Advertisment

ଢିଙ୍କିଆରେ ଖଣ୍ଡଯୁଦ୍ଧ: ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ

ଆଜି ଏରସମା ତହସିଲଦାରଙ୍କ ସମେତ ଆରଆଇ, ଅମିନ ପୋଲିସ କର୍ଡନରେ ରହି ଢିଙ୍କିଆକୁ ପଶିଥିଲେ। ମାହାଳ ଗାଁର ସୀମା ପୁନଃନିର୍ଦ୍ଧାରଣ ପାଇଁ ପାରାଦୀପ ଏଏସପିଙ୍କ ନେତୃତ୍ୱରେ ୧୪ ପ୍ଲାଟୁନ୍‌ରୁ ଅଧିକ ଫୋର୍ସ ପହଞ୍ଚିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Protest in Dhinkia

Protest in Dhinkia

ପାରାଦୀପ: ଜୀବନ ପଛେ ବାଜିରେ ଲାଗିବ ସିନା JSWର ପ୍ରକଳ୍ପ ପୁରାଇ ନଦେବାକୁ ଚରମ ନିଷ୍ପତ୍ତି ନେଇଛନ୍ତି ଗାଁଲୋକେ। ଅଶାନ୍ତ ହୋଇପଡ଼ିଛି ଢିଙ୍କିଆ। ଆନ୍ଦୋଳନରେ ଅସ୍ତ୍ର ସାଜିଛନ୍ତି କୁନି କୁନି ପିଲା। ରଣକ୍ଷେତ୍ର ପାଲଟିଥିଲା ଜଟାଧାରୀ ମୁହାଁଣ ପାଖ ବାଲିଟିକିରା ଇଲାକା। ଆଜି ଏରସମା ତହସିଲଦାରଙ୍କ ସମେତ ଆରଆଇ, ଅମିନ ପୋଲିସ କର୍ଡନରେ ରହି ଢିଙ୍କିଆକୁ ପଶିଥିଲେ। ମାହାଳ ଗାଁର ସୀମା ପୁନଃନିର୍ଦ୍ଧାରଣ ପାଇଁ ପାରାଦୀପ ଏଏସପିଙ୍କ ନେତୃତ୍ୱରେ ୧୪ ପ୍ଲାଟୁନ୍‌ରୁ ଅଧିକ ଫୋର୍ସ ପହଞ୍ଚିଥିଲେ। ଏହି ଖବର ପରେ ମେଳି କରି ପିଲାଠୁ ବୟସ୍କ ମାଡ଼ଆସିଲେ। ଆଉ ବାଟ ଓଗାଳିବାରୁ ପଛଘୁଞ୍ଚା ଦେଇଥିଲା ପୋଲିସ ଏବଂ ପ୍ରଶାସନ।

Advertisment

କିଛି ସମୟ ପରେ JSW ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁଙ୍କ ଢିଙ୍କିଆ ଘରେ ପଶିଥିଲା ପୋଲିସ। ଆଉ ତାଙ୍କ ଦାଦା ଏବଂ ଭଉଣୀଙ୍କୁ ଉଠାଇ ନେଇଥିଲା। ଏପରିକି ଗାଁରେ ଯାହାକୁ ପାଇଲା ପୋଲିସ ତାକୁ ମାଡ଼ ମାରିଥିବା ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ମାଡ଼ରେ ୬-୭ ଜଣ ଆହତ ବି ହୋଇଛନ୍ତି। ଏହାକୁ ନେଇ ଲୋକେ ତାତି ଉଠିଥିଲେ। ଢିଙ୍କିଆ-ପାଟଣା ଗାଁ ମଝିରେ ପୋଲିସ-ଆନ୍ଦୋଳନକାରୀଙ୍କ ମଧ୍ୟରେ ହୋଇଥିଲା ଟେକାପଥର ମାଡ଼। 

ଏନେଇ ବାସନ୍ତୀ ସ୍ୱାଇଁ କହିଛନ୍ତି ଯେ ମୁଁ ଖାଇବା ସମୟରେ ପୋଲିସ ଘର ଭିତରକୁ ପଶିଲା। ମୋତେ ବାଡେଇଲେ। ଖାଉଥିବା କଂସାକୁ ଫୋପାଡିଦେଲେ। ପୁଅ ଓ ଝିଅକୁ ନେଇଗଲେ। 

Advertisment

ଡିସେମ୍ବର ୧ରେ ମାହାଳ ଗାଁକୁ ଡିମାର୍କେସନ ପାଇଁ ଆସିଥିବାବେଳେ ବି ଉତ୍ତେଜନାକୁ ଦେଖି ସେଦିନ ଫେରିଯାଇଥିଲା ପୋଲିସ ଓ ପ୍ରଶାସନ। ଢିଙ୍କିଆ ଅଞ୍ଚଳବାସୀ ପ୍ରଶାସନକୁ ନପୁରାଇ ଦେବାକୁ ଗାଁର ପ୍ରବେଶ ପଥ ଗୁଡ଼ିକରେ ବାଉଁଶ ବାଡ଼ ପକାଇ ଦେଇଛନ୍ତି। ଅପରପକ୍ଷେ ଗାଁର ପ୍ରବେଶ ଦ୍ୱାରରେ ପୋଲିସ ଗତ ୧୫ ଦିନ ହେଲା ଅସ୍ଥାୟୀ କ୍ୟାମ୍ପ କରି ରହିଛି। ତେଣେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଗ୍ରାମବାସୀ ଗାଁର ଫୁଲଖାଇ ଠାକୁରାଣୀ ମନ୍ଦିରରେ ବୈଠକ କରି ରଣନୀତି ସ୍ଥିର କରିଛନ୍ତି।

ଲୋକଙ୍କ ଅଭିଯୋଗ, ଢିଙ୍କିଆରେ ପୁରୁଷ ପୁରୁଷ ଧରି ସେମାନେ ପାନ ବରଜ ସହ କାଜୁ ଚାଷ କରି ଜୀବିକା ନିର୍ବାହ କରିଆସୁଛନ୍ତି। ପୋସ୍କୋ ସମୟରେ ନା ପ୍ରଶାସନ ନିଜ ପ୍ରତିଶ୍ରୁତି ପାଳନ କଲା ନା ପୋସ୍କୋ ହେଲା। ଏବେ JSW ଶିଳ୍ପ ପ୍ରତିଷ୍ଠା ପାଇଁ ଯୋଜନା କରୁଥିବାବେଳେ ପ୍ରଥମେ ଜଙ୍ଗଲ ଅଧିକାର ଆଇନ ବଳରେ ପଟ୍ଟା, ପୋସ୍କୋ ଅମଳରେ ଢିଙ୍କିଆ ୪ଦେଶର ଲୋକଙ୍କ ବିରୋଧରେ ଲାଗିଥିବା ଫୌଜଦାରୀ ମାଲଲା ପ୍ରତ୍ୟାହାର ଏବଂ ପ୍ରତ୍ୟେକ ପରିବାରକୁ ନିଯୁକ୍ତି ଦାବି କରିଛନ୍ତି ଢିଙ୍କିଆ ବାସିନ୍ଦା। ପାରାଦୀପ ନିକଟରେ ୧୩.୨ ନିୟୁତ ମିଲିୟନ୍ ଟନ୍‌ର ଷ୍ଟିଲ୍ ପ୍ଲାଣ୍ଟ ସହ ୯ଶହ ମେଗାୱାଟର ପାୱାର ପ୍ଲାଣ୍ଟ ଏବଂ ସିମେଣ୍ଟ ପ୍ଲାଣ୍ଟ  JSW କରିବ। ଏହାବ୍ୟତୀତ ଜଟାଧାର ମୁହାଁଣରେ ନିଜସ୍ୱ ବନ୍ଦର ନିର୍ମାଣ କରିବାକୁ ଯୋଜନା ରହିଛି। 

ରିପୋର୍ଟ: ଶଶାଙ୍କ ଶେଖର ପଣ୍ଡା, ରମାକାନ୍ତ ନାୟକ

Jagatsinghpur JSW Dhinkia Villagers
Advertisment
Advertisment