• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଯୁଗ ବଦଳିଛି, ଡାକସେବାର ଆଦର କମିଛି । ଚିଠିପତ୍ର ନିଜ ପରିଚୟ ହରାଇଥିବା ବେଳେ, ତଥାପି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଡାକବିଭାଗ ଉପରେ ନିର୍ଭର କରିବାକୁ ପଡେ । ଥରେ ଭାବିଲେ ଯେଉଁଠି ମୋବାଇଲ୍ ନେଟୱର୍କ ଆସୁନଥିବ, ସେଇଠି କେମିତି ସେବା ଯୋଗାଉଥିବ ଡାକବିଭାଗ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଦୁର୍ଗମ ଛେଲାଗଡ ଗାଁରେ । ଗାଁର ପୋଷ୍ଟ ଅଫିସରେ ନେଟୱର୍କ ଆସୁନଥିବାରୁ ପୋଷ୍ଟ ମାଷ୍ଟର ସୁଦର୍ଶନ ମିଶ୍ର ପ୍ରତିଦିନ ପାହାଡ ଉପରେ ମେଲାଇଥାନ୍ତି ଡାକସେବାର ପସରା । ପୋଷ୍ଟ ମାଷ୍ଟରଙ୍କ ବୟସ ପ୍ରାୟ ୬୩ ବର୍ଷ .. ତଥାପି ଥକିନି ପାଦ, କମିନି ଶରୀରର ଶକ୍ତି ।

ନେଟୱର୍କ ସୁବିଧା ନଥିବାରୁ ଲୋକଙ୍କୁ ସେବା ଯୋଗାଇବାକୁ ସବୁଦିନ ପାହାଡ ଚଢୁଛନ୍ତି ପୋଷ୍ଟମାଷ୍ଟର । ଘଟଣାଟି ହେଉଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଦୁର୍ଗମ ଛେଲାଗଡ ଗାଁର । ଏଠାକାର ପୋଷ୍ଟମାଷ୍ଟର ସୁଦର୍ଶନ ମିଶ୍ର ଛେଲାଗଡ ପୋଷ୍ଟମାଷ୍ଟର ବାବୁ ଭାବେ ବେଶ୍ ପରିଚିତ ।

ଦୁର୍ଗମ ଅଞ୍ଚଳରେ ଦୀର୍ଘ ୪୩ ବର୍ଷ ହେଲା ଲୋକଙ୍କୁ ସେ ଡ଼ାକ ସେବା ଯୋଗାଇ ଆସୁଛନ୍ତି । ଗାଁରେ ନେଟୱର୍କ ସୁବିଧା ନ ଥିବାରୁ ଅଫିସରେ ବସି ଅନ୍ ଲାଇନରେ କାମ କରିବା ସମ୍ଭବ ହେଉନି । ଏଣୁ ପ୍ରତ୍ୟେକ ଦିନ ଗାଁ ଠାରୁ ୪ କିମି ଦୂରରେ ଥିବା ଏକ ପାହାଡ ଚଢ଼ି ସେଠାରେ ବସି ଲୋକଙ୍କୁ ସମସ୍ତ ପ୍ରକାର ଡ଼ାକ ସେବା ଯୋଗାଉଛନ୍ତି ।

କାଳେ କାହାର ଜରୁରୀ ଚିଠି ରହିଯିବ କିମ୍ବା କାହାର କେଉଁ କାଗଜପତ୍ର, ଏଣୁ ବର୍ଷା ହେଉ କି ଖରା ସେ ପାହାଡ ଉପରେ ଆସି ଯୋଗାଇ ଥାଆନ୍ତି ଡାକସେବା ।

୧୯୮୦ ମସିହାରେ ମାତ୍ର ୧୦୧ ଟଙ୍କା ୫୦ ପଇସା ଦରମାରେ ଚାକିରି ଜୀବନ ଆରମ୍ଭ କରିଥିଲେ ମିଶ୍ର ବାବୁ । ୟା ଭିତରେ ୪୩ ବର୍ଷ ବିତିଲାଣି ଲୋକଙ୍କ ସେବାରେ । ଏବେ ବି ସେବା ମନୋବୃତ୍ତି ପୂର୍ବପରି ରହିଛି । ସେଇଥି ପାଇଁ ତ ପ୍ରତିଦିନ ଦିନକୁ ଦୁଇ ଥର ପାହାଡ ଚଢ଼ି ଯୋଗାଇ ଥାଆନ୍ତି ସେବା ।

ସକାଳୁ ସକାଳୁ ବିଭିନ୍ନ ଗାଁରୁ ଲୋକେ ଆସି ପାହାଡ ଉପରେ ତାଙ୍କୁ ଅପେକ୍ଷା କରିଥାନ୍ତି । ପୋଷ୍ଟ ମାଷ୍ଟର ବାବୁ ଆସିବା ପରେ ଚାଲେ ଡାକ କାମ ।