• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଡ଼ ଦାଣ୍ଡରେ ଯାଗା ନାହିଁ । ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିବ । ହେଲେ ଏହା ସତ କଥା । ବଡ଼ ଦାଣ୍ଡରେ ରଥକାଠ ରଖିବାକୁ ଯାଗା ନାହିଁ । ସକାଳୁ ସକାଳୁ ଏକ ଟ୍ରକରେ ନୟାଗଡ଼ରୁ ୧୮ଟି ଧଉରା କାଠ ଆସି ପୁରୀ ବଡ଼ ଦାଣ୍ଡରେ ପହଞ୍ଚିଥିଲା । ହେଲେ ସେହି କାଠ କେଉଁଠି ଅନ୍‌ଲୋଡ ହେବ ସେଥିପାଇଁ ଚାଲିଥିଲା ତନାଘନା । ଅପରାହ୍ନ ୪ଟା ସୁଦ୍ଧା ଗାଡ଼ିରେ ସେମିତି ଲୋଡ୍‌ ହୋଇ ରହିଥିଲା ରଥ କାଠ । ଆଉ ଟ୍ରକଟି ଏବେ ବି ସେମିତି ବଡ଼ଦାଣ୍ଡରେ ଠିଆ ହୋଇ ରହିଛି ।

ଭକ୍ତଙ୍କ ପାଇଁ ବ୍ୟାରିକେଡ୍ କରାଯାଇଥିବାରୁ ଏବଂ ବ୍ୟାରିକେଡ୍ ପାଖରେ ଦୋକାନ ଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି । ଭକ୍ତଙ୍କ ସୁବିଧା ପାଇଁ କରାଯାଇଛି ବ୍ୟାରିକେଡ୍ । ପ୍ରଥମ ବ୍ୟାରିକେଡ୍ ଶ୍ରୀକୃଷ୍ଣ ସିନେମା ହଲ୍‌ ସମ୍ମୁଖ ଭାଗରେ ଥିବା ବେଳେ ଦ୍ୱିତୀୟ ବ୍ୟାରିକେଡ ପାପୁଡିଆ ମଠରୁ ମରିଚିକୋଟ ଛକ ଯାଏ ରହିଛି । ଏହି ବ୍ୟାରିକେଡ୍ ନିକଟରେ ରହିଛି ଅନେକ ଦୋକାନ । ତେଣୁ ରଥ କାଠ ରଖିବାରେ ସମସ୍ୟା ସୃଷ୍ଟି ହୋଇଛି ।

ଏହି କାରଣରୁ କାଠକୁ ଟ୍ରକ୍‌ରୁ ଅନ୍‌ଲୋଡ୍ ମଧ୍ୟ କରାଯାଇ ପାରିନାହିଁ । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ସବୁ ଦ୍ୱାର ଖୋଲା ଯାଇନଥିବାରୁ ଏହି ସମସ୍ୟା ହୋଇଥିବା ମଧ୍ୟ କୁହାଯାଉଛି । ସିଂହଦ୍ୱାରକୁ ଛାଡ଼ି ବାକି ଦ୍ୱାରରେ ମଧ୍ୟ ଭକ୍ତ ପ୍ରବେଶ କରିପାରିଲେ, ବଡ଼ଦାଣ୍ଡରେ ଆଉ ଭିଡ଼ ହୁଅନ୍ତା ନାହିଁ । ଦୋକାନଗୁଡ଼ିକୁ ହଟାଯିବା ପରେ ହିଁ କାଠ ରଖିବାର ଜାଗା ହେବ ବୋଲି କୁହାଯାଇଛି । ତେବେ ଏ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ କି ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

ଅନ୍ୟପଟେ ଏବେ କୋଭିଡ୍ କଟକଣା କୋହଳ ହେବା ପରେ ରବିବାର ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଏଣିକି ସପ୍ତାହର ସବୁ ଦିନ ଭଳି ପ୍ରତି ରବିବାର ବି ଭକ୍ତଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର । କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିର ସାନିଟାଇଜ କରିବା ପାଇଁ ଗତ ଦୁଇ ବର୍ଷ ଧରି ରବିବାର ଦିନ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହୁଥିଲା l