• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଦିବାସୀଙ୍କ ଭୂ-ସଂପତ୍ତି ହାତେଇବାକୁ ବଡ଼ ଚକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରେ କାମ କରୁଛି ଏକ ବଡ଼ ରାକେଟ୍ । ଖତିଆନ ଠାରୁ ପଟ୍ଟା ପର୍ଯ୍ୟନ୍ତ ରାତି ଅଧିଆ ସବୁ କିଛି ବଦଳି ଯାଉଛି । ଜଣେ ଆଦିବାସୀଙ୍କ ଜମିକୁ ସାଧାରଣ ବର୍ଗ ଦର୍ଶାଇ ଜାଲ୍ କାଗଜପତ୍ର କରି ବିକ୍ରି ଉଦ୍ୟମ ବେଳେ ଧରିଛନ୍ତି ବେଗୁନିଆ ସବରେଜିଷ୍ଟ୍ରର ।

ସ୍ଥାନୀୟ ତହସିଲଦାର ମଧ୍ୟ ଏକାଧିକ ପଟ୍ଟା ଜାଲ ହୋଇ ବିକ୍ରିବଟା ହୋଇଥିବା ସ୍ୱୀକାର କରିଛନ୍ତି । ଜିଲ୍ଲା ପ୍ରଶାସନ କହିଛି ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ମାତିଛନ୍ତି ଜମି ଦଲାଲ ... ଟାର୍ଗେଟରେ ଆଦିବାସୀ । ଚଂଚକତା କରି କିଭଳି ଆଦିବାସୀଙ୍କ ଜମି ହଡପ କରାଯାଉଛି, ଇଏ ତାର ପ୍ରମାଣ । ନଜର ପକାନ୍ତୁ ଏହି ଜମି ବିକ୍ରି କବଲା ଉପରେ । ବିକ୍ରେତା- ଖୋର୍ଦ୍ଧା ବେଗୁନିଆର ବ୍ରହ୍ମଚାରୀ ପ୍ରଧାନ । ଜାତି- ସଅର ।

ସଫା ସଫା ଲେଖାଯାଇଛି, ତଫସିଲ ଭୁକ୍ତ ଜାତି କିମ୍ବା ଉପଜାତି ନୋହୁଁ । ବ୍ରହ୍ମଚାରୀଙ୍କ ୫ଶହ ଡିସିମିଲର ସ୍ଥିତିବାନ ପ୍ଲଟକୁ କିଣିଛନ୍ତି ବେଗୁନିଆର ବିରୁପାକ୍ଷ ମଙ୍ଗରାଜ । ସମ୍ପତ୍ତିର ମୂଲ୍ୟ ୧ ଲକ୍ଷ ଟଙ୍କା । ତେବେ ପଟ୍ଟା ଯାଂଚ ବେଳେ ଜାଲିଆତି କରାଯାଇଥିବା ଜାଣିବାକୁ ପାଇଥିଲେ ବେଗୁନିଆ ସବରେଜିଷ୍ଟ୍ରର ଅମିତ କୁମାର ସେଠୀ ।

ଏନେଇ ତହସିଲଦାର ତାପସ କୁମାର ବିଶିଙ୍କୁ ଜଣାଇଥିଲେ । ଆଉ ତହସିଲଦାରଙ୍କ ଯାଂଚ୍ ବେଳେ ସାମ୍ନାକୁ ଆସିଥିଲା ଚଂଚକତା ପଛର ସତ । ସବରେଜିଷ୍ଟ୍ରରଙ୍କୁ ଚିଠି ଲେଖି ତହସିଲଦାର ଜଣାଇଛନ୍ତି ଯେ, ପଟ୍ଟା ସମ୍ପୂର୍ଣ୍ଣ ଜାଲ୍ । ଅନଲାଇନ୍ ଖତିଆନରେ ବି ଚଂଚକତା କରାଯାଇଛି । ଜମାନବନ୍ଦୀ ରେଜିଷ୍ଟ୍ରାରରେ ବ୍ରହ୍ମଚାରୀ ପ୍ରଧାନଙ୍କ ଜାତି ଶବର ଥିବା ବେଳେ, ତାକୁ ଜାଲ୍ କରି ସଅର, ସାଧାରଣ ବର୍ଗ କରାଯାଇଛି ।

କେବଳ ଏହି ଗୋଟିଏ ଘଟଣା ନୁହେଁ । ଏହି ଜାଲ କାରବାରର ଖୋଳତାଡ଼ କଲାବେଳେ ଏକ ବଡ଼ ଧରଣର ଆଦିବାସୀ ଜମି ହଡପ ଘଟଣା ସାମ୍ନାକୁ ଆସିଛି । ବେଗୁନିଆ ତହସିଲରେ ଆଦିବାସୀଙ୍କ ପଟ୍ଟାରେ ଜାତି ବଦଳାଇ ଦଲାଲ ୨୦ ଏକରରୁ ଅଧିକ ଜାଗା ହାତେଇ ନେଇଥିବା ଜଣାପଡିଛି । ସ୍ଥାନୀୟ ତହସିଲଦାର ଘଟଣାକୁ ସ୍ୱୀକାର କରିବା ସହ ଜାଲିଆତି ପଛରେ ତହସିଲ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ଏ ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ।

ସେପଟେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ପ୍ରଶ୍ନ ଉଠୁଛି, ଏହି ରାକେଟ୍ କେବଳ ଖୋର୍ଦ୍ଧା ଜିଲ୍ଲାରେ ସୀମିତ ନା ସାରା ରାଜ୍ୟକୁ ବ୍ୟାପିଛି ? ରାକେଟର ପର୍ଦାଫାସ କରିବାରେ ସକ୍ଷମ ହେବ ତ ଜିଲ୍ଲା ପ୍ରଶାସନ? ଧରାପଡିବେ ତ ଦଲାଲ ଓ ଜମି ହଡ଼ପକାରୀ ?

  • Reported by:
  • BALRAM LENKA