• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବ୍ରହ୍ମପୁର ମହାନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ରହିଛି ଶୌଚାଳୟ, ପରିଶ୍ରାଗାର । ସାଧାରଣ ଲୋକ,ବସ୍ତିବାସିନ୍ଦା ଓ ସହରକୁ ଆସୁଥିବା ଯାତ୍ରୀମାନଙ୍କ ସୁବିଧା ପାଇଁ ସହରର ବିଭିନ୍ନ ବଜାର, ସାହି ଓ ପୋଖରୀ ନିକଟରେ ଏହା ନିର୍ମାଣ ହୋଇଛି । ହେଲେ ସେଗୁଡିକର ରକ୍ଷଣାବେକ୍ଷଣ ଅଭାବରୁ ଏବେ କୌଣସି କାର୍ଯ୍ୟରେ ଆସୁ ନଥିବା ଅଭିଯୋଗ ହୋଇଛି ।

କେଉଁ ଶୌଚାଳୟର କବାଟ ତ କେଉଁଠି ଲେଟ୍ରିନ ଚଟାଣ ଭାଙ୍ଗି ଗଲାଣି । ଟ୍ୟାପ୍ ଠାରୁ ଆରମ୍ଭ କରି ଏହାର କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି । ଶୌଚାଳୟ ଉପରେ ଗଛ ଉଠିଲାଣି । ଭିତରେ ଅଳିଆ ଆବର୍ଜନା ପଡ଼ିରହିଛି । ଶୌଚାଳୟରେ ଲାଗିଥିବା ଟ୍ୟାପ୍ ଗୁଡ଼ିକ ନଷ୍ଟ ହୋଇଯାଇଛି ।
ବ୍ରହ୍ମପୁର ବଡ଼ବଜାର ଅଞ୍ଚଳ ପେଣ୍ଡୁରୁ ଗାଡ଼ଇ ମାର୍କେଟରେ ଥିବା ଶୌଚାଳୟର ଏଭଳି ଅବସ୍ଥା । ଠିକ ସେମିତି, ଗ୍ରାମଦେବତୀ ସାହି ବସ୍ତିବାସିନ୍ଦାଙ୍କ ପାଇଁ ତିଆରି ଶୌଚାଳୟର ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି । ଲେଟ୍ରିନର ଫ୍ଲୋରରେ ପଡ଼ିଥିବା ଗ୍ରାନାଇଟ୍ ଖଣ୍ଡ ଗୁଡ଼ିକ ବାହାରି ନଷ୍ଟ ହୋଇଗଲାଣି । ଏହା ଭିତରେ ପାଣି ମଧ୍ୟ ଠିକରେ ଆସୁ ନଥିବାରୁ ନଳକୂଅରୁ ପାଣି ନେଇ ଶୌଚ କରୁଛନ୍ତି ବସ୍ତି ବାସିନ୍ଦା ।

୩ ବର୍ଷ ତଳେ ୧୫ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚରେ ତିଆରି ଏହି ଶୌଚାଳୟ ଏବେ ଭଙ୍ଗାରୁଜା ଅବସ୍ଥାରେ ପଡିଛି । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରର ବଡ଼ବଜାର, ସାନବଜାର ସମେତ ୧୦ରୁ ଅଧିକ ବଜାରରେ ସାଧାରଣ ଲୋକ ତଥା ବ୍ୟବସାୟୀଙ୍କ ସୁବିଧା ପାଇଁ ଏଭଳି ଶୌଚାଳୟ ନିର୍ମାଣ ହୋଇଥିଲା । ହେଲେ ଏବେ ସେଗୁଡିକ ଭୂତକୋଠା ପାଲଟିଛି ।

୨ ବର୍ଷ ତଳେ ବ୍ରହ୍ମପୁର ଷ୍ଟାଡିୟମ ସମ୍ମୁଖ ତଥା ପୁରୁଣା ବସଷ୍ଟାଣ୍ଡ ନିକଟରେ ପରିସ୍ରାଗାର ନିର୍ମାଣ ହୋଇଥିଲା । ନୂଆ ଚକ୍ ଚକ୍ ଟଏଲେଟ ପ୍ୟାନ୍ ସହ ପାଣି ଟାଙ୍କି, ମୋଟର, ପାଇପ୍ ସବୁ ଖଞ୍ଜା ଯାଇଥିଲା । ପାଖାପାଖି ୪ ଲକ୍ଷ ୭୮ ହଜାର ଟଙ୍କା ବ୍ୟୟରେ ତିଆରି ହୋଇଥିଲା ପରିଶ୍ରାଗାର ।

ହେଲେ ଏବେ ମହାନଗର ନିଗମର ରକ୍ଷଣାବେକ୍ଷଣ ଅଭାବରୁ ଏହାର ସମସ୍ତ ଜିନିଷକୁ ଚୋରି କରିନେଇ ପଳାଇଛନ୍ତି ଦୁର୍ବୃତ୍ତ । ଫଳରେ ପାଣି ଆସୁ ନାହିଁ କି କୌଣସି ବ୍ୟବହାରରେ ଲାଗୁ ନାହିଁ । ବ୍ରହ୍ମପୁର ସହରର ଅନେକ ସ୍ଥାନରେ ନଷ୍ଟ ହେବାକୁ ବସିଲାଣି ଶୌଚାଳୟ ।

ସେପଟେ, ମହାନଗର ନିଗମ ପକ୍ଷରୁ ଏନେଇ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ ସୋନାଲ । ତେବେ ଶୌଚାଳୟ ଗୁଡ଼ିକର ରକ୍ଷଣାବେକ୍ଷଣା ପାଇଁ ପ୍ରଶାସନ ସମେତ ସାଧାରଣ ଲୋକେ ମଧ୍ୟ ଦାୟିତ୍ୱ ନେବା କଥା ବୋଲି ସେ କହିଛନ୍ତି ।