• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଆମ ରାଜ୍ୟ ଓଡ଼ିଶାରେ ହାତୀ-ମଣିଷ ଦ୍ଵନ୍ଦ ଏକ ସାଧାରଣ ଘଟଣା। ସବୁଦିନ ଏମିତି ଖବର ଆସିଥାଏ। କେଉଁଠି ହାତୀ ଜନବସତି ଭିତରକୁ ଚାଲି ଆସି ଧନ ଜୀବନ ନଷ୍ଟ କରୁଛନ୍ତି ତ କେଉଁଠି ମଣିଷଙ୍କ ଆକ୍ରମଣର ଶିକାର ହୁଅନ୍ତି ଗଜରାଜ। ଅନେକ ସ୍ଥାନରେ ଟ୍ରେନରେ କଟି କିମ୍ବା ବିଦ୍ୟୁତ୍ ତାରେ ଲାଗି ହାତୀଙ୍କର ଅକାଳ ମୃତ୍ୟୁ ହେଉଛି।

ଏଭଳି ସମୟରେ ସାଧାରଣ ଲୋକ ସବୁବେଳେ ଆଶା କରନ୍ତି ଯେ, ବନ ବିଭାଗ ଓ ଏହାର କର୍ମଚାରୀମାନେ ଏ ଦିଗରେ ଅଧିକ ସହାୟତା କରନ୍ତି। କିନ୍ତୁ ବିଭିନ୍ନ କାରଣରୁ ବନ ବିଭାଗ ଏ ସବୁ ସଫଳତାର ସହ କରିବା ସବୁବେଳେ ସମ୍ଭବ ହୁଏନାହିଁ। ତେଣୁ ଅନେକ ସ୍ଥାନରେ ବନ କର୍ମଚାରୀମାନେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥାନ୍ତି।

ହେଲେ ବନ ବିଭାଗରେ ଏମିତି ବି କର୍ମଚାରୀ ଅଛନ୍ତି, ଯେଉଁମାନଙ୍କ ସାହସିକତା ଯୋଗୁ ଅନେକ ଧନଜୀବନ ବଂଚି ଯାଇଥାଏ। ଏହିପରି ସଚ୍ଚୋଟ ଓ ନିର୍ଭୀକ ବନ କର୍ମଚାରୀ ନିଜ ଜୀବନକୁ ବାଜି ଲଗେଇ ଗାଁ ଗହଳିରେ ଉଭୟ ହାତୀ ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥାନ୍ତି। ଆସନ୍ତୁ ଜାଣିବା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡର ଏହିପରି ଜଣେ ଫରେଷ୍ଟ ଗାର୍ଡଙ୍କୁ।

ହାତୀ ଘଉଡ଼େଇବାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଓଡ଼ିଶା ବନ ବିଭାଗର ଜଣେ ବାହାଦୂର ଫରେଷ୍ଟ ଗାର୍ଡଙ୍କୁ ଦେଖିବାକୁ ମିଳୁଛି। ହାତରେ ମଶାଲ ଧରି, ଆକ୍ରମଣ ମାଡି ଆସୁଥିବା ଦନ୍ତାହାତୀକୁ ସେ ଅଟକାଇ ଦେଉଛନ୍ତି।

ଯଦିଓ ଏହା ବିପଦପୂର୍ଣ୍ଣ, କିନ୍ତୁ ନିଜ ଜୀବନକୁ ବାଜି ଲଗେଇ, ହାତୀକୁ ନିଆଁ ହୁଳା ଦେଖେଇ ଅଟକେଇ ଦେଉଥିବା ଏହି ଫରେଷ୍ଟଗାର୍ଡଙ୍କୁ ନେଇ ଏବେ ଭାରି ଚର୍ଚ୍ଚା। ହାତୀ ଆଗରେ ସାହସ ଦେଖାଉଥିବା ଏହି ଫରେଷ୍ଟ ଗାର୍ଡ ଜଣକ ହେଲେ ଚିତ୍ତରଞ୍ଜନ ମିରି। ତାଙ୍କ ସାହସିକତା ବାସ୍ତବରେ ଦେଖିବାର କଥା।

ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ଏଠାକାର ଚଡ଼ଚଡ଼ି ଓ ଅଙ୍ଗାବିରା ଗାଁ ମଝିକୁ ଏକ ବଣୁଆ ଦନ୍ତାହାତୀ ଚାଲି ଆସିଥିଲା। ଏହା ଆଖପାଖ ଅଂଚଳରେ ବୁଲି ଫସଲ ଖାଇବା ସହ ଏହାକୁ ନଷ୍ଟ କରୁଥିଲା। କିଛି କିଛି ଜାଗାରେ ଲୋକଙ୍କ ଘର ମଧ୍ୟ ଭାଙ୍ଗୁଥିଲା। ଏଥିରେ ବ୍ୟତିବ୍ୟସ୍ତ ଗ୍ରାମବାସୀ ହାତୀଟିକୁ ଘଉଡ଼ାଇବା ପାଇଁ ବନ ବିଭାଗକୁ ଖବର ଦେଇଥିଲେ।

ଲୋକଙ୍କଠାରୁ ଖବର ପାଇ ଫରେଷ୍ଟଗାର୍ଡ ଚିତ୍ତରଞ୍ଜନ ତାଙ୍କର ହାତୀ ସ୍କ୍ବାଡ଼ର କିଛି ୱାଚରଙ୍କୁ ଧରି ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହାପରେ ସମାନେ ଆରମ୍ଭ କରିଥିଲେ ହାତୀ ଘଉଡ଼େଇବା ଅଭିଯାନ। ପ୍ରଥମେ ଗାଁ ଲୋକଙ୍କୁ ସେହି ସ୍ଥାନକୁ ଛାଡିବା ପାଇଁ ବାରଣ କରିଥିଲେ। ସବୁଲୋକେ ସ୍ଥାନ ଛାଡି ଚାଲିଯିବା ପରେ ହାତୀଙ୍କୁ ଘଉଡେଇବା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେଲେ ଚିତ୍ତରଂଜନ ଓ ତାଙ୍କ ଦଳ।

ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅଛି ଯେ, ହାତୀ ଘଉଡ଼େଇବା ପାଇଁ ହାବେଳି ବା ରକେଟ ବାଣ ବ୍ୟବହାର କରାଯାଇ ପାରିବ ନାହିଁ। ତେଣୁ ଚିତ୍ତରଂଜନ ନିଜେ ଗୋଟିଏ ୧୦/୧୨ ଫୁଟ ଲମ୍ବର ମଶାଲ ଜାଳି ତାକୁ ଧରିଲେ ଏବଂ ସାଙ୍ଗରେ ଆଉଜଣେ ଲୋକ ମଧ୍ୟ ଅନ୍ୟଏକ ମଶାଲ ଧରିଲେ। ମାତ୍ର ୫ ଜଣ ଲୋକଙ୍କୁ ଧରି ଚିତ୍ତରଞ୍ଜନ ନିଜର ଅପରେସନ ଆରମ୍ଭ କଲେ।

ତେବେ ଘଉଡେଇବା ବେଳେ ଦନ୍ତା ହାତୀଟି ଯେମିତି ଲୋକଙ୍କ ଆଡକୁ ମାଡି ଆସିଥିଲା, ତାହା ସତରେ ଥିଲା ଭୟଙ୍କର। କିନ୍ତୁ ଚିତ୍ତରଞ୍ଜନ କ୍ରୋଧୀ ହାତୀଙ୍କ ମନସ୍ତତ୍ୱ ପଢ଼ିବାରେ ପାରଙ୍ଗମ ଥିଲେ। ତେଣୁ ସମସ୍ତେ ଦଉଡ଼ିକି ପଛଘୁଞ୍ଚା ଦେଇଥିଲେ ସୁଦ୍ଧା, ସେ କିନ୍ତୁ ପାଦେ ମଧ୍ୟ ପଛକୁ ଘୁଞ୍ଚି ନଥିଲେ। ସାହସର ସହିତ ମଶାଲ ଦେଖାଇ ହାତୀକୁ ଅଟକାଇଥିଲେ। ହାତୀ ଓ ତାଙ୍କ ଭିତରେ ଆନୁମାନିକ ଦୂରତା ଥିଲା ମାତ୍ର ୧୫ ଫୁଟ ଥିଲା।

ସେ ସମୟର ଦୃଶ୍ୟ ଦେଖିଲେ ଆପଣ ସତରେ ଭୟ ପାଇଯିବେ। ହାତୀଟି ଏତେ ଭୟଙ୍କର ଭାବେ ମାଡ଼ି ଆସୁଥିଲା ଯେ, କେହି ମଧ୍ୟ ତା ଆଗରେ ଠିଆ ହୋଇ ରହିବା ସମ୍ଭବ ନଥିଲା। କିନ୍ତୁ ଚିତ୍ତରଂଜନ ହାତରେ ନିଆଁ ହୁଳା ଧରି ନିଜ ଜାଗାରୁ ଆଦୌ ଚଙ୍କି ନଥିଲେ। ଫଳରେ ହାତୀଟି ଦଉଡ଼ି ଆସି ହଠାତ୍ ତାଙ୍କ ଆଗରେ ଅଟକି ଯାଇଥିଲା ଓ ତାଙ୍କୁ ରାଗରେ ଅନେଇ ରହିଥିଲା। କିଛି ସମୟ ଧରି ଦୁହେଁ ନିଜ ନିଜ ସ୍ଥାନରେ ଠିଆ ହୋଇ ରହିବା ପରେ ଶେଷରେ ଭୟଙ୍କର ଦନ୍ତା ହାତୀଟି ଧୀରେ ଧୀରେ ପଛଘୁଞ୍ଚା ଦେଇଥିଲା।

ଚିତ୍ତରଞ୍ଜନ କହିଛନ୍ତି- "ଏହା ଆଦୌ ବାହାଦୂରି କାମ ନୁହେଁ। ଆମକୁ ବନ ବିଭାଗ ତରଫରୁ ଏହିପରି ଟ୍ରେନିଂ ଦିଆ ଯାଇଥାଏ। ମୁଁ ଶିଖିଥିବା କଥା ହିଁ ଏଠି ପାଳନ କରିଛି। ହାତୀ ମାନେ ନିଆଁକୁ ଭୟ କରନ୍ତି। ଏଣୁ ମୁଁ ଜାଣିଥିଲି କି ହାତୀ ଯେତେ ଚାର୍ଜ କଲେ ମଧ୍ୟ ମୋ ପାଖକୁ ଆଦୌ ଆସିବନି। କିନ୍ତୁ ଲୋକଙ୍କ ଭିଡ଼ ଭିତରେ ଆମକୁ କାମ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଆମେ ହାତୀ ଘଉଡେଇବା ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଲୋକଙ୍କୁ ସେ ସ୍ଥାନରୁ ହଟେଇ ଦେଇଥାଉ।"

ହାତୀ ଘଉଡ଼େଇବା ସହ ଚିତ୍ତରଞ୍ଜନ ରାସ୍ତାର ଯିବା ଆସିବା କରୁଥିବା ଲୋକଙ୍କୁ ମଧ୍ୟ ସେହି ଦନ୍ତାହାତୀଟିର ଉପସ୍ଥିତି ବିଷୟରେ ସଚେତନ କରାଇଥିଲେ ଓ ଜଙ୍ଗଲ ପାଖ ଗାଁରେ ମାଇକ୍ ଧରି ପ୍ରଚାର କରିଥିଲେ। ଚିତ୍ତରଂଜନଙ୍କ ସାହସକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରୁଛନ୍ତି। ତେବେ ଏଇଠି ଆମେ ସାଧାରଣ ଜନତାଙ୍କୁ ପରାମର୍ଶ ଦେବାକୁ ଚାହୁଁଛୁ ଯେ, ବଣୁଆ ହାତୀ ଆଗକୁ ଆଦୌ ଯାଆନ୍ତୁ ନାହିଁ। ଚିତ୍ତରଂଜନଙ୍କ ପରି ତାଲିମ ପ୍ରାପ୍ତ ଫରେଷ୍ଟ ଗାର୍ଡ ହିଁ ଏହି କାମ କରିପାରିବେ। ଏଥିପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ ଦେଉଛୁ ଦୟାକରି ହାତୀକୁ ବିରକ୍ତ କରନ୍ତୁ ନାହିଁ କିମ୍ବା ତା ଆଗକୁ ଯାଆନ୍ତୁ ନାହିଁ। ଏପରିକି ମୋବାଇଲ୍ ଭିଡିଓ କରିବାର ଭୁଲ୍ ମଧ୍ୟ କରନ୍ତୁ ନାହିଁ।