• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରଶାସନର ପ୍ରତିଶ୍ରୁତି ପୂରଣରେ ବିଳମ୍ବକୁ ନେଇ ତେଜୁଛି ବଡ଼ଦାଣ୍ଡରୁ ଉଚ୍ଛେଦ ବ୍ୟବସାୟୀଙ୍କ ଅସନ୍ତୋଷ । କାଲି ବଡ଼ଦାଣ୍ଡରେ ଧାରଣା ପରେ ଆଜି ଶହ ଶହ ସଂଖ୍ୟାରେ ଉଠାଦୋକାନୀ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖକୁ ଯାଇ ବିକ୍ଷୋଭ କରିବା ସହ ଦାବିପତ୍ର ଦେଇଛନ୍ତି । ଅଭିଯୋଗ କରିଛନ୍ତି, ଦୁଇମାସରେ ଥଇଥାନର ପ୍ରତିଶ୍ରୁତି ଦିଆଯାଇଥିଲେ ବି ଏପର୍ଯ୍ୟନ୍ତ ଭେଣ୍ଡିଂ ଜୋନ୍ କାମ ଆରମ୍ଭ ହିଁ ହୋଇନି । ତେବେ ପ୍ରଶାସନ କହିଛି, କାମ ଚାଲିଛି । ତୁରନ୍ତ ଥଇଥାନ କରାଯିବ।

ପ୍ରତିଶ୍ରୁତି ପୂରଣରେ ବିଳମ୍ବ ଅଭିଯୋଗ । ରାସ୍ତାକୁ ଓହ୍ଲାଇଲେ ବଡ଼ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀ । ଗତକାଲିର ଧାରଣା ପରେ ଆଜି ଶୋଭାଯାତ୍ରା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ । ତେଜୁଛି ଅସନ୍ତୋଷ, ଆନ୍ଦୋଳନ । ଉଚ୍ଛେଦ ଉଠାଦୋକାନୀଙ୍କ ଅଭିଯୋଗ, ନୂଆବର୍ଷରୁ ପୁରୀରେ ଲାଗୁ ହେବାକୁ ଥିବା ନୂଆ ବ୍ୟବସ୍ଥା ଦାୟରେ ଡିସେମ୍ବର ପ୍ରଥମ ସପ୍ତାହରୁ ସେମାନଙ୍କୁ ବଡ଼଼ଦାଣ୍ଡରୁ ଉଠାଇ ଦିଆଗଲା । ପ୍ରଶାସନ ପକ୍ଷରୁ ସେତେବେଳେ ପ୍ରତିଶ୍ରୁତି ଦିଆଯାଇଥିଲା ।

ବଡ଼ଦାଣ୍ଡରୁ ଉଚ୍ଛେଦ ସବୁ ଦୋକାନୀଙ୍କୁ ଦୁଇ ମାସ ଭିତରେ ପିଲିଗ୍ରିମ୍ ସେଣ୍ଟରଠାରୁ ଶ୍ରୀସେତୁ ପର୍ଯ୍ୟନ୍ତ ଥଇଥାନ କରାଯିବ । ହେଲେ ଦୁଇ ମାସ କଣ୍ଟ ପୂରିବାକୁ ଆଉ ମାତ୍ର କିଛି ଦିନ ଥିଲା ବେଳେ, ଇଏ ଆଜିର ଚିତ୍ର। ନବନିର୍ମିତ ଶ୍ରୀ ସେତୁ ତଳେ ନା କିଓସ୍କ ନା ଭେଣ୍ଡିଂ ଜୋନ, କିଛି କାମ ଆରମ୍ଭ ହିଁ ହୋଇନି । ସେଇଥିପାଇଁ ପ୍ରଶାସନର ପ୍ରତିଶ୍ରୁତି ପୂରଣ ଲାଗି ଆନ୍ତରିକତାରେ ସନ୍ଦେହ ପ୍ରକାଶ କରିବା ସହ ପରିବାର ପ୍ରତିପୋଷଣ ଚିନ୍ତାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସିଂହଦ୍ବାରରୁ ବଡ଼ଡାକ୍ତରଖାନା ଛକ ଯାଏଁ ଉଚ୍ଛେଦ ହୋଇଥିବା ବିଭିନ୍ନ ବ୍ୟବସାୟୀ ସଂଘ ।

ଉଚ୍ଛେଦ ବ୍ୟବସାୟୀଙ୍କୁ ପ୍ରଶାସନ ପକ୍ଷରୁ ମାସକୁ ୧୫ ହଜାର କରି ୩୦ ହଜାର ଟଙ୍କା ଦିଆଯାଇଛି । ଜିନିଷ ସ୍ଥାନାନ୍ତର ପାଇଁ ୫ ହଜାର ଟଙ୍କା ଏବଂ ଏହା ସହ କିଓସ୍କ ପାଇଁ ୫୦ ହଜାର ଟଙ୍କା ଦିଆଯିବାର ବ୍ୟବସ୍ଥା ବି ହୋଇଛି । ତେବେ ଉଠା ଦୋକାନୀଙ୍କ ଅଭିଯୋଗ ଏବେ ଯାଏଁ ଗ୍ରାଉଣ୍ଡରେ ଥଇଥାନ ବ୍ୟବସ୍ଥା ଆରମ୍ଭ ହୋଇ ନଥିବାରୁ ଆଗକୁ ସେମାନଙ୍କ ପରିବାର ଚଳିବେ କେମିତି ?

ତେଣୁ ଯେବେ ଯାଏଁ ବ୍ୟବସ୍ଥା ନ ହୋଇଛି, ଅନ୍ତତଃ ସେବେଯାଏଁ ସେମାନଙ୍କୁ ବଡ଼ଦାଣ୍ଡରେ ବ୍ୟବସାୟ କରିବାର ସୁଯୋଗ ଦିଆଯାଉ । ଏହି ଦାବିରେ ଆଜି ନ୍ୟାସନାଲ୍ ଭେଣ୍ଡର୍ସ ଡେ’ ଅବସରରେ ବିକ୍ଷୋଭ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ଉଠା ଦୋକାନୀ । ତେବେ ଜିଲ୍ଲାପାଳ କହିଛନ୍ତି, କାମ ଚାଲିଛି । ଉଚ୍ଛେଦ ଉଠାଦୋକାନୀଙ୍କୁ ଅତିଶୀଘ୍ର ଥଇଥାନ କରାଯିବ । କାଲି ବ୍ୟବସାୟୀଙ୍କ ସହ ଆନ୍ଦୋଳନରେ ବସିଥିବା ପୁରୀ ବିଧାୟକ ବି କହିଛନ୍ତି ୭ ଦିନ ଭିତରେ ବ୍ୟବସାୟୀଙ୍କୁ ଥଇଥାନର ପ୍ରତିଶ୍ରୁତି ଦିଆଯାଇଛି ।

  • Reported by:
  • MADHUSUDAN MISHRA