• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଲାଗି ଆଜିଠୁ ଆରମ୍ଭ ହେବ କାର୍ଯ୍ୟକ୍ରମ । ଆଜି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଶ୍ରୀନଅରଠାରେ ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିବେ । ଗୁଆଟେକା କାର୍ଯ୍ୟ ପରେ ଅଙ୍କୁରରୋପଣ ହେବ । ଆସନ୍ତାକାଲି ଦିନ ୧୧ଟାରୁ ରାତି ୮ଟା ଯାଏଁ ଅଙ୍କୁରପୂଜନ ହେବ ।

୧୪ ତାରିଖରେ ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜାସ୍ଥାପନ ଓ ତୋରଣ ସ୍ଥାପନ ହେବ । ୧୫ ତାରିଖ ସକାଳ ସାଢ଼େ ୭ଟାରେ ଅଖଣ୍ଡଦୀପ ସ୍ଥାପନ ସନ୍ଧ୍ୟା ୬ଟା ଭିତରେ ପଞ୍ଚକର୍ମ ସରିବ । ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ ହେବ ।

ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦପାରାୟଣ ଏବଂ ଅନ୍ତପ୍ରଦକ୍ଷିଥ ପଥରେ ନାମ ସଂକୀର୍ତ୍ତନ, ହବନ, ଆରତୀ ଓ ପୁଷ୍ପାଞ୍ଜଳି ଆଦି ହେବ । ୧୬ରେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ଶାଳା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ପୁଷ୍ପାଞ୍ଜଳି, ଆରତୀ, ହବନ ଓ ସଂକୀର୍ତ୍ତନ ହେବ ।

୧୭ ତାରିଖ ବୁଧବାର ସକାଳ ୭ଟାରୁ ଆରମ୍ଭ ହୋଇଯିବ ପୂଜା ଓ ପ୍ରତିଷ୍ଠା କାର୍ଯ୍ୟ । ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ଶୁଭ ମୁହୂର୍ତ୍ତରେ ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଦିନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଯଜ୍ଞ ପୂର୍ଣ୍ଣାହୂତି ଦେବେ ।

ଅପରାହ୍ନ ୩ଟା ପରେ ପରିକ୍ରମା ମାର୍ଗକୁ ଯାଇପାରିବେ ସାଧାରଣ ଶ୍ରଦ୍ଧାଳୁ । ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୫ ଥାକିଆ ସୁରକ୍ଷା ବ୍ୟବସ୍ଥାରେ ୪୪ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି ।

୪୪ ପ୍ଲାଟୁନ ପୋଲିସ ଫୋର୍ସରେ ୫ ଜଣ ଆଡିସନାଲ ଡିଏସପି, ୧୦ ଜଣ ଡିଏସପି, ୩୦ ଜଣ ଇନିସପେକ୍ଟର ଓ ୧୪୦ ଜଣ ଏସଆଇ କିମ୍ବା ଏଏସଆଇ ରାଙ୍କର ପୋଲିସ ଅଫିସର ରହିବେ । ପ୍ରକଳ୍ପ ପରିସୀମା ଭିତରେ ୧୩୫ ଟି ସିସିଟିଭି ଲଗାଯାଇଛି । ଭକ୍ତମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ ସେ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଛି ।

ଆସନ୍ତା ୧୨ରୁ ୧୫ ଓ ୧୬ରୁ ୧୭ ତାରିଖ ଯାଏଁ ଦୁଇଟି ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଟ୍ରାଫିକ ନିୟନ୍ତ୍ରଣ ଓ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯଜ୍ଞସ୍ଥଳ ଓ ବେଦପାଠ ସ୍ଥାନରେ ସର୍ବାଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।