• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ରାସ୍ତା ବୋର୍ଡରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଓଡ଼ିଶା ସୀମା ଶେଷ । ଆନ୍ଧ୍ର ପ୍ରଦେଶ ଆରମ୍ଭ । ସ୍କୁଲର ନାଁ ଦେଖିବା ପରେ ସ୍ପଷ୍ଟ ଜଣାଯାଉଛି କି ତାହା ଆନ୍ଧ୍ରର । ହେଲେ ସ୍କୁଲ ଭିତରେ ଓଡ଼ିଆରେ ଚାଲିଛି ପାଠ ପଢା । ଏମିତି ଦୃଶ୍ୟ ଦେଖିଲେ ଚମକିପଡ଼ିବେ  ଆଉ କହିବେ ଆନ୍ଧ୍ର ପିଲା ଓଡ଼ିଶାରେ କାହିଁକି ପଢୁଛନ୍ତି ପାଠ?

ସ୍କୁଲ ଆନ୍ଧ୍ରର, ପିଲା କିନ୍ତୁ ଓଡ଼ିଆରେ ପଢୁଛନ୍ତି ପାଠ । ତାହା ପୁଣି ପୂରା ପ୍ରାଂଜଳ ଭାବରେ । ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ପାରଳାଖେମୁଣ୍ଡିର ଗୋଟିଏ ଅଞ୍ଚଳ ଆନ୍ଧ୍ର ପ୍ରଦେଶର ମିଳିଆପୁଟି ରାଜସ୍ୱ ମଣ୍ଡଳରେ ମିଶିଯାଇଛି । ମହେନ୍ଦ୍ରତନୟା ନଦୀ ଗୋଟିଏ ପାର୍ଶ୍ଵ ଓଡ଼ିଶାରେ ରହିଯିବା ବେଳେ ଅପରପାର୍ଶ୍ଵ ଆନ୍ଧ୍ର ପ୍ରଦେଶର ପୁରୁଣାପାଟଣା ରାଜସ୍ୱ ମଣ୍ଡଳରେ ମିଶିଗଲା । ମିଳିଆପୁଟି ରାଜସ୍ୱ ମଣ୍ଡଳରେ ଥିବା ନାର୍ସନ୍ଦ୍ରା ଗାଁ ଆନ୍ଧ୍ରରେ ମିଶିଗଲା ସତ ହେଲେ ସେଠାକାର ଲୋକ ଓଡ଼ିଆ ଭାଷାକୁ ଭୁଲିଲେ ନାହିଁ କି ପରମ୍ପରାକୁ ବି ଭୁଲିଲେ ନାହିଁ ।

ଅଧିକ ପଢ଼ନ୍ତୁ: ଆନ୍ଧ୍ରରୁ ସବୁ ପାଉଛୁ, ଓଡ଼ିଶାରୁ କିଛି ପାଉନୁ...

ଓଡ଼ିଶାରେ ଥିବା ବେଳେ ଓଡ଼ିଆରେ କଥା ହେଉଥିଲେ, ଓଡ଼ିଆ ପଢୁଥିଲେ, ପରମ୍ପରାକୁ ବି ମାନୁଥିଲେ । ତେଣୁ ଏବେ ବି ଓଡ଼ିଶାକୁ ଭଲପାଉଛନ୍ତି, ନିଜ ପିଲାଙ୍କୁ ଓଡ଼ିଆରେ ପାଠ ବି ପଢାଉଛନ୍ତି । ଇଚ୍ଛା ଅଛି ଓଡ଼ିଶାରେ ସେମାନଙ୍କ ପିଲା ଚାକିରି କରନ୍ତୁ । ହେଲେ ବଡ଼ ଦୁଃଖର କଥା ହେଲା, ଓଡ଼ିଶା ସରକାରଙ୍କ ପକ୍ଷରୁ ସେମାନଙ୍କୁ ମିଳିପାରୁନି ବହି । କେବେ ବିଳମ୍ବରେ ବହି ମିଳେ ତ ଆଉ କେତେବେଳେ ଅଳ୍ପ ସଂଖ୍ୟାରେ । ସମସ୍ୟା ଏତିକିରେ ସରିନି ବରଂ ଓଡ଼ିଆ ଶିକ୍ଷକଙ୍କୁ ଠିକ୍‌ ସମୟରେ ଦରମା ବି ମିଳୁନି ।

ଜାଣିଆଶ୍ଚର୍ଯ୍ୟ ହେବେ ଓଡ଼ିଆ ଭାଷା ସଂସ୍କୃତିକୁ ନଭୁଲି ୧୨ ମାସରେ ୧୩ ପର୍ବ ପାଳନ କରୁଛନ୍ତି ସ୍ଥାନୀୟ ଲୋକେ । ତେବେ ଏତେ ସମସ୍ୟା ଭିତରେ ଥାଇ ମଧ୍ୟ ଓଡ଼ିଆ ଭାଷାଙ୍କୁ ବଂଚାଇବା ଲାଗି ଅନବରତ କରୁଛନ୍ତି ଚେଷ୍ଟା । ଆଉ କହିଛନ୍ତି, ଯଦି ସରକାରଙ୍କ ପକ୍ଷରୁ ସୁବିଧାସୁଯୋଗ ମିଳନ୍ତା ତେବେ ଆନ୍ଧ୍ରରେ ବି ଓଡ଼ିଆରେ ପିଲା ପାଠ ପଢନ୍ତେ ଆଉ ଓଡ଼ିଶାର ନା ରଖନ୍ତେ ।

ଗୋଟିଏ ପଟେ ଓଡ଼ିଶାର କୋଟିଆରେ ବାରମ୍ବାର ଅନୁପ୍ରବେଶ କରୁଛି ଆନ୍ଧ୍ର । ହେଲେ ଆନ୍ଧ୍ରରେ ଓଡ଼ିଆମାନେ ନିଜ ଭାଷା ବଂଚାଇକୁ ସରକାରଙ୍କୁ ମାଗୁଛନ୍ତି ସହାୟତା । ସମୟ କହିବ ଆନ୍ଧ୍ରରେ କେବେ ଓଡ଼ିଆଙ୍କୁ ମିଳୁଛି ଓଡ଼ିଶା ସରକାରଙ୍କ ସହାୟତା ।

(ପାରଳାଖେମୁଣ୍ଡିରୁ ଆଦର୍ଶ ଦାସଙ୍କ ରିପୋର୍ଟ)