• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗଛ ଲଗାଇବା ସେମାନଙ୍କ ଦଶନ୍ଧି ପୁରୁଣା ନିଶା । ଦିନେ ପେଶା ଥିଲା ସରକାରୀ ଚାକିରି । ସେଥିରୁ ଅବସର ପରେ ନିଶା ଆହୁରି ଘାରିଲା । ପ୍ରକୃତି ପ୍ରେମରେ ଏମିତି ବୁଡ଼ିଗଲେ ଯେ, ବୟସ ବି ହାର ମାନିଲା ସେମାନଙ୍କ ମନୋବଳ ଓ ଇଚ୍ଛାଶକ୍ତି ଆଗରେ । ଜଣଙ୍କୁ ୮୦, ଆଉ ଜଣଙ୍କୁ ୭୫ । ହଜାରରୁ ଅଧିକ ଗଛ ଲଗାଇସାରିଛନ୍ତି, ଅଭିଯାନ ଏବେବି ଜାରି ଅଛି । ଜାଣିବା ଇସ୍ପାତନଗରୀ ରାଉରକେଲାରେ ସବୁଜିମାର ଜୁଆର ଆଣିଥିବା ଦୁଇ ପରିଣତ ବୟସ୍କ ବନ୍ଧୁଙ୍କ ନିଆରା କାହାଣୀ ।

ବୟସକୁ ଭୁଲାଇ ଦେଇଛି ବୃକ୍ଷରୋପଣର ନିଶା । ଜଣେ ଅଶୀତପର, ଆଉ ଜଣେ ବିତାଇ ସାରିଲେଣି ୭୫ଟି ବସନ୍ତ । ହେଲେ ଏହି ଦୁଇ ବନ୍ଧୁଙ୍କ ପାଇଁ ବୟସ ସତେକି କେବଳ ସଂଖ୍ୟାଟିଏ ମାତ୍ର । ସେମାନେ ଏବେବି ଚଳଚଞ୍ଚଳ, ମନରେ ଅମାପ ବଳ । ରାଉରକେଲା ସିଭିଲ୍ ଟାଉନସିପ ଅଞ୍ଚଳର ଦୁଇ ବନ୍ଧୁ ଗୋବିନ୍ଦ ଚନ୍ଦ୍ର ସାହୁ ଓ କୈଳାସ ଚନ୍ଦ୍ର ସ୍ୱାଇଁ । ଏମିତି ଆରମ୍ଭ ହୁଏ ଦୁହିଁଙ୍କର ସବୁଜ ସକାଳ । ସ୍କୁଟି ଆଗରେ ଥୁଆ ହୁଏ ଚାରା, କାନ୍ଧରେ ଲଦାହୁଏ ବିଡ଼ାଏ ବାଉଁଶବତା । କିଛି ସମଭାବାପନ୍ନ ସହଯୋଗୀଙ୍କ ସହ ମିଶନରେ ବାହାରି ଯାଆନ୍ତି ଦୁଇ ସବୁଜ ସୈନିକ ।

ରାସ୍ତା କଡ଼ ଫାଙ୍କା ସ୍ଥାନରେ ନିଜେ ଶାବଳରେ ଗାତ ଖୋଳି ଗଛ ଲଗାନ୍ତି, ଖତ ପାଣି ଦିଅନ୍ତି ଓ ବାଡ଼ ବି ଘେରାନ୍ତି । ଦିନେ ଗୋବିନ୍ଦ ଓ କୈଳାସ ଲଗାଇଥିବା ଚାରା ଆଜି ଶାଖା ପ୍ରଶାଖା ମେଲି ବିରାଟ ଦ୍ରୁମ ପାଲଟିଲାଣି । ହେଲେ ଟିକିଏବି ଉତୁରିନି ଏହି ଦୁଇ ଯୁବସୁଲଭ ପରିଣତ ବୟସ୍କଙ୍କ ଦଶନ୍ଧି ପୁରୁଣା ନିଶା ।
ପାନପୋଷ ଛକରୁ ତରକେରା, ହକି ଛକ ଠାରୁ ହନୁମାନ ବାଟିକା, ଆଉ ତା ସହିତ ସିଭିଲ୍ ଅଞ୍ଚଳର ଅନେକ ପାର୍କ । ସବୁଠି ଦେଖିବାକୁ ମିଳେ ଏହି ୨ ଗଛ ମଣିଷଙ୍କ ବର୍ଷ ବର୍ଷ ତପସ୍ୟାର ସବୁଜ ସ୍ୱାକ୍ଷର । ଏଥିପାଇଁ ସେମାନଙ୍କୁ ମିଳିଛି ଅନେକ ପ୍ରଶଂସା ଓ ପୁରସ୍କାର ।

ସରକାରୀ ଚାକିରିରୁ ଅବସର ପରେ ବିଶ୍ରାମକୁ ପାଶୋରି, ଅଭିଯାନକୁ ଆହୁରି ଜୋରଦାର କରିଛନ୍ତି ଉଭୟେ । ଭୁଲି ଯାଇଛନ୍ତି ବୟସର ହିସାବ ରଖିବାକୁ । ଏଥିରୁ ପ୍ରେରଣା ପାଇଁ ରାଉରକେଲାର ଆହୁରି କିଛି ପ୍ରକୃତି ପ୍ରେମୀ ନିଜକୁ ସାମିଲ କରିଛନ୍ତି ଏହି ସବୁଜ ବିପ୍ଳବରେ ।
 

 

  • Reported by:
  • PAWAN TIWARI