• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୀପାବଳିରେ ରହିବନି ଚମକ । କାରଣ ଶବ୍ଦ ଓ ବାୟୁ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଫୁଟାରେ ଲାଗିଛି ସୁପ୍ରିମ ରୋକ୍ । କେବଳ ଗ୍ରୀନ୍ କ୍ରାକର ବା ସବୁଜ ବାଣକୁ ମିଳିଛି ଅନୁମତି । ଦୀପାବଳି ପୂର୍ବରୁ ସୁପ୍ରିମକୋର୍ଟଙ୍କ ଏ ଛାଟ ପରେ ବ୍ୟବସାୟ ନେଇ ବାଣ ଦୋକାନୀ ଦ୍ୱନ୍ଦ୍ୱରେ ଥିବାବେଳେ ଅଧିକ ସଜାଗ ହୋଇଛି ରାଜ୍ୟ ପ୍ରଶାସନ । ଏବେ ପ୍ରଶ୍ନ, ଏ ଗ୍ରୀନ କ୍ରାକର କ’ଣ ? କିଭଳି ଏହାକୁ ଚିହ୍ନିବେ ? ପରିବେଶବିତ୍‌ଙ୍କ ମତରେ, ଗ୍ରୀନ କ୍ରାକରରେ ଅପେକ୍ଷାକୃତ ସ୍ୱଳ୍ପ ପ୍ରଦୂଷଣକାରୀ କଞ୍ଚାମାଲ ବ୍ୟବହାର ହୋଇଥାଏ ।

ପାରମ୍ପରିକ ବାଣରେ ଆର୍ସେନିକ, ଲିଥିୟମ ଓ ବେରିୟମ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ କେମିକାଲ ମିଶୁଥିବାବେଳେ ଗ୍ରୀନ କ୍ରାକରରେ ଏସବୁ ନ ଥାଏ । ଗ୍ରୀନ୍ କ୍ରାକରରେ ଆଲୁମିନିୟମ, ଲିଡ୍ ଓ କାର୍ବନ ଥାଏ, ଯାହାକି ଫୁଟିବା ବେଳେ କମ୍ ଅଙ୍ଗାରକାମ୍ଳ ନିର୍ଗମନ କରିଥାଏ । ପାରମ୍ପରିକ ବାଣର ଶବ୍ଦ ତୀବ୍ରତା ୧୬୦ ଡେସିବେଲ ପାଖାପାଖି ଥିବା ବେଳେ ଗ୍ରୀନ୍ କ୍ରାକରରେ ଏହା ୧୧୦ରୁ ୧୨୫ ଡେସିବେଲ ମଧ୍ୟରେ ରହିଥାଏ । ସମସ୍ତ ଗ୍ରୀନ୍ କ୍ରାକର ପ୍ୟାକେଟରେ CSIR ସାର୍ଟିଫାଏଡ୍ ଗ୍ରୀନ୍ ଲୋଗୋ ଥିବ, ଫଳରେ ଏହାକୁ ସହଜରେ ଚିହ୍ନଟ କରାଯାଇପାରିବ ।

ଏପଟେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି, ରାଜ୍ୟରେ ପ୍ରଦୂଷଣମୁକ୍ତ ଦୀପାବଳି ପାଳନ ଲାଗି ମାସେ ପୂର୍ବରୁ ସର୍ବସାଧାରଣ ବିଜ୍ଞପ୍ତି ଜାରି କରାଯାଇଛି । ୧୨୫ ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଉପରେ ଲଗାଯାଇଛି କଟକଣା । ରାତି ୧୦ଟାରୁ ସକାଳ ୬ଟା ଯାଏଁ ବାଣ ଫୁଟା ଯାଇପାରିବ ନାହିଁ । ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, କୋର୍ଟ ଓ ଧାର୍ମିକସ୍ଥଳର ୧୦୦ ମିଟର ପରିସୀମାରେ ଆପତ୍ତିଜନକ ବାଣ ଫୁଟାଇବାକୁ ବାରଣ କରାଯାଇଛି ।

ତେବେ ସୁପ୍ରିମକୋର୍ଟଙ୍କ ରାୟ ପରେ ପୁଣିଥରେ ସାନି ନିର୍ଦ୍ଦେଶ ଦିଆଯିବ । ତେବେ ପରିବେଶବିତ୍‌ଙ୍କ ମତରେ, ପ୍ରତିବର୍ଷ ସବୁଜ ବାଣ ଫୁଟାଇବା ନେଇ ନିର୍ଦ୍ଦେଶନାମା ଜାରି ହେଉଛି । ହେଲେ କେହି ବି ନିୟମ ମାନୁନାହାନ୍ତି । ପରିବେଶକୁ ସୁରକ୍ଷିତ ରଖିବାକୁ ହେଲେ, ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସରକାର ।

ସେପଟେ ସୁପ୍ରିମକୋର୍ଟଙ୍କ ବାଣ କଟକଣା ରାୟ ପରେ ଚିନ୍ତାରେ ଗ୍ରାହକ ଓ ବାଣ ବ୍ୟବସାୟୀ । ଦୀପାବଳି ପାଇଁ କୋଟି କୋଟି ଟଙ୍କାର ବାଣ କିଣି ଷ୍ଟଲ ବି ପକାଇ ସାରିଲେଣି । ଏମିତିକି ବେରିୟମ ସଲ୍ଟ ମିଶା ବାଣ କ’ଣ ତାହା ଅନେକ ବ୍ୟବସାୟୀ ଜାଣିନାହାନ୍ତି । ଏଭଳି ସ୍ଥିତିରେ କ’ଣ ହେବ, ସେମାନଙ୍କ ବ୍ୟବସାୟ, ତାକୁ ନେଇ ଆଶଙ୍କାରେ ।

  • Reported by:
  • PRAVAT BISOI , BALRAM LENKA , KAPILENDRA PRADHAN , CHANDAN PAIKRAY , Manoj Muni