/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695568362.jpg)
Germany married woman
ଜର୍ମାନୀର ଝିଅ ବନିଲେ ଓଡ଼ିଶାର ବୋହୂ । ଖାଲି ଓଡ଼ିଆ ପୁଅ ନୁହେଁ, ଓଡ଼ିଶା ମାଟି ପାଣି, ପବନ ଓ ଭାଷା ସଂସ୍କୃତି ପ୍ରେମରେ ପଡ଼ିଗଲେ ବିଦେଶିନୀ । ଇଂଲଣ୍ଡରେ ପ୍ରଫେସର ଚାକିରି ଛାଡ଼ି ଜନ୍ମମାଟିରେ ଇକୋ-ଭିଲେଜ୍ କରିଥିବା ସୁବର୍ଣ୍ଣପୁର ବିନିକାର ଜଣେ ଦିବ୍ୟାଙ୍ଗ ଯୁବକ ଶିବାଜୀ ପଣ୍ଡାଙ୍କୁ ଜୀବନ ସାଥି କରି, ଏଇଠି ସୁଖର ସଂସାର ଗଢ଼ିବାକୁ ସ୍ୱପ୍ନ ଦେଖୁଛନ୍ତି ଉଲରିକ୍ ଜେସନ୍ ।
ବିଲାତର ଝିଅ ଥିଲେ, ଏବେ ବିନିକାର ବୋହୂ । କହୁଛନ୍ତି, ମୁଁ ଓଡ଼ିଶାର ବୋହୂ, ଓଡ଼ିଶାରେ ରହିବି । ଖାଲି ସଂପର୍କ କି କଥାଭାଷା ନୁହେଁ, ଚାଳିଚଳଣି ଓ ପରିଧାନରେ ବି ଖାଣ୍ଟି ଓଡ଼ିଆଣୀ ହେବାକୁ ଚେଷ୍ଟା ଚଳାଇଛନ୍ତି ଏହି ବିଦେଶିନୀ । ଜର୍ମାନୀର ଉଲରିକ୍ ଜେସନ୍ । ଇଂଲଣ୍ଡର ଏକ ବିଶ୍ୱବିଦ୍ୟାଳୟରେ ଥିଲେ ସାଂକେତିକ ଭାଷାର ପ୍ରଫେସର । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିନ୍ଦୁରପୁର ଗାଁର ଦିବ୍ୟାଙ୍ଗ ଶିବାଜୀ ପଣ୍ଡା ବି ସେଠାରେ ପ୍ରଫେସର ଥିଲେ ।
ଶିବାଜୀ ଶୁଣିପାରନ୍ତିନି କି କହିପାରନ୍ତିନି । ତେବେ ଏକାଠି ଦୀର୍ଘ ବର୍ଷ କାମ କରିବା ଭିତରେ ଆଖିରେ ଆଖି ମିଶିଲା, ଆଉ ମନ ସହ ମନ । ୨୦୧୬ରେ ବିଦେଶର ମୋହ ତୁଟାଇ ନିଜ ଜନ୍ମମାଟିକୁ ଫେରିଆସିଲେ ଶିବାଜୀ । ଉଲୁଣ୍ଡା ବ୍ଲକ୍ ଲକ୍ଷ୍ମଣପୁରରେ ମହାନଦୀ କୂଳରେ ଇକୋ ଭିଲେଜ ପ୍ରତିଷ୍ଠା କଲେ । ଆଉ ଉଲରିକ୍ ବି ସେଠାକୁ ବୁଲିବାକୁ ଆସି, ଗୋଟାପଣେ ଓଡ଼ିଶା ପ୍ରେମରେ ପଡ଼ିଗଲେ । ଗତ ଜୁନରେ ଲଣ୍ଡନର ଏକ କୋର୍ଟରେ ବିବାହ କରିଛନ୍ତି ଶିବାଜୀ ଓ ଉଲରିକ । ବାହାଘର ବେଳେ ହାତରେ ମେହେନ୍ଦୀ ଓ ଚୁଡ଼ି, ଓ ସମ୍ବଲପୁରୀ ଶାଢ଼ି ପିନ୍ଧି ନବବଧୂ ବେଶରେ ସଜେଇ ହୋଇଥିଲେ ସାତ ଦରିଆ ସେପାରିର ଝିଅ । ଓଡ଼ିଶା ଫେରିବା ପରେ ତାଙ୍କୁ ହସଖୁସିରେ ସ୍ୱାଗତ କରିଥିଲେ ଶିବାଜୀଙ୍କ ପରିବାର ।
ବିଦେଶରେ ଲକ୍ଷାଧିକ ଟଙ୍କାର ଚାକିରି ଛାଡ଼ି ସୁବର୍ଣ୍ଣପୁର ମାଟିରେ ସୁନା ଫଳାଉଛନ୍ତି ଏଇ ନିଆରା ଦଂପତି । ଇକୋ ଭିଲେଜରେ ଜୈବିକ ପଦ୍ଧତିରେ ୬୦ ପ୍ରକାର ଗଛ ଲଗାଇଛନ୍ତି ଏବଂ ଶ୍ରବଣ ବାଧିତଙ୍କୁ ସାଂକେତିକ ଭାଷା ଶିଖାଇବା ପାଇଁ ସ୍କୁଲ ଖୋଲିଛନ୍ତି । ଜର୍ମାନୀର ଝିଅ, ଇଂଲଣ୍ଡର ପ୍ରଫେସର ଓ ଓଡ଼ିଶାର ବୋହୂ ଉଲରିକ । ଖାଲି ବହୁବିଧ ପରିଚୟ ନୁହେଁ, ସେ ବହୁ ପ୍ରତିଭାର ଅଧିକାରିଣୀ ବି । ଅବସର ସମୟ ମିଳିଲେ ପିଆନୋ ଓ ବଇଁଶୀ ଭିତରେ ନିଜକୁ ହଜାଇ ଦିଅନ୍ତି ଏହି ଅଧା ବିଦେଶିନୀ, ଅଧା ଓଡ଼ିଆଣୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)