• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସିଲାଣି ପର୍ଯ୍ୟଟନ ଋତୁ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ସଠିକ୍ ବିନିଯୋଗ ଅଭାବରୁ ଏହା କୌଣସି କାମରେ ଲାଗୁନାହିଁ । ଏଇ ଯେମିତି କେନ୍ଦ୍ରାପଡା ସହରରେ ୨୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଗୋବିନ୍ଦଜୀଉ ମନ୍ଦିର ନିକଟ ପାନ୍ଥଶାଳା । ନିର୍ମାଣ ତ ହୋଇଗଲା । ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିବା ସହ ଭୂତକୋଠି ପାଲଟି ଗଲାଣି ।

କେଉଁଠି କାନ୍ଥ ଫାଟି ଉଇ ଲାଗି ଗଲାଣି ତ ଆଉ କେଉଁଠି ଭାଙ୍ଗିରୁଜି ଗଲାଣି କବାଟ ଝରକା । ଶୌଚାଳୟ କଥା ନକହିଲେ ଭଲ । ବାହାରୁ ଦେଖିଲେ ଯାହା ଭିତରୁ ଅବସ୍ଥା ଆହୁରି ଖରାପ । କେନ୍ଦ୍ରାପଡ଼ା ପୌରାଞ୍ଚଳ ୧୯ ନମ୍ୱର ୱାଡ଼ରେ ଥିବା ପାନ୍ଥଶାଳା । ପର୍ଯ୍ୟଟକଙ୍କ ରହଣି ସୁବିଧା ଲାଗି ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଭୂତକୋଠି ପାଲଟିଲାଣି ।

ପାନ୍ଥଶାଳା ଭିତରେ ସବୁକିଛି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ବାହାର ପଟୁ ଅନାବନା ଗଛ ମାଡ଼ିଯିବାରୁ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ରକ୍ଷଣାବେକ୍ଷଣ ଅଭାବରୁ ଆଜି ଏହାର ଏଭଳି ସ୍ଥିତି । ଦୀର୍ଘ ଦିନ ହେଲା ବନ୍ଦ ପଡ଼ିବାରୁ ପାନ୍ଥଶାଳା ଏବେ ଅସାମାଜିକଙ୍କ ଆଡାସ୍ଥଳୀ ପାଲଟି ଗଲାଣି ।

୨୨ ଲକ୍ଷ ଟଙ୍କା ବ୍ୟୟରେ ୭ ବର୍ଷ ତଳେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ପାନ୍ଥଶାଳା ନିର୍ମାଣ କରା ଯାଇଥିଲା । ମାତ୍ର ନିର୍ମାଣ ପରଠାରୁ ଆଜି ଯାଏଁ ଏହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଭିତରେ ଥିବା ଆସବାବପତ୍ର ସବୁ ଖତ ଖାଇବାକୁ ବସିଥିବା ବେଳେ ବିଦ୍ୟୁତ୍ ସରଞ୍ଜାମ ସବୁ ଚୋରି ହୋଇଗଲାଣି । ଏନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ପ୍ରତିବାଦରେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଏ ସମ୍ପର୍କରେ ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କୁ ଯୋଗାଯୋଗ କରା ଯାଇଥିଲେ ମଧ୍ୟ ସେ ଏନେଇ ପ୍ରତିକ୍ରିୟା ଦେଇନାହାନ୍ତି । ଅନ୍ୟପଟେ ତୁରନ୍ତ ଏହାର ପୁନରୁଦ୍ଧାର କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ବତ୍ତର୍ମାନ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବା ବେଳେ ତୁରନ୍ତ ଏହି ପାନ୍ଥନିବାସର ପୁନରୁଦ୍ଧାର ହେଲେ ପର୍ଯ୍ୟଟକ ମାନେ ଉପକୃତ ହୋଇ ପାରିବେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।