Advertisment

୯ବର୍ଷ ପରେ କୁକର୍ମର ପ୍ରାୟଶ୍ଚିତ କଲା ମନ୍ଦିର ଚୋର

ବହୁ ଖୋଜାଖୋଜି ପରେ ଅଳଙ୍କାର ନମିଳିବାରୁ ଧଉଳି ଥାନାରେ ଏତଲା ଦେଇଥିଲେ ମନ୍ଦିର ପୂଜକ। ହେଲେ କିଛି ଲାଭ ହେଲାନି। କିନ୍ତୁ ୯ବର୍ଷ ପରେ...

author-image
Chandan Shishu
Thief returns stolen ornaments back

Thief returns stolen ornaments back

୯ବର୍ଷ ପରେ ନିଜ କୃତକର୍ମର ପ୍ରାୟଶ୍ଚିତ କଲା ମନ୍ଦିର ଚୋର। ନାଁ ଓ ପରିଚୟ ଗୋପନ ରଖି ଠାକୁରଙ୍କ ଗହଣା ସବୁ ଫେରାଇଛି, ଆଉ ଚିଠିରେ କେମିତି ହୀନସ୍ତା ହେଲାଣି ସେକଥା ବି ଲେଖିଛି। ସେଥିପାଇଁ ୧୦୧ଟଙ୍କା ଜରିମାନା ବି ଦେଇଛି। ରାଜଧାନୀ ଉପକଣ୍ଠ ଗୋପୀନାଥପୁର ଗାଁର ଏହି ଘଟଣାକୁ ଅଲୌକିକ ବୋଲି କହିଛନ୍ତି ମନ୍ଦିର ପୂଜକ ଓ ଅଞ୍ଚଳବାସୀ।

Advertisment

ମନକୁ ବାରମ୍ବାର ପାପ ଛୁଇଁଲା। ପ୍ରାୟଶ୍ଚିତ କରିବାକୁ ଆତ୍ମା ବି ଘାଣ୍ଟିହେଲା। ଆଉ ସମ୍ଭାଳି ପାରିଲାନି, ୯ବର୍ଷ ତଳେ ଚୋରି କରି ଆଣିଥିବା ଠାକୁରଙ୍କ ସବୁ ଅଳଙ୍କାର ଶେଷରେ ଗୋଟି ଗୋଟି କରି ଫେରାଇ ଦେଲା ଚୋର। ଘଟଣା ଅବିଶ୍ୱାସ ଲାଗୁଥିଲେ ବି ଅଲୌକିକ ବୋଲି କହି ବୁଲୁଛନ୍ତି ଖୋଦ୍ ରାଜଧାନୀ ଉପକଣ୍ଠ ଗୋପୀନାଥପୁର ଗାଁର ଗୋପୀନାଥ ଦେବ ମନ୍ଦିରର ପୂଜକ ଓ ଅଞ୍ଚଳବାସୀ। କଥା ଏଇଠି ସରିନି,  ଲୋକଲଜ୍ଜା ଡରରେ ଚୋର ସିନା ନିଜ ପରିଚୟ ଲୁଚେଇଛି, ହେଲେ ସେ ଜଣେ ଶିକ୍ଷିତ ବୋଲି ଧରାପଡ଼ିଛି।

ଗାଁର ଦେବେଶ ଚନ୍ଦ୍ର ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଘର ଆଗରେ ଅଳଙ୍କାର ସହ ସେ ଛାଡ଼ିଥିବା ଇଏ ସେହି ଇଂରାଜୀ ହାତଲେଖା ଚିଠି। ଯେଉଁଥିଲେ ଚୋର 
ଲେଖିଛି, ୨୦୧୪ ମସିହା ଯଜ୍ଞ ଦିନ ଅଳଙ୍କାର ଚୋରି କରି ଆଣିବା ପରଠୁ, ଢେର ହୀନସ୍ତା ହେଲାଣି। ବହୁ ହଇରାଣ ହରକତ ହେଲାଣି। ସେଥିପାଇଁ ସବୁ ଅଳଙ୍କାର ଫେରାଇବା ସହ ପ୍ରାୟଶ୍ଚିତ ବାବଦରେ ୧୦୧ ଟଙ୍କା ଜରିମାନା ଓ ୨୦୦ ଟଙ୍କା ନନାଙ୍କୁ ଦକ୍ଷିଣା ବି ଦେଇଛି।

Advertisment

ଘଟଣା ୨୦୧୪ ମସିହା ସାବିତ୍ରୀ ଅମାବାସ୍ୟା ଦିନର। ସେଦିନ ଗୋପୀନାଥଦେବଙ୍କ ପୀଠରେ ବିଶ୍ୱଶାନ୍ତି ଯଜ୍ଞ ସହ ରାଧାକୃଷ୍ଣଙ୍କ ବାହାଘର ଆୟୋଜନ ହୋଇଥିଲା। ମନ୍ଦିର ପୂଜକ କୈଳାସ ପଣ୍ଡା ଠାକୁରଙ୍କୁ ପିନ୍ଧାଇବାକୁ ରୂପା ମୁକୁଟ ଓ ରୂପା ଛତି ସହ ଏସବୁ ଅଳଙ୍କାର ମଣ୍ଡପ ପାଖରେ ଥୋଇ ଅନ୍ୟ କୌଣସି କାମରେ ଅନ୍ୟମନସ୍କ ଥିବାବେଳେ ଚୋର ଧରି ଚମ୍ପଟ ମାରିଥିଲା।

ବହୁ ଖୋଜାଖୋଜି ପରେ ଅଳଙ୍କାର ନମିଳିବାରୁ ଧଉଳି ଥାନାରେ ଏତଲା ଦେଇଥିଲେ ମନ୍ଦିର ପୂଜକ। ହେଲେ କିଛି ଲାଭ ହେଲାନି। କିନ୍ତୁ ୯ବର୍ଷ ପରେ ସେଇ ସାବିତ୍ରୀ ଯଜ୍ଞ ପୂର୍ବରୁ ହଠାତ୍ ଗତକାଲି ସକାଳେ ଏକ ଜରିରେ ବନ୍ଧା ସବୁ ଅଳଙ୍କାର ସହ ଚୋରର ପ୍ରାୟଶ୍ଚିତ ଚିଠି ମିଳିବା ପରେ ଏବେ ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, ଇଏ ଠାକୁରଙ୍କ ମହିମା ନୁହେଁ ତ ଆଉ କଣ।

Advertisment
Advertisment