• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଗୋବର୍ଦ୍ଧନଙ୍କୁ ମିଳିଥିଲା ସହାୟତା

  •  ସହାୟତାର ହାତ ବଢାଇଲା ଆମ୍ବେଦକର ସ୍ୱେଛାସେବୀ ସଂଗଠନ

 ବଣାଇ: ଏବେ ବି ସମାଜରେ ମାନବିକତା ବଞ୍ଚି ରହିଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଗୋବର୍ଦ୍ଧନଙ୍କ କାହାଣୀ । ଯେଉଁ ବୟସରେ ଉଚ୍ଚଶିକ୍ଷା ପାଇବା କଥା କିମ୍ବା ଚାକିରୀ କରି ରୋଜଗାର କରି ବାପା ମାଙ୍କ ସେବା କରିବା କଥା ସେଇ ବୟସରେ କିନ୍ତୁ ସେ ନିର୍ଭର କରୁଛି ବାପା ମାଙ୍କ ଉପରେ । ଆଉ ପୁଅର ଏ ଅବସ୍ଥା ଦେଖି ମାଆ ଆଖିରେ ଲୁହ ଶୁଖୁନଥିଲା । ଆଜି ଆମେ ସୁନ୍ଦରଗଡ ବଣାଇର ବନେଇକଲା ପଞ୍ଚାୟତରୁ ଅସହାୟ ଗୋବର୍ଦ୍ଧନଙ୍କ ଏହି କାହାଣୀ ଆପଣଙ୍କୁ ଜଣେଇବୁ। ଚଳିତ ବର୍ଷ ମାର୍ଚ୍ଚ ୨୧ତାରିଖରେ ଓଟିଭିରେ ପ୍ରସାରିତ ହୋଇଥିଲା ଗୋବର୍ଦ୍ଧନଙ୍କ କାହାଣୀ । ପ୍ରସାରଣ ପରେ ଗୋବର୍ଦ୍ଧନଙ୍କୁ ମିଳିଥିଲା ସହାୟତା । ଆପଣ ଏକା ନୁହନ୍ତିର ସଫଳତାରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ ।

Also Read

ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲା ବଣାଇ ବ୍ଲକର ବନେଇ କଲା ପଂଚାୟତ । ଏହି ପଂଚାୟତର ବନେଇ କଲା ଗ୍ରାମରେ ରୁହନ୍ତି ଦଶରଥ ରାୟ ଓ ତାଙ୍କ ପରିବାର । ପରିବାର କହିଲେ ସ୍ତ୍ରୀ, ଗୋଟେ ପୁଅ ଓ ଦୁଇ ଝିଅ । ଦୁଇ ଝିଅଙ୍କର ପୂର୍ବରୁ ବିବାହ ହୋଇସାରିଛି । ଏବେ ପରିବାରରେ ଦଶରଥ, ତାଙ୍କ ସ୍ତ୍ରୀ ମୋତି ଓ ପୁଅ ଗୋବର୍ଦ୍ଧନ। ପୁଅ ଗୋବର୍ଦ୍ଧନ ୧୦ ବର୍ଷ ବୟସର ହୋଇଥିବା ବେଳେ ତାଙ୍କ ‌ଆଖିରେ ସମସ୍ୟା ଦେଖାଦେଲା । ବାପା ମା ପୁଅକୁ ନେଇ ରାଉଲକେଲା ଯାଇଥିଲେ । ସେଠାରେ ତାଙ୍କର ମୋତିଆ ବିନ୍ଦୁ ଅପରେସନ ମଧ୍ୟ ହୋଇଥିଲା । ତଥାପି ପରବର୍ତ୍ତି ସମୟରେ ସେ ନିଜର ଦୃଷ୍ଟି ଶକ୍ତି ହରାଇ ବସିଲେ । ବାପା ଖଟିଲେ ପରିବାର ଚଳେ । ଅର୍ଥାଭାବ କାରଣରୁ ପୁଅର ଚିକିତ୍ସା ମଧ୍ୟ ସେ କରାଇପାରୁନଥିଲେ । ଗୋବର୍ଦ୍ଧନଙ୍କୁ ଏବେ ୧୮ ବର୍ଷ । ଯେଉଁ ବୟସରେ ବାପା ମାଙ୍କୁ ସେବା କରିବା କଥା ସେ ବୟସରେ ସେ ବାପା ମାଙ୍କ ଉପରେ ନିର୍ଭରଶୀଳ ହେଉଥିଲା । ପୁଅର ଏଭଳି ଅବସ୍ଥା ଦେଖି ମାଆ ଆଖିରୁ ଲୁହ ଶୁଖୁନଥିଲା ।

ଖବର ପ୍ରସାରଣର କିଛିଦିନ ପରେ ଆପଣ ମାନେ ହିଁ ସହାୟତାର ହାତ ବଢାଇଥିଲେ । ଆପଣ ମାନଙ୍କ ମଧ୍ୟରୁ ଅନେକ ଦଶରଥଙ୍କୁ ଆଥିର୍କ ସହାୟତା କରିଥିଲେ । ବଣାଇର ଆମ୍ବେଦକର ନାମକ ଏକ ସ୍ୱେଛାସେବୀ ସଂଗଠନର କେତେକ ବ୍ୟକ୍ତି ଏହି ଖବର ଦେଖିଲା ପରେ ତାଙ୍କ ଘରେ ପହଞ୍ଚିଥିଲେ । ସେମାନେ ପ୍ରଥମେ ବଣାଇ ଓ ରାଉରକେଲା ଡାକ୍ତରଖାନା ପରେ ରାଜଗାଙ୍ଗପୁରରେ ଥିବା ଏଲ୍‌ ଭି ପ୍ରସାଦରେ ଦେଖାଇବା ପରେ ଭୁବନେଶ୍ୱରସ୍ଥିତ ଏଲ ଭି ପ୍ରସାଦ ଡାକ୍ତରଖାନାରେ ଚିକିତ୍ସା କରିଥିଲେ । ଯାହାର ଫଳ ସ୍ୱରୁପ ଆଜି ଗୋବର୍ଦ୍ଧନ ନିଜ କାମ ନିଜେ କରୁଛି , ସମସ୍ତଙ୍କୁ ଚିହ୍ନି ପାରୁଛି, ସାହି ପଡିଶା ଘରକୁ ନିଜେ ଯାଇ ପାରୁଛି ।

ଏଥି ପାଇଁ ଗୋବର୍ଦ୍ଧନଙ୍କ ବାପା ମାଆ ଆପଣ ଏକା ନୁହନ୍ତି , ଏଲ ଭି ପ୍ରସାଦ ହାସପାତାଳ ଏବଂ ଯେଉଁ ବ୍ୟକ୍ତିମାନେ ସାହାଯ୍ୟ କରିଛନ୍ତି ସେମାନେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।