହେଲେ ବନ ବିଭାଗର ଦାବି ୨୦ ନୁହେଁ, ରାଜ୍ୟରେ ଅଛନ୍ତି ଅଧିକ ମହାବଳ । ଏସବୁ ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଜସ୍ୱ ବାଘ ଗଣନା ଆରମ୍ଭ ହୋଇଛି । ଏଥିପାଇଁ ନଭେମ୍ବର ପହିଲାରୁ ବିଭିନ୍ନ ଜଙ୍ଗଲରେ ଲାଗିବ କ୍ୟାମେରା ଟ୍ରାପ ।

ପାରଳାଖେମୁଣ୍ଡିରୁ ଆଦର୍ଶ ଦାସ ଓ ଭୁବନେଶ୍ବରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ

  • Reported by:
  • KAPILENDRA PRADHAN