• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସମ୍ବଲପୁର ସାପଲହରାରେ ମୃତ ହାତୀକୁ ବି ହୋଇଥିଲା ଗୁଳିମାଡ଼ । ଶବ ବ୍ୟବଚ୍ଛେଦ ବେଳେ ହାତୀ ଦେହରୁ ବାହାରିଛି ଗୁଳି । ସମ୍ବଲପୁର ସାପଲହରା ଦନ୍ତାହାତୀ ମୃତ୍ୟୁ ଘଟଣାରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ନିଜେ ଡିଏଫଓ । ହାତୀ ମୃତ୍ୟୁ ଘଟଣା ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିଏଫ୍ଓ କହିଛନ୍ତି ଯେ, ପୋଷ୍ଟମର୍ଟମ ବେଳେ ହାତୀ ହେହରୁ ଗୋଟିଏ ଗୁଳି ମିଳିଛି ।

ଏହି ଘଟଣାରେ ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି । କେଲାପାଟ ଅଞ୍ଚଳରେ ଗଛ ଉପରୁ ହାତୀଟିକୁ ଗୁଳି କରାଯାଇଥିଲା । ଗୁଳିମାଡ଼ ଯୋଗୁଁ ହାତୀର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇଥିଲା । ସେପ୍ଟିସେମିଆ ହୋଇ ଲିଭର, ହାର୍ଟ ଆଦି ଅଙ୍ଗ ଅଚଳ ହୋଇଯାଇଥିଲା ବୋଲି ଡିଏଫଓ କହିଛନ୍ତି ।

ଦନ୍ତାହାତୀଟି ପାଣି ଭିତରେ ପଡ଼ି ରହିଥିବା ବେଳେ ସେହିଠାରେ ତାର ୫ ଦିନ ଧରି ଚିିକିତ୍ସା ଚାଲିଥିଲା । ତେବେ ଗତ ୧୯ ତାରିଖରେ ହାତୀଟିକୁ ପୋଖରୀରୁ ଉପରକୁ ଆଣି ଚିକିତ୍ସା ପାଇଁ ଉଦ୍ୟମ କରିଥିଲା ବନ ବିଭାଗ । କିନ୍ତୁ ହାତୀକୁ ଉପରକୁ ଆଣିବାର କିଛି ସମୟ ପରେ ତାର ମୃତ୍ୟୁ ହୋଇଥିଲା । ଏହାର ମାତ୍ର କେଇ ଦିନ ଆଗରୁ କଟକ ଜିଲ୍ଲା ଆଠଗଡ଼ ନରସିଂହପୁର ଜଙ୍ଗଲରେ ମଧ୍ୟ ଗୁଳିମାଡ଼ରେ ଏକ ହାତୀର ମୃତ୍ୟୁ ହୋଇଥିଲା ।

ରାଜ୍ୟରେ ହାତୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ସେମାନଙ୍କ ପାଇଁ ରାଜ୍ୟରେ ଆଉ ନାହିଁ କି ଅନୁକୂଳ ପରିବେଶ ? ନିକଟରେ ହାତୀଙ୍କ ସହ ଘଟିଥିବା କିଛି ଅମାନବୀୟ ଓ ନୃଶଂସ ଘଟଣାକୁ ନେଇ ଠିଆ ହୋଇଛି ଏମିତି ପ୍ରଶ୍ନ । କେବେ ଶିକାରୀ ଗୁଳି ତ ଆଉ କେବେ ଟ୍ରେନ୍ ଇଂଜିନ ନେଉଛି ଜୀବନ । ଏବେ ସ୍ଥିତି ଏମିତି ଯେ, ରାସ୍ତା ପାର୍ ବେଳେ ଗାଡ଼ି ଧକ୍କାରୁ ବି ବର୍ତ୍ତୁନାହାନ୍ତି ହାତୀପଲ । ଫସଲ ନଷ୍ଟ କରୁଥିବାରୁ ଗୁଳି ଚଳାଇବାକୁ ବି ପଛାଉ ନାହାଁନ୍ତି ଲୋକେ । କିଛି କ୍ଷେତ୍ରରେ ବନ କର୍ମଚାରୀଙ୍କ ତ୍ରୁଟି ଓ ଉଦାସୀନତାରୁ ବି ହାତୀଙ୍କ ଜୀବନ ଯାଉଛି । ଏଭଳି ବିଭିନ୍ନ କାରଣକୁ ନେଇ ଆମ ରାଜ୍ୟର ହାତୀ ଏବେ ସଙ୍କଟରେ ।