• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶୁଖିଲା ପଡିଛି କେନ୍ଦ୍ରାପଡାର ଲୁଣା ନଦୀ । ପାଣି ଟୋପେ ପାଇଁ ନଦୀକୂଳିଆ ଲୋକେ ଏବେ ଡହଳ ବିକଳ ହେଉଛନ୍ତି । କେବଳ ନଦୀ କୁଳିଆ ଲୋକେ କାହିଁକି ନଦୀ ଶୁଖା ପଡ଼ିବାରୁ କେନ୍ଦ୍ରାପଡା ସହରର ପ୍ରାୟ ୬୦ ହଜାର ବାସିନ୍ଦା ଜଳ ଯନ୍ତ୍ରଣାରେ ଛଟପଟ ହେବାକୁ ଯାଉଛନ୍ତି ।

କଳପଡାଠାରେ ଇନଟେକ ୱେଲ କରି କେନ୍ଦ୍ରାପଡ଼ା ସହରକୁ ପାନୀୟଜଳ ଯୋଗାଇ ଦିଆଯାଉଛି । ୨୦୦୩ ମସିହାରୁ ଏଠାରେ ଏହି ପ୍ରକଳ୍ପ କାର୍ଯ୍ୟ କରୁଛି । କିନ୍ତୁ ଚଳିତ ବର୍ଷ ଫେବୃଆରୀ ମାସରୁ ନଦୀ ଶୁଖିଲା ପଡ଼ିଛି । ଏବେ ଏପ୍ରିଲ ମାସରେ ପରିସ୍ଥିତି ଅଣାୟତ୍ତ ।

କେନ୍ଦ୍ରାପଡା ସହରର ପ୍ରାୟ ୬୦ ହଜାରରୁ ଅଧିକ ଲୋକଙ୍କୁ ଲୁଣା ନଦୀରୁ ପାଣି ଯୋଗାଣ ହେଉଛି । ଏଥିପାଇଁ ସହର ଉପକଣ୍ଠ ଶାମାଗୁଡିଆ ଠାରେ ଏକ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି । ସେଠାରେ ଲୁଣାନଦୀରୁ ଜଳ ବିଶୋଧନ କରାଯାଇ ସହରକୁ ଶୁଦ୍ଧ ପାଣି ଯୋଗାଇ ଦିଆଯାଉଛି ।

ଏହି ପାଣିରେ ଦୈନିକ ଜଳ ବିଶୋଧନ କ୍ଷମତା ପ୍ରାୟ ୨୭ ମିଲିୟନ୍ ଲିଟର ରହିଥିବା ବେଳେ କେନ୍ଦ୍ରାପଡା ସହର ପାଇଁ ଦୈନିକ ୧୦ ମିଲିୟନ ଲିଟର ପାଣି ଆବଶ୍ୟକ ରହିଛି । ଲୁଣା ନଦୀରୁ ଦୈନିକ ୭ ମିଲିୟନ ଲିଟର ପାଣି ସହରକୁ ଯୋଗାଇ ଦିଆଯାଉଛି । ବାକି ୩ ମିଲିୟନ ଲିଟର ସହରରେ ଥିବା ୧୬ ଗୋଟି ବୋରିଙ୍ଗରୁ ଭରଣା କରାଯାଉଛି ।

ଏଭଳି ସ୍ଥିତିରେ ଜଳଯୋଗାଣର କୌଣସି ଉତ୍ସ ବିଫଳ ହେଲେ ଏକ ବଡ ଧରଣର ବିପତ୍ତି ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ଲୁଣାନଦୀର ଜଳସ୍ତର ହ୍ରାସ ନେଇ ଚିନ୍ତା ପ୍ରକଟ କରିବା ପରିବର୍ତ୍ତେ କେନ୍ଦ୍ରାପଡ଼ା ସହର ଲୋକଙ୍କୁ ଜଳ ସଙ୍କଟରୁ ମୁକ୍ତି ହେବା ପାଇଁ ବିକଳ୍ପ ବ୍ୟବସ୍ଥା ପାଇଁ ସାଧାରଣରେ ଦାବି ହୋଇଛି ।

  • Reported by:
  • MANOJ SWAIN