Advertisment

ଆସ୍କା ଗେଷ୍ଟହାଉସ୍‌ରୁ ଛୁ'ର ୨୪ ଘଣ୍ଟା ପରେ ବି ଲାପତ୍ତା ଡାକ୍ତର ସ୍ୱାମୀ

ଦୀର୍ଘଦିନ ଧରି ନିଜକୁ ବୋହୂ ଦାବି କରି ଶ୍ୱଶୁର ଘର ଆଗରେ ଧାରଣା ଦେଇଥିବା ତପସ୍ୱିନୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ ବ୍ରହ୍ମପୁର SDJM କୋର୍ଟ। କିନ୍ତୁ ତାପରେ...

author-image
Chandan Shishu
Berhampur Marital Dispute

Berhampur Marital Dispute

ବ୍ରହ୍ମପୁର: ଯାହାଙ୍କ ହାତ ଧରି ବାଟ ଚାଲିଥାନ୍ତେ ତପସ୍ୱିନୀ, ଆଜି ସେ ଅନ୍ୟତ୍ର। ଯାହାଙ୍କୁ ସାତ ଜନ୍ମର ସାଥୀ କରିବା ଲାଗି ତପସ୍ୟା କରୁଥିଲେ ତପସ୍ୱିନୀ, ସିଏ ଏବେ ଲାପତ୍ତା। ଏବେ ଆଖିରୁ ଅନବରତ ଲୁହ ଝରାଉଛନ୍ତି। ନ୍ୟାୟ ଦାବି କରୁଛନ୍ତି, ଆଇନର କାଗଜପତ୍ରରେ ପତ୍ନୀ ବନିଥିବା ବ୍ରହ୍ମପୁରର ତପସ୍ୱିନୀ ଓରଫ୍ ଡିମ୍ପଲ୍ ଦାଶ। କାରଣ ଡିମ୍ପଲ୍-ସୁମିତ ମାମଲାରେ ଆସିଛି ଟ୍ବିଷ୍ଟ। ୨୪ ଘଣ୍ଟା ବିତିଗଲା, ପତ୍ନୀଙ୍କୁ ଆସିକାର ଏହି ଗେଷ୍ଟହାଉସ୍‌ରେ ଛାଡ଼ି ଗାୟବ ସୁମିତ୍। ଗଲାବେଳେ ନା କହିଛନ୍ତି ପତ୍ନୀ ତପସ୍ୱିନୀଙ୍କୁ, ନା କେଉଁଠି ଅଛନ୍ତି ତାଙ୍କୁ ଜଣାଇଛନ୍ତି। ଶେଷରେ ଡାକ୍ତର ସ୍ୱାମୀ ସୁମିତଙ୍କ କୌଣସି ଖୋଜ୍ ଖବର ନମିଳିବାରୁ ତପସ୍ୱିନୀ ଆସିକା ଥାନାର ଦ୍ୱାରସ୍ଥ ହୋଇଛନ୍ତି।  

Advertisment

୩ ଡିସେମ୍ବର, ୨୦୨୧। ଦୀର୍ଘଦିନ ଧରି ନିଜକୁ ବୋହୂ ଦାବି କରି ଶ୍ୱଶୁର ଘର ଆଗରେ ଧାରଣା ଦେଇଥିବା ତପସ୍ୱିନୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ ବ୍ରହ୍ମପୁର SDJM କୋର୍ଟ। ସପ୍ତାହେ ଯାଏଁ ଉଭୟଙ୍କୁ ଏକାଠି ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ମାନି ଆସିକା ଚିନିଶିଳ୍ପର ଗେଷ୍ଟହାଉସ୍‌ରେ ଉଭୟେ ରହିଥିଲେ। ସପ୍ତାହେ ରହଣୀ ଭିତରେ ତପସ୍ୱିନୀ ଏବଂ ସୁମିତଙ୍କ ସହ କୌଣସି ବ୍ୟକ୍ତି ଯୋଗାଯୋଗରେ ରହିବେନି ବୋଲି କୋର୍ଟ କହିଥିଲେ।

ସେହିଅନୁଯାୟୀ, ଆସିକା ଥାନା ଆଇଆଇସିଙ୍କ ନେତୃତ୍ୱରେ ୨୪ ଘଣ୍ଟିଆ ପୋଲିସ ପହରା ବି ଦିଆଯାଇଥିଲା। ଆଉ ସପ୍ତାହେର ଅବଧି ସରିବା ପରେ କୋର୍ଟ ଘରଭଡ଼ା ନେଇ ପୁଣିଥରେ ଏକାଠି ରହିବାକୁ ୮ ଡିସେମ୍ବରରେ ନିର୍ଦ୍ଦେଶ ଦେଇଥିଲେ। ସେହି ନିର୍ଦ୍ଦେଶ ପରେ ତପସ୍ୱିନୀ ଓ ସୁମିତ୍ ପୁଣି ସେହି ଗେଷ୍ଟହାଉସ୍‌କୁ ଯାଇ ରହିଥିଲେ। ହେଲେ ଦିନକର ରହଣୀ ଭିତରେ ଜଣଙ୍କ ସହ ସ୍କୁଟିରେ ବସି ସ୍ବାମୀ ଛୁ ମାରିଥିବା ଅଭିଯୋଗ କରିଛନ୍ତି ପତ୍ନୀ।ସୁମିତଙ୍କ ଓକିଲ କହିଛନ୍ତି, ଅସୁସ୍ଥତାକୁ ଯୋଗୁ ବାଲିସିରାରେ ଜଣେ ବନ୍ଧୁଙ୍କ ଘରେ ସୁମିତ ଅଛନ୍ତି।ା ଉଭୟଙ୍କ ମଧ୍ୟରେ ସେଭଳି କୌଣସି ବ୍ୟକ୍ତିଗତ ସମ୍ପର୍କ ତିଆରି ହୋଇପାରିନି। ତଥାପି ଅସୁସ୍ଥତା ସତ୍ତ୍ୱେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ବନ୍ଧୁଙ୍କ ସହାୟତାରେ ଘର ଖୋଜା ଚାଲିଛି। 

Advertisment

ଏପଟେ ସୁମିତଙ୍କ ନିଖୋଜ ଅଭିଯୋଗକୁ ନେଇ ନାନା ଚର୍ଚ୍ଚା ଭିତରେ ସୁମିତ ଯେଉଁ ବାଲିସିରା ମେଡ଼ିକାଲରେ ଡାକ୍ତର ଅଛନ୍ତି, ସେହି ମେଡ଼ିକାଲ୍ କର୍ତ୍ତୃପକ୍ଷ କହିଛନ୍ତି- ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୧୦ରୁ ୧୪ ଯାଏଁ ଛୁଟିରେ ଯାଇଛନ୍ତି। କିନ୍ତୁ ସେ କୁଆଡ଼େ ଗଲେ, ଆମେ ବି ତାଙ୍କ ପତ୍ତା ପାଉନୁ ଏବଂ ମୋବାଇଲ୍ ସୁଇଚ୍ ଅଫ୍ ରହିଛି। ସିଡିଏମ୍ଓଙ୍କୁ ଏ ସମ୍ପର୍କରେ ରିପୋର୍ଟ ଦିଆଯାଇଛି ବୋଲି ମେଡ଼ିକାଲ୍ ସୁପରିନଟେଣ୍ଡେଣ୍ଟ କହିଛନ୍ତି। ଦାମ୍ପତ୍ୟ ଜୀବନର ଦୋଛକିରେ ଏବେ ତପସ୍ୱିନୀ। ତାଙ୍କ ଭାଗ୍ୟରେ କେବେ ଆସୁଛି ଆଶାର ଆଲୋକ, ତାକୁ ଅପେକ୍ଷା।

ରିପୋର୍ଟ: ମନୋଜ ମୁନି, ଅଶୋକ ବ୍ରହ୍ମା

Odisha Berhampur Bride
Advertisment
Advertisment