• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦାନା ଉଜାଡିଲା ଅଦିନ ମେଘ । କିଆରିରେ ଥାଇ ସଢି ଯାଉଛି କଞ୍ଚା ପରିବା । କଟକ ଜିଲ୍ଲାର ପରିବା ଝୁଡ଼ି ଭାବେ ପରିଚିତ ଆଠଗଡ ଅଞ୍ଚଳ । ପରିବା ପଚିଯିବା ଡରରେ ତର ତର ହୋଇ ଚାଷୀ ବନ୍ଧା କୋବି କାଟି ନେଉଛି । ହେଲେ କିଣିବାକୁ ବେପାରୀଙ୍କ ଦେଖା ନାହିଁ । ସପ୍ତାହେ ତଳେ କୋବି ଗୋଟାକୁ ୧୫ଟଙ୍କାରେ ବିକା ହେଉଥିଲା, ଏବେ ୫ଟଙ୍କାରେ ବି ଯାଉନି । ଆଠଗଡ ଭଳି ତିଗିରିଆ ଓ ଉତ୍ତରବାଙ୍କୀ ବ୍ଲକ ସାରା ପରିବା ଚାଷୀଙ୍କ ସମାନ ଅବସ୍ଥା । ଗଞ୍ଜାମ ଜିଲ୍ଲା ସୋରଡ଼ାରେ ବି ବର୍ଷା ମାଡ଼ ଖାଇ ଫୁଲକୋବିର ସ୍ଥିତି ସଙ୍ଗୀନ ।

ବିଲରେ ଥାଇ ପୋକ ଲାଗିଲାଣି । ପତ୍ର ହଳଦିଆ ପଡିଯାଉଛି ତ କୋବି କଳା ପଡ଼ି ଯାଉଛି । ୨ଟଙ୍କାରେ ବେପାରୀଙ୍କୁ ଯାଚିଲେ ବି ନେଉନାହାନ୍ତି । ସୋରଡ଼ା ବ୍ଲକର କୈଳାସପୁର, ମୂଳିଆପଲ୍ଲୀ, ହାତୀଗଡା ଓ ରାମଚନ୍ଦ୍ରପୁର ଭଳି ଅନେକ ଗାଁରେ ଏଥର ଭଲ ଫୁଲକୋବି ଫଳିଥିଲା, କିନ୍ତୁ ଅଦିନିଆ ବର୍ଷା ସବୁ ଉଜାଡି ଦେଲା । ତେଣେ ଦୁଇ ଦିନର ଲଗାଣ ବର୍ଷାରେ ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ବି ସମ୍ପୂର୍ଣ୍ଣ ଧୋଇ ଯାଇଛି ଶାଗ, ଧନିଆ, ଟମାଟୋ ଓ ବାଇଗଣ ଭଳି ପନିପରିବା ଫସଲ । ଧାର କରଜ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ଅଦିନିଆ ବର୍ଷାରେ କେମିତି ବେହାଲ ହୋଇଛି ଧାନଖଳା, କେତେ ହତାଶ ଚାଷୀ । ଗଞ୍ଜାମ ଖଲ୍ଲିକୋଟରୁ ଆସିଛି ଚିତ୍ର । ବହୁ ଚାଷୀ ଘରକୁ ବି ଧାନ ନେଇନପାରିବାରୁ ବାହାରେ ମେଘ- କାକର ମାଡ଼ ଖାଇ ଗଜା ହେବାକୁ ବସିଲାଣି । ସେପଟେ ସୁବର୍ଣ୍ଣପୁର ଜିଲ୍ଲାର ଅନ୍ୟତମ ବୃହତ ଧାନ ମଣ୍ଡି ହିଲୁଙ୍ଗର ଚିତ୍ର ବି ବଡ଼ ଚିନ୍ତାଜନକ । ବିକ୍ରୀ ଅପେକ୍ଷାରେ ଜରି ପାଲ ଘୋଡ଼ା ହୋଇ ଥାକ ମରାଯାଇଛି ପ୍ରାୟ ୪୫ ହଜାର କୁଇଣ୍ଟାଲ ଧାନ ବସ୍ତା ।

ଗୋଟିଏ ପଟେ ବର୍ଷା ଦାଉସାଧୁଛି ତଅନ୍ୟପଟେ ମିଲର୍ସଙ୍କ ମନମାନି । ଅବ୍ୟବସ୍ଥାରେ ଘାଇଲା ଚାଷୀ ଆଗକୁ ଆଉ ଧାନ ଚାଷ ନକରିବାକୁ ପଣ କଲେଣି । ମାସ ମାସ ମଣ୍ଡିରୁ ଧାନ ଉଠୁନଥିବାରୁ ସେମାନଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲାଣି । ହେଲେ ସିଏସଓ କିନ୍ତୁ କହୁଛନ୍ତି ଜିଲ୍ଲାର ସବୁ ମଣ୍ଡିରୁ ବିନା ବାଧାରେ ମିଲର୍ସ ଧାନ ଉଠାଉଛନ୍ତି । ଆସନ୍ତା ୩୦ ତାରିଖ ସୁଦ୍ଧା ସବୁ ମଣ୍ଡି ଫାଙ୍କା ହୋଇଯିବ ।

ସଢା ପନିପରିବା ହେଉ କି ମଣ୍ଡିରେ ଭିଜା ଧାନ । ଅଦିନିଆ ବର୍ଷାରେ ଏସବୁ କ୍ଷତିର ତୁରନ୍ତ ଆକଳନ କରାଯାଇ କ୍ଷତିପୂରଣ ଦେବାକୁ ସରକାରଙ୍କ ପାଖରେ ଉଠିଲାଣି ଦାବି ।