• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମାନୁନି ଆନ୍ଧ୍ର, ପୁଣି ପଶିବାକୁ କରୁଛି ଉଦ୍ୟମ । ଏଥର ଆଖି ପଡିଛି କୋରାପୁଟ ନନ୍ଦପୁର ବ୍ଲକର ସୀମାନ୍ତବର୍ତ୍ତୀ ଗାଁ ଗୁଡିକ ଉପରେ । ଓଡ଼ିଶା ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଓ ରାଜନେତାଙ୍କ ଆନ୍ତରିକତା ଅଭାବର ସୁଯୋଗକୁ ନେଇ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଏବେ ବେଆଇନ ଭାବେ ଅନୁପ୍ରଦେଶ କରିବାରେ ଲାଗିଛି । ନିରୀହ ଆଦିବାସୀମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକଙ୍କୁ ଆକୃଷ୍ଟ କରୁଛନ୍ତି ।

ବର୍ଷବର୍ଷ ଧରି ପାହାଡି ଅଞ୍ଚଳରେ ୧୧ଟି ଆଦିବାସୀ ପରିବାର ବସବାସ କରି ଆସୁଛନ୍ତି । ରାଇପାଡ଼ ଗାଁ ଓଡ଼ିଶାରେ ରହିଥିଲେ ମଧ୍ୟ ବିଦ୍ୟୁତ, ପାଣି ଓ ଶିକ୍ଷା ଆଦି ସବୁ ସୁବିଧା ଆନ୍ଧ୍ର ସରକାର ଯୋଗାଇ ଦେଇ ଆସୁଛନ୍ତି । ଗାଁରେ ଆନ୍ଧ୍ର ସରକାର ଲୋକଙ୍କୁ ବିଦ୍ୟୁତ ସେବା, ପାନୀୟ ଜଳ , ଶିକ୍ଷା,ଆଧାର କାର୍ଡ ଭଳି ଅନେକ ସେବା NGO ମଧ୍ୟରେ ଯୋଗାଇ ଦେଇ ଆସୁଛନ୍ତି । ଆନ୍ଧ୍ର ପକ୍ଷରୁ ସବୁ ପାଉଛନ୍ତି ହେଲେ ଓଡ଼ିଶା ପକ୍ଷରୁ କିଛି ପାଉନଥିବା ଖୋଦ୍‌ ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଂଚଳବାସୀ ।

ଗାଁରେ ଅନେକ ପରିବାର ଅଛନ୍ତି ଯେଉଁମାନେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଛନ୍ତି । ଏଯାଏଁ ଗାଁର କୌଣସି ଗରିବ ପରିବାରକୁ ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ବି କରାଯାଇ ନାହିଁ । ଆନ୍ଧ୍ର ସରକାର NGO ମଧ୍ୟରେ ଗାଁ ଲୋକଙ୍କୁ ପାଇପ ପାଣିର ସୁବିଧା କରିଛନ୍ତି । ଗାଁ ଲୋକଙ୍କ ପାଖରେ ଉଭୟ ରାଜ୍ୟରୁ ଆଧାରକାର୍ଡ, ଭୋଟର କାର୍ଡ, ଖାଉଟି କାର୍ଡ ମଧ୍ୟ ରହିଛି । ତେବେ ଓଡ଼ିଶା ସରକାର ଅପେକ୍ଷା ଆନ୍ଧ୍ର ସରକାର ଅଧିକ ସହାୟତା ଯୋଗାଇ ଦେଉଛି ବୋଲି ଗାଁ ଲୋକେ କହିଛନ୍ତି ।

ରାଇପଡ଼ା ଗାଁ ସମସ୍ୟା ନେଇ ଆମେ ନନ୍ଦପୁର ବିଡ଼ିଓଙ୍କୁ ଫୋନରେ ଯୋଗାଯୋଗ କରିଥିଲୁ । ଆନ୍ଧ୍ର ଅନୁପ୍ରଦେଶ ସମ୍ପର୍କରେ ସେ ଅବଗତ ରହିଛନ୍ତି । ଖୁବଶୀଘ୍ର ଗାଁକୁ ଭଲ ରାସ୍ତା ଓ ପାନୀୟ ଜଳର ବ୍ୟବସ୍ଥା କରାଯିବା ସହିତ ଅନ୍ୟାନ୍ୟ କାମ ଗୁଡିକ ମଧ୍ୟ ଧୀରେ ଧୀରେ କରାଯିବ ଏବଂ ଲୋକେ ସଚେତନ ହେବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି ।

(କୋରାପୁଟ୍‌ରୁ ସୂର୍ଯ୍ୟ ନାରାୟଣ ପଣ୍ଡା)