• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସାଲେପୁର.. ପବନରେ ଲହଡି ମାରୁଛି ସୁନାର ଫସଲ । ଦୂରରୁ ପାଚିଲା ଧାନ କେଣ୍ଡାକୁ ଦେଖିଲେ ମନ ଖୁସି ହୋଇଯାଉଛି । ହେଲେ ପାଖକୁ ଗଲେ ଛାତି ଫାଟି ଯିବ ।.. ଧାନ କେଣ୍ଡାରେ ପୋକ ସାଲୁବାଲୁ । ଅମଳ ଫସଲରେ ଚରିଯାଇଛି ଚକଡ଼ା ପୋକ । ଗଛ ସବୁ ମୂଳରୁ ହିଁ ପୋଡି ଯାଉଛି । ବିଲର ଠାଏ ଠାଏ ଜାଗା ପାଳ ଗଦା ପାଲଟିଛି । ଦିନ କେଇଟା ପରେ ଚାଷୀ ଅମଳ ଧାନ କାଟି ଘରକୁ ନେଇଥାନ୍ତା । ହେଲେ କ୍ଷେତରେ ହିଁ ନଷ୍ଟ ହୋଇଯାଇଛି ବର୍ଷ ଯାକର ପରିଶ୍ରମ । କଟକ ନିଶ୍ଚିନ୍ତକୋଇଲି, ମାହାଙ୍ଗା ଏବଂ ଛୋଟୀନଟରା ଅଂଚଳର ଶହ ଶହ ହେକ୍ଟର ଚାଷ ଜମିରେ ପୋକ ମାଡିଯିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି । କେତେ ପୋକମରା ଔଷଧ ପକାଇଲେ ବି କିଛି କାମ କରୁନି ବୋଲି ଚାଷୀ କହିଛନ୍ତି ।

କୁଚିଣ୍ଡା.. ଅମଳ ସମୟରେ ପାଳଗଦା ପାଲଟିଥିବା ଏଦୃଶ୍ୟ ସମ୍ବଲପୁର କୁଚିଣ୍ଡା ପତ୍ରପାଲି ଅଂଚଳର । ସାରା ବିଲରେ ଚରିଯାଇଛି ଚକଡା । ହେକ୍ଟର ହେକ୍ଟର ଚାଷ ଜମିରେ ଫସଲକୁ ଖାଇ ଖୋଳ କରିଦେଇଛନ୍ତି । ଏବର୍ଷ ଭଲ ବର୍ଷା ହୋଇଥିଲା। କ୍ଷେତରେ ଛନଛନିଆ ଫସଲ ଦେଖି ଚାଷୀ ଭଲ ଦି ପଇସା ରୋଜଗାର ହେବ ବୋଲି ଆଶା ରଖିଥିଲା । ହେଲେ ଅମଳ ବେଳକୁ ଖାଲି ହୋଇଯାଇଛି ବିଲ । ଋଣ କେମିତି ଶୁଝିବ ଏବଂ ପରିବାର କେମିତି ଚଳିବ ଏବେ ସେହି ଚିନ୍ତା ଘାରିଛି ଚାଷୀଙ୍କୁ ।

ବଲାଙ୍ଗୀର.. ସେପଟେ ବଲାଙ୍ଗୀର ପୁଇଁତଳା ବ୍ଳକରେ ଚକଡା ପୋକର ଦୌରାତ୍ମ୍ୟରେ ହନ୍ତସନ୍ତ ଚାଷୀ । ଫସଲରେ ପେନ୍ଥା ପେନ୍ଥା ପୋକ । ଅମଳ ସମୟରେ ପାଚିଲା ଧାନରେ ଲାଗି ଖାଲି କରିଦେଇଛନ୍ତି ଫସଲ । ଯେତେ ଓଷ-ବିଷ କଲେ ବି କିଛି କାମ କରୁନି । ଆଖି ଆଗରେ ଉଜୁଡା ଫସଲକୁ ଦେଖି ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଇଏ ପୁଇଁତଳା ବ୍ଲକ୍ ବୁବେଳ ଗାଁର ଚାଷୀ ରମେଶ ଭୋଇ । ଏବର୍ଷ ଦଶରୁ ବାର ଏକର ଚାଷ କରିଥିଲେ। କିନ୍ତୁ ୫ ଏକରରୁ ଅଧିକ ଫସଲରେ ଲାଗିଗଲେ ରୋଗ ପୋକ । ଧାର କରଜ କରି ଦୁଇ ତିନିଥର ଔଷଧ ଦେଲେ। କିଛି ହେଲାନି । ଶେଷରେ ଋଣ ସୁଝିବା ଚିନ୍ତାରେ ନିଜେ ବିଷ ପିଇଦେଇଥିବା ଅଭିଯୋଗ କରିଛନ୍ତି ପରିବାର । ଆଜି ଲୋଇସିଂହା ବିଧାୟକ ମୁକେଶ ମହାଳିଙ୍ଗ ଏବଂ ଜିଲ୍ଲା କୃଷି ଅଧିକାରୀ ଟିମ୍ ସହ ରମେଶଙ୍କ ବିଲରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।

ଏବର୍ଷ ରାଜ୍ୟର ଅନେକ ଅଂଚଳରେ ଭଲ ବର୍ଷା ହୋଇନି । ତଥାପି କୁଆଡୁ କଣ ବ୍ୟବସ୍ଥା କରି ଚାଷୀ ନିଜ ବିଲରେ ଫସଲ ଫଳାଇଥିଲା । ହେଲେ ଅମଳ ସମୟରେ କାଳ ସାଜିଛି ଚକଡା ପୋକ । କୃଷି ବିଭାଗ ତୁରନ୍ତ କୌଣସି ପଦକ୍ଷେପ ନନେଲେ ଚାଷୀର ଭବିଷ୍ୟତ ଉଜୁଡିଯିବ ନିଶ୍ଚୟ ।

ସାଲେପୁରରୁ ମନୋଜ ଆଚାର୍ଯ୍ୟ, କୁଚିଣ୍ଡାରୁ ଦେବେନ୍ଦ୍ର ବେହେରା, ବଲାଙ୍ଗୀରରୁ ଘଟେଶ୍ୱର ମିଶ୍ରଙ୍କ ସହ ମନରଂଜନ ଯୋଶୀଙ୍କ ରିପୋର୍ଟ ଓଟିଭି..

  • Reported by:
  • MANARANJAN JOSHI , Ghateswar Mishra , Manoj Acharya