/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699096200.jpg)
farmer is missing
କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର, କିନ୍ତୁ ଏବେ ଏହି ଉକ୍ତିର ଆଉ ପ୍ରାସଙ୍ଗିକତା ନଥିବା ଭଳି ମନେ ହେଉଛି । ଏବେ ଚାଷ ଅଛି ଯାହାର, କି ଦୁଃଖ ତାହାର କହିଲେ କିଛି ଭୁଲ୍ ହେବ ନାହିଁ । ଏହାର ଏକ ସଦ୍ୟ ଉଦାହାରଣ ହେଉଛନ୍ତି ବାସୁଦେବପୁର ଅଞ୍ଚଳର ଜଣେ ଚାଷୀ । ଚାଷ କରି ଖୁସି ଖୋଜୁ ଖୋଜୁ ଏବେ ସେ ନିଖୋଜ ହୋଇଯାଇଛନ୍ତି ।
ଚାଷରେ ପୋକ ଲାଗିଲା । ପରେ ପରେ ପାଣି ଅଭାବରୁ ବିଲ ବି ଶୁଖିଗଲା, ଚିନ୍ତା ବଢ଼ିଲା । ଫସଲରେ ଯେତିକି ଖର୍ଚ୍ଚ ହୋଇଛି, ସେତିକି ଉଠିବ କି ନାଇଁ ସନ୍ଦେହ । ଏମିତି ଚିନ୍ତା କରି ଘର ଛାଡି କୁଆଡେ ଚାଲି ଯାଇଛନ୍ତି ଏହି ଚାଷୀ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଚୁଡାମଣି ଗ୍ରାମପଞ୍ଚାୟତ ଘଡେଇ ସାହିରେ ।
ଏହି ଗାଁର ଭାବଗ୍ରାହୀ ଦାସଙ୍କର ନିଜସ୍ୱ ଚାଷ ଜମି ନାହିଁ । ପରିବାର କହିଲେ ୩ ଝିଅ ଏବଂ ଗୋଟିଏ ପୁଅ । ପରିବାର ପ୍ରତିପୋଷଣ ପାଇଁ ଭାଗ ବଖରା ହିସାବରେ ୪ଏକର ଜମିରେ ଧାନ ଚାଷ କରିଥିଲେ । ହେଲେ କମ୍ ବର୍ଷା ଯୋଗୁଁ ଗଜା ମରୁଡି ତ ହେଲା, ପରେ ପରେ ଚକଡା ପୋକ ଦାଉ ସାଧିଲା ।
ଚକଡା ପୋକକୁ ନିପାତ କରିବାକୁ ଭାବଗ୍ରାହୀ ବିଭିନ୍ନ ପ୍ରକାର କୀଟନାଶକ ପ୍ରୟୋଗ କରି ହାଲିଆ ହୋଇପଡିଥିବା ବେଳେ ଏବେ ବର୍ଷା ଅଭାବରୁ ଧାନ ଜମିରେ ପାଣି ନାହିଁ । ଏପଟେ ଧାନର ଥୋଡ ବାହାରିବା ସମୟ, ସେପଟେ ଚକଡା ପୋକଙ୍କ ଦାଉ । ଏଥିରୁ ରକ୍ଷା ପାଇଁ କୀଟନାଶକ ପ୍ରୟୋଗ ସହ ଜମିରେ ପାଣି ପଡ଼େଇବାକୁ ପଡ଼ିବ । ହେଲେ ଟଙ୍କା ଆସିବ କୁଆଡୁ ।
ଟଙ୍କା ଯୋଗାଡ଼ ହୋଇନପାରିବାରୁ ପତ୍ନୀଙ୍କ ସହ ଭାବଗ୍ରାହୀଙ୍କର ଝଗଡ଼ା ହୋଇଥିବା କୁହାଯାଉଛି । ଏଭଳି ପରିସ୍ଥିତିରେ ମାନସିକ ଭାରସାମ୍ୟ ହରାଇ ଭାବଗ୍ରାହୀ ଘରୁ କୁଆଡେ ଲୁଚି ପଳାଇଯାଇଥିବା ପରିବାର ଲୋକେ କହିଛନ୍ତି ।
ଭାବଗ୍ରାହୀଙ୍କ ପତ୍ନୀଙ୍କ କହିବା ଅନୂଯାୟୀ, ୪ଏକର ଜମି ଭାଗ ଚାଷୀ ହିସାବରେ କରିଥିବାରୁ ଗତ କିଛି ଦିନ ହେବ ସେ ଟଙ୍କା ଅଭାବ ନେଇ ଚିନ୍ତାରେ ରହୁଥିଲେ । ତେବେ ଗତ ମାସ ୩୦ତାରିଖରୁ ସେ ନିଖୋଜ ଥିବା ଚୁଡାମଣି ସାମୁଦ୍ରିକ ଥାନାରେ ଭାବଗ୍ରାହୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)