/odishatv-khabar/media/post_attachments/uploadimage/library/16_9/16_9_0/PMAY_SCAM_1628439525.jpg)
PMAY SCAM
କୋରାପୁଟ: ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀକୁ ନେଇ ଜାରି ରହିଛି ରାଜନୈତିକ ଘମାସାନ । ଯୋଜନାରେ ଘୋଟାଲାକୁ ନେଇ ବିରୋଧୀ ଖଡ୍ଗହସ୍ତ । ରାଜ୍ୟ ସରକାରଙ୍କୁ ଘନ ଘନ ଆକ୍ରମଣ ସହ ସଂସଦରେ କଥା ଉଠାଇଲେଣି ବିଜପି ସାଂସଦ । ଏଣେ ଗ୍ରାଉଣ୍ଡ ଜିରୋରୁ ବି ବାଟବଣା ଯୋଜନାର ମାଳ ମାଳ ଚିତ୍ର ହସ୍ତଗତ ହେବାରେ ଲାଗିଛି । ଯାହାକି ‘ପ୍ରଗତି ପଥେ ଓଡ଼ିଶା’ର ସ୍ଲୋଗାନକୁ ଶକ୍ତ ଚାପୁଡ଼ା ମାରିଲା ଭଳି ଅନୁଭବ ହେଉଛି ।
ଚନ୍ଦାହାଣ୍ଡି ବ୍ଲକ୍ର ସାଲେବିଡ଼ି ଗାଁରେ ରହୁନ୍ତି ଭୁବନେ ଟିକିରିଆ । ପରିଣତ ବୟସରେ ପହଞ୍ଚିଲେଣି । ବୁଢ଼ା ବୟସରେ ସେ ବିନା କବାଟର ଘରେ ରହୁଛନ୍ତି । ପତ୍ନୀ ଯେଉଁଠି ରୋଷେଇ କରୁଛନ୍ତି, ଦେଖିଲେ ଲାଗୁଛି ଜୀବନ ଏକ ଭଙ୍ଗା କାନ୍ଥରେ ବାଜି ଲାଗିଛି । ଯୋଗ୍ୟ ହିତାଧିକାରୀ ଭାବେ ୨୦୧୮-୧୯ ଆର୍ଥିକ ବର୍ଷରେ ଭୁବନେଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମଂଜୁର ହୋଇଥିଲା । ହେଲେ ଗାଁର ଜଣେ ଠିକାଦାର ତାଙ୍କୁ ମିଛ ପ୍ରଲୋଭନ ଦେଖାଇ ଘର ତିଆରି କରିଦେବ କହି ସବୁ ଟଙ୍କା ନେଇଗଲା ଏବଂ ଅଧାଗଢ଼ା ଘର ତିଆର କରି ଛୁ ମାରିଲା । ଏଣେ ବ୍ଲକ୍ ଅଫିସରେ ତନାଘନା ପରେ, ଭୁବନେଙ୍କ ନାଁରେ ୪ଟି କିସ୍ତିରେ ୧ଲକ୍ଷ ୩୦ ହଜାର ଟଙ୍କା ଉଠିଛି । ଠକାମୀର ଶିକାର ହୋଇଥିବା ଜାଣିବା ପରେ ଚନ୍ଦାହାଣ୍ଡି ଥାନାରେ ଅଭିଯୋଗ କରିଛନ୍ତି ଭୁବନେ ।
Also Read
ସମାନ ଧରଣର ଠକାମୀର ଶିକାର ହୋଇଥିବା ଆଉଜଣେ ହିତାଧିକାରୀ ହେଲେ ବୋବରିଆ ଗାଁର ହିରାସିଂ ନାଗ । ତାଙ୍କ ଘର ଅବସ୍ଥା ଦେଖିଲେ ଆଖିରୁ ପାଣି ଝରିବ । ପିଏମ୍ଏଓ୍ୱାଇ ଯୋଜନାରେ ୨୦୧୯-୨୦ରେ ଘର ପାଇଥିଲେ । ତାଙ୍କୁ ବି ଘର କରିଦେବାକୁ ମିଛ ପ୍ରତିଶ୍ରୁତି ଦେଇ ସବୁ ଟଙ୍କା ନେଇ ଅଧାଗଢ଼ା ଅବସ୍ଥାରେ ଛୁ ମାରିଛି ଅସାଧୁ ଠିକାଦାର । ଖାଲି ସାଲେବିଡ଼ି, ବୋବରିଆ ନୁହେଁ ନୂଆପାରା ପଞ୍ଚାୟତକୁ ମିଶାଇ ଚନ୍ଦାହାଣ୍ଡି ବ୍ଲକର ପ୍ରାୟ ୨୦ରୁ ଅଧିକ ହିତାଧିକାରୀଙ୍କୁ ଏମିତି ଅସାଧୁ ଠିକାଦାର ଚୂନ ଲଗାଇଥିବା ଅଭିଯୋଗ ହୋଇଛି । ଏହାପରେ ଜୟପୁରରୁ ଭିଜିଲାନ୍ସ ବିଭାଗର ଏକ ଟିମ୍ କିଛିଦିନ ତଳେ ଆସି ତଦନ୍ତ ଆରମ୍ଭ କରଛି । ସ୍ଥାନୀୟ ବିଡିଓ ଏନେଇ ଗଣମାଧ୍ୟମ ସାମ୍ନାରେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନାହାନ୍ତି । ତଦନ୍ତ ଚାଲିଛି କହି କଥାକୁ ଏଡ଼ାଇ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)