• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପୋଖରୀ ଭିତରକୁ ଡିଆଁ ମାରୁଛନ୍ତି ଗାଁ ଲୋକେ...ପିଲାମାନେ ବି ପୋଖରୀ ଭିତରେ ପଶିଛନ୍ତି । ଆଉ ପୋଖରୀ ହୁଡାରେ ଗାଁ ଲୋକେ ସବୁ ଏକାଠି ହୋଇଛନ୍ତି । ଉଦ୍ଧାରକାର୍ଯ୍ୟ ଲାଗି ଚାଲିଛି କସରତ । ଏମିତି ଭାବୁଛନ୍ତି କି ? ସଂପୂର୍ଣ୍ଣ ଭୁଲ୍‌...କାରଣ ପୋଖରୀରେ କିଏ ବୁଡିନାହାନ୍ତି ବରଂ ପିଲାଙ୍କୁ ପହଁରା ଲାଗି ଦିଆଯାଉଛି ଟ୍ରେନିଂ ।

ଜଗତସିଂହପୁର ବିରିଡି ବ୍ଲକ୍ ଅନ୍ତର୍ଗତ ମଇଁନ୍ଦିପୁରର ଗାଁ ପୋଖରୀର ଏମିତି କିଛି ଦେଖିବାକୁ ମିଳିଛି  । ଦକ୍ଷ ପ୍ରଶିକ୍ଷକଙ୍କ ଦ୍ୱାରା ଆଖପାଖ ଅଂଚଳର ପ୍ରାୟ ୫୦ ଜଣ ପିଲା ୧୫ ଦିନ ଧରି ନେଉଛନ୍ତି ପହଁରା ତାଲିମ୍‌ । ସେଇଥି ଲାଗି ଜମିଥିଲା ଭିଡ...ଅନେକ ସମୟରେ ନଇ ନାଳରେ ବୁଡି ଅନେକ ପିଲାଙ୍କ ମୃତ୍ୟୁ ହେଉଥିବାର ଖବର ସାମ୍ନାକୁ ଆସେ । ଖାସ୍‌ ସେଇଥି ପାଇଁ...କେମିତି ପହଁରା ଶିଖିବେ ପିଲା ସେଥିଲାଗି କରାଯାଇଛି ଏହି ଆୟୋଜନ ।

ପହଁରା ଟ୍ରେନିଂ ଦିଆଯାଉଥିବା ଜାଣିବା ପରେ ଅନେକ ପିଲା ପୋଖରୀ କୂଳରେ ପହଞ୍ଚିଥିଲେ । ଆଉ ପହଁରା ଲାଗି ତାଲିମ୍‌ ନେଇଥିଲେ । ତେବେ ତାଲିମ୍‌ ନେବା ପରେ ଏବେ ୧୫ ମିନିଟ୍‌ରୁ ଅଧିକ ସମୟ ପହଁରିପାରୁଥିବା କହିଛନ୍ତି, ମଇନ୍ଦିପୁରର ଶୁଭମ୍ ଭୋଇ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିତିଦିନ ପାଣିରେ ବୁଡ଼ିବା ଖବର ବଢିବା ପରେ ପିଲାଙ୍କୁ ପହଁରା ଶିଖାଇବାକୁ ନିଷ୍ପତ୍ତି ନେଲେ ପ୍ରଶିକ୍ଷକ ସାନ୍ତନୁ ଜେନା । ଆଉ ସାନ୍ତନୁଙ୍କ ଏପରି ପ୍ରୟାସକୁ ଗାଁ ଲୋକେ ବି ବେଶ୍‌ ପ୍ରଶଂସା କରିଛନ୍ତି ।

ସେପଟେ ଆୟୋଜକ କହିଛନ୍ତି, ପିଲାଙ୍କ ଜୀବନ ବଂଚାଇବା ପାଇଁ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି ଏବଂ ସଫଳତା ମଧ୍ୟ ମିଳିଛି । ଖାଲି ଏତିକି ନୁହେଁ ବରଂ ପ୍ରତି ଗାଁରେ ଏହି ପହଁରା ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବା ପାଇଁ ସେ ନିବେଦନ କରିଛନ୍ତି ।

  • Reported by:
  • Sashank Sekhar Panda