• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜ୍ୟରେ ବାଲିକୁ ନେଇ ବିଚିତ୍ର ସ୍ଥିତି । ଗୋଟିଏ ପଟେ ମେସିନ୍ ଦ୍ୱାରା ବାଲିଉଠାଣ ଉପରେ ହାଇକୋର୍ଟଙ୍କ ରୋକ୍ ଲାଗିଛି, କିନ୍ତୁ ନିର୍ଦ୍ଦେଶ ପାଳନ ପାଇଁ ଥିବା ବ୍ୟବସ୍ଥାର ନିଷ୍କ୍ରିୟତା ପାଇଁ କିଛି ସ୍ଥାନରେ ବେଧଡ଼କ କାରବାର ବି ଚାଲିଛି । ଖୁଲମଖୁଲ୍ଲା ବାଲି ଉଠାଇ କଟକଣା ଆଳରେ ବେପାରୀ ମାଲାମାଲ୍ ହେଉଛନ୍ତି । ହେଲେ ପୂର୍ବାପେକ୍ଷା ୩-୪ ଗୁଣା ଦରରେ ବାଲି କିଣି ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା । ସବୁ ଦେଖି ମଧ୍ୟ ସରକାର ନିଦାବିଷ୍ଣୁ ।

ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅଛି ମେସିନରେ ନଦୀରୁ ବାଲି ଉଠା ହୋଇପାରିବନି । ସ୍ପଷ୍ଟ ଦିବା ଲୋକରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁରେ ଉଡ଼ାଇ ଏଠି ଖାଲି ଜେସିବି ସହାୟତାରେ ନୁହେଁ, ନଈ ଭିତରୁ ଶକ୍ତିଶାଳୀ କମ୍ପ୍ରେସର ଲଗାଇ ବି ବାଲି ଉଠୁଛି । ଯାଜପୁର ଜିଲ୍ଲାର ବୈତରଣୀ, ଖରସ୍ରୋତା, ବୁଢ଼ା ଆଦି ବିଭିନ୍ନ ନଦୀ ଘାଟରୁ ଏମିତି ବାଲି ଉତ୍ତୋଳନ ହୋଇ ଦିନ ରାତି ଟ୍ରକ୍ ଟ୍ରକ୍ ଚାଲାଣ ହେଉଛି ।

କେନ୍ଦୁଝର ଦେଓଗାଁ କୁଶେଇ ନଦୀ ଘାଟରେ ବି ସମାନ ସ୍ଥିତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାମଗ୍ରିକ ଭାବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ତ ଅଛି । ତା ସାଙ୍ଗକୁ ଏଠି ମେସିନ୍ ଦ୍ୱାରା ଏକ୍ସେସ୍ ମାଇନିଂର ଅଭିଯୋଗର ତଦନ୍ତ ପାଇଁ ଗ୍ରୀନ ଟ୍ରିବୁଲାନଙ୍କ ନିର୍ଦ୍ଦେଶ ବି ରହିଛି । ତା ସତ୍ତ୍ୱେ ବି ସବୁ ନିୟମ କାନୁନର ଧଜିଆ ଉଡ଼ାଇ ଏଠି ଏମିତି ବାଲି ଉଠାଣ ଆଉ ଚାଲାଣ ଚାଲିଛି ।

ବଡ଼ କଥା ହେଉଛି, ସବୁଠି ଯେମିତି ସବୁ ଦେଖି କିଛି ନଦେଖିଲା ଭଳି ଆଚରଣ କରୁଛି ସ୍ଥାନୀୟ ପ୍ରଶାସନ । କାରଣ ରାଜସ୍ୱ ବିଭାଗ ଅଧିନରେ ଥିଲା ବେଳେ ସ୍ଥାନୀୟ ସ୍ତରରେ ଯାହା କିଛି ରେଡ୍ ହେଉଥିଲା, ବାଲି ଲିଜ୍ ମାମଲା ଖଣି ବିଭାଗ ଅଧିନକୁ ଯିବା ପରଠୁ ଆଉ ସେମିତି ରେଡ୍ ନାହିଁ । ଧରପଗଡ଼ ନଥିବାରୁ ଯିଏ, ଯେମିତି ପାରିଲା ଖୋଳିଲା, ଚାଲାଣ କଲା ।

ଏପଟେ ମେସିନରେ ଖନନ ସମ୍ଭବ ନୁହେଁ ଦର୍ଶାଇ ଗତ ୧୧ ତାରିଖରୁ କଟକ ସହରର ଅଧିକାଂଶ ବାଲିଘାଟ ବନ୍ଦ ରହିଛି । ତେଣୁ ବାଲି ଏବେ ଅମୂଲ ମୂଲ ପାଲଟିଛି । ଚୋରାରେ ବିଭିନ୍ନ ସ୍ଥାନରୁ ଉଠୁଥିବା ବାଲି ସଂଗ୍ରହ କରି ମନ ଇଛା ଦର କଷୁଛନ୍ତି ବାଲି ବ୍ୟବସାୟୀ । କଟକ ସହରରେ ଆଗରୁ ଯେଉଁ ହାଇୱା ଟ୍ରିପ୍ ପିଛା ବାଲି ଦର ୫ ହଜାରରେ ମିଳୁଥିଲା, ଘରଟିଏ କରୁଥିବା ବ୍ୟକ୍ତିଟିଏ କାନ ମୁଣ୍ଡା ଆଉଁସି ଟ୍ରିପ୍ ପିଛା ୧୩ ହଜାରରୁ ୧୪ ହଜାର ଟଙ୍କା ଦେବାକୁ ବାଧ୍ୟ ହେଉଛି ।

କେବଳ ସେତିକି ନୁହେଁ, ବାଲିଘାଟ ବନ୍ଦ ପାଇଁ ଗାଡ଼ି ମାଲିକ ଓ ଡ୍ରାଇଭରଙ୍କଠୁ ଆରମ୍ଭ କରି ଏହି ବ୍ୟବସାୟରେ ଚଳୁଥିବା ଲୋକେ ବି ହାତ ବାନ୍ଧି ବସିଛନ୍ତି । ଏସବୁ ଭିତରେ ଏବେ ପ୍ରଶ୍ନ ବାଲିକୁ ନେଇ ରାଜ୍ୟରେ ସୃଷ୍ଟି ହୋଇଥିବା ଏ ବିଚିତ୍ର ସ୍ଥିତି ପାଇଁ ଦାୟୀ କିଏ? ମେସିନ୍ ସହାୟତାରେ ବାଲି ଉଠାଣ ଉପରେ ହାଇକୋର୍ଟ ଅନ୍ତରୀଣ ରୋକ୍ ଲଗାଇଥିଲେ ବି ତାର ବିକଳ୍ପ ବ୍ୟବସ୍ଥା କରିବା ଦାୟିତ୍ୱ କାହାର?

  • Reported by:
  • PRAVAT BISOI , Sanjip ku. Nayak