• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେଉଁଠି ବନ୍ୟା ଧୋଇନେଲା ଧାନ ତଳି ତ ଆଉ କେଉଁଠି ସାରର ଅଭାବି ବିକ୍ରି । ଯାହାଫଳରେ ଚିନ୍ତାରେ ପଡ଼ିଛି ଚାଷୀ । ଏବେ ଖୋର୍ଦ୍ଧା ଜିଲ୍ଲା ଜୟଦେବ ନିର୍ବାଚନ ମଣ୍ଡଳି ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି ବନ୍ୟା । ଏହି ଅଞ୍ଚଳକୁ କେନାଲ ପାଣି ଆସୁନଥିବାରୁ ଚାଷୀ ବର୍ଷକୁ ଗୋଟିଏ ସାରଦ ଧାନ ଚାଷ କରି ପରିବାର ପ୍ରତିପୋଷଣ କରେ । ହେଲେ ସେହି ଧାନଚାଷକୁ ଏବେ ବନ୍ୟା ଉଜାଡି ଦେଇଛି ।

ସେପଟେ ବାଲେଶ୍ୱର ନୀଳଗିରି ଅଞ୍ଚଳର ଚାଷୀଙ୍କୁ ସଠିକ ମାତ୍ରାରେ ମିଳୁନି ସାର । ଯାହା ବି ମିଳୁଛି ଚଢା ଦରରେ । ଏଭଳି ଅଭିଯୋଗ ଉଠାଇଛନ୍ତି ଖୋଦ୍‌ ଚାଷୀ ।

ଏବେ ପଚି ଷଢ଼ି ବିଲରେ ପଡିଛି ଧାନ ଗଛ । ରୁଆ ସରିଥିବା ଧାନ ଜମି ଏବେ ଫାଙ୍କା ପଡିଛି । ବନ୍ୟା ଧୋଇ ନେଇଛି ସବୁ କିଛି । ଧାର କରଜ ଓ ଋଣ ଟଙ୍କା କିପରି ସୁଝିବେ ଚାଷୀ ? କେମିତି ବର୍ଷ ତମାମ ପରିବାର ପୋଷଣ କରିବେ ସେହି ଚିନ୍ତାରେ ଚାଷୀ । ଖୋର୍ଦ୍ଧା ଜିଲ୍ଲା ଜୟଦେବ ନିର୍ବାଚନ ମଣ୍ଡଳୀ ଅଞ୍ଚଳର ଚାଷ ଜମିର ଦେଖିଲେ ଆଖିରୁ ଆପେ ଲୁହ ଗଡ଼ିଆସିବ । ମୁଖ୍ୟତଃ ଧାନ ଚାଷ ଏଠାକାର ଚାଷୀଙ୍କ ମୁଖ୍ୟ ଫସଲ । ସେହି ଚାଷରୁ ଯାହା ଆୟ ହୁଏ, ଚାଷୀ ବର୍ଷ ତମାମ୍ ପରିବାର ଚଳାଏ ।

ଚଳିତବର୍ଷ ଚାଷୀର ସେହି ଭାତ ହାଣ୍ଡି ସାରଦ ଧାନ ଫସଲକୁ ଉଜାଡ଼ି ଦେଇଛି ବନ୍ୟା । ଭାର୍ଗବୀ ନଦୀର ଅଚ୍ୟୁତପୁର ନାଳ ଦେଇ ବନ୍ୟାପାଣି ଆସି ଦୁଇ ସପ୍ତାହ ଧରି ଧାନ କ୍ଷେତରେ ଜମି ରହିଲା । ଫଳରେ କଅଁଳିଆ ଧାନ ଗଛ ପଚି ସଢ଼ି ନଷ୍ଟ ହୋଇଯାଇଛି । ଏବେ ସରକାର କ୍ଷତିପୂରଣ ଯୋଗାଇ ଦେବାକୁ ଚାଷୀ ମହଲରେ ଦାବି ଉଠିଛି । 

ସେପଟେ ବାଲେଶ୍ୱରରେ ଚାଷୀଙ୍କୁ ଘାରିଛି ସାର ଚିନ୍ତା । କିଏ କାନ୍ଧରେ ତ, କିଏ ସାଇକେଲରେ । ଯାହା ସାର ପାଉଛନ୍ତି ବୋହି ନେଉଛନ୍ତି । ହେଲେ ଚାହିଦା ଅନୁଯାୟୀ ସାର ସେଭଳି ମିଳୁ ନଥୁବା ଅଭିଯୋଗ କରିଛନ୍ତି ଚାଷୀ । ବାଲେଶ୍ୱର ନୀଳଗିରି ଏନଏସି ଅଧିନ ୪ ନମ୍ବର ଓ୍ୱାର୍ଡ ମିରିଗିଣୀ ଅଞ୍ଚଳର ଚାଷୀ ସାରଥୀ ବେହେରା କହିଛନ୍ତି, ସାର ଆଣିବାକୁ ନୀଳଗିରି ଯାଇଥିଲେ ହେଲେ ଦୋକାନୀ ସାର ଅଭାବ ଥିବା କହିବା ସହ ଅନ୍ୟ ଏକ ସମୟରେ ଆସିବାକୁ କହିଛନ୍ତି । କେବଳ ଏହି ଜଣେ ଚାଷୀ ନୁହଁନ୍ତି, ଔପଦା ଅଞ୍ଚଳର ଚାଷୀ ମଧ୍ୟ ଚଢା ଦରରେ ସାର କିଣୁଥିବା ଅଭିଯୋଗ କରିଛନ୍ତି ।

 

OTV is now on Whatsapp

Join and get latest news update delivered to you via whatsapp

Join Now