• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଖରା ପାଇଁ ଆଗୁଆ ଘୋଷଣା ହେଲା ଗ୍ରୀଷ୍ମ ଛୁଟି । ଆସନ୍ତାକାଲିଠାରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ସ୍କୁଲକୁ ଛୁଟି କରାଯାଇଛି । ଛୁଟି ଘୋଷଣା ହେଉ ହେଉ କିନ୍ତୁ ପିଲା ଓ ଅଭିଭାବଙ୍କ ମନରେ ପ୍ରଶ୍ନ, ନିର୍ଦ୍ଧାରିତ ସମୟରେ କେମିତି ଶେଷ ହେବ କୋର୍ସ ? ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଖରାଛୁଟି ଲାଗି ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ହୋମ୍ ୱାର୍କ ।

ଶେଷରେ ୧୫ ଦିନ ଆଗରୁ ହେଲା ଖରା ଛୁଟି । ବଢୁଥିବା ତାତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲେ ସରକାର । ପ୍ରଥମେ ଚଳିତ ମାସ ୧୨ ରୁ ୧୬ ତାରିଖ, ପରେ ୧୯ ଓ ୨୦ ତାରିଖରେ ଖରା ପାଇଁ ସ୍କୁଲ୍ ବନ୍ଦ କରାଯାଇଥିଲା । କିନ୍ତୁ ପାଗରେ କୌଣସି ପରିବର୍ତ୍ତନ ନହେବାରୁ ଆସନ୍ତାକାଲି ଠାରୁ ରାଜ୍ୟର ସବୁ ସରକାରୀ ଓ ବେସରକାରୀ ସ୍କୁଲଗୁଡିକୁ ଛୁଟି ଘୋଷଣା କରାଯାଇଛି ।

ତେବେ ଆସନ୍ତାକାଲି ହେବାକୁ ଥିବା ରାଜ୍ୟବ୍ୟାପୀ ଅଭିଭାବକ-ଶିକ୍ଷକ ବୈଠକ ସକାଳ ସାଢେ ୬ରୁ ସାଢେ ୧୦ ମଧ୍ୟରେ ଅନୁଷ୍ଠିତ ହେବ । ଯେଉଁଠି ପିଲାଙ୍କ ଗ୍ରୀଷ୍ମ ଅବକାଶ ହୋମୱାର୍କ, ସାଇବର ସିକ୍ୟୁରିଟି ବିଷୟରେ ଅଭିଭାବକଙ୍କ ଅବଗତ କରାଯିବ । ପିଲା ଛୁଟିରେ ରହିଲେ ବି ଯେପରି ପଢାଠାରୁ ଦୂରେଇ ନରୁହନ୍ତି ସେଥିଲାଗି ବିଭାଗ ଏଭଳି ନିଷ୍ପତ୍ତି ନେଇଛି । ଏହାସହ ପିଲାଙ୍କ ଡାଉଟ କ୍ଲିୟର ପାଇଁ ହେଲ୍ପ ଲାଇନ୍ ନମ୍ବର ମଧ୍ୟ ଜାରି କରିବ ବିଭାଗ ।

ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ ମେ’ ୪ରୁ ଜୁନ୍ ୧୭ ଯାଏ ଗ୍ରୀଷ୍ମ ଛୁଟି ଥିଲା । କିନ୍ତୁ ଖରା ହେବାରୁ ୧୫ ଦିନ ପୂର୍ବରୁ ଗ୍ରୀଷ୍ମ ଛୁଟି କରାଯାଇଛି । ଅର୍ଥାତ ଦୁଇ ମାସ ଯାଏ ପିଲାଏ ସ୍କୁଲ୍ ଆସିବେନି । କିନ୍ତୁ ଏହାଦ୍ୱାରା ପଢା ପ୍ରଭାବିତ ହେବା ସହ ନିର୍ଦ୍ଧାରିତ ସମୟରେ କୋର୍ସ ସରିବା ନେଇ ପ୍ରଶ୍ନ ଉଠିଛି । ବିଶେଷ କରି ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଉନ୍ନୀତ ହୋଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଶଙ୍କା ।

ଅନ୍ ଲାଇନ୍ ଯୋଗେ ପାଠ ପଢା ହେବା ସହ ପିଲାଙ୍କ ସହ ଶିକ୍ଷକମାନେ ଯୋଡ଼ି ହୋଇ ରହିବେ ବୋଲି ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ତେବେ ଉପାନ୍ତ ଅଞ୍ଚଳରେ ଅନଲାଇନ୍ ଯୋଗେ ପିଲାଙ୍କୁ ପଢାଇବା ବଡ଼ ଚାଲେଞ୍ଜ ହେବ । ଅଭିଭାବକ ସଂଘ ଦାବି କରିଛି ସ୍କୁଲ୍ ଖୋଲିବା ପରେ ଏକ୍ସଟ୍ରା କ୍ଲାସ୍ କରି କୋର୍ସ ସାରିବାକୁ ପଦକ୍ଷେପ ନିଆଯାଉ ।

ପିଲାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଆଗୁଆ ଖରା ଛୁଟି ଘୋଷଣା ହେଲା । ତେବେ କୋର୍ସ କିପରି ଶେଷ ହେବ ସେଦିଗରେ କି ପଦକ୍ଷେପ ନେଉଛି ବିଭାଗ ତାଉପରେ ନଜର ।

ଭୁବନେଶ୍ୱରରୁ କ୍ୟାମେରାମ୍ୟାନ୍ ଅଶୋକ ଓ ସନ୍ତୋଷ ତରାଇଙ୍କ ସହ ଜଗଦୀଶ ଦାସଙ୍କ ରିପୋର୍ଟ, ଓଟିଭି

  • Reported by:
  • JAGDISH DAS