• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରୀମନ୍ଦିର ଆୟଠୁ ଢେର ଗୁଣରେ ବଳି ଯାଉଛି ବ୍ୟୟ । ଗତ ନବ କଳେବର ବର୍ଷ ଠାରୁ ଆରମ୍ଭ ହୋଇଥିବା ଏ ପ୍ରକ୍ରିୟା କୋଭିଡ୍ ସମୟରେ ବି ଚାଲିଥିଲା, ଏବେ ବି ଚାଲିଛି । ଏମିତିକି ଆୟ ତୁଳନାରେ ବ୍ୟୟ ଦଶଗୁଣା ଛୁଇଁ ଯାଉଥିବା ଦେଖି ଆପତ୍ତି ଉଠାଇଲେଣି ବୁଦ୍ଧିଜୀବୀ ଓ ପୂର୍ବତନ ପରିଚାଳନା କମିଟି ସଦସ୍ୟ । କେହି କହି ଦୁର୍ନୀତିର ଗନ୍ଧ ବି ବାରିଲେଣି । ବଢ଼ିଚାଲିଥିବା ସେବାୟତଙ୍କ ପ୍ରାପ୍ୟ ବି ବୋଝ ପକାଉଚି । ତେବେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି-ଠାକୁରଙ୍କ ଯାନିଯାତ୍ରା ଖର୍ଚ୍ଚ ବଢ଼ି ଯାଇଛି ହେଲେ ଆୟ-ବ୍ୟୟ ସମାନ୍ୟ ଉଲମ-ବିଲମ୍ ହେଉଛି... ।

ଭାତ ହାଣ୍ଡିରୁ ଗୋଟେ ଚିପିଲା ଭଳି-ଗତ ରଥଯାତ୍ରାବେଳେ ରଥଖଳା ପାଉଣାକୁ ଯଦି ବିଚାରକୁ ନେବା ତାହାଲେ ଏ ବାବଦକୁ ଶ୍ରୀମନ୍ଦିର ପ୍ରଶାସନର ବ୍ୟୟ ଅଟ୍ଟକଳ ଥିଲା ମାତ୍ର ୧୫ଲକ୍ଷ ଟଙ୍କା । ହେଲେ ଖର୍ଚ୍ଚ କେତେ ହୋଇଛି ଜାଣନ୍ତି- ୧କୋଟି ୨୧ଲକ୍ଷ ୮୧ ହଜାର ଟଙ୍କା, ଯାହାକି ମୂଳ ଆକଳନଠୁ ପାଖାପାଖି ୯ଗୁଣା ଅଧିକା । ସେମିତି ଚନ୍ଦନ ଯାତ୍ରାରେ ୫ଲକ୍ଷ ୫୦ ହଜାର ବ୍ୟୟ ଅଟ୍ଟକଳ ହୋଇଥିବାବେଳେ ଖର୍ଚ୍ଚ କିନ୍ତୁ ହୋଇଛି ୧୧ଲକ୍ଷ ୨୮ ହଜାର ୮୫୦ ଟଙ୍କା ,ଯାହାକି ମୂଳ ଅଟକଳଠୁ ୫ ଲକ୍ଷ ୭୮ ହଜାର ଅଧିକ ।

ସେମିତି ସେବକଙ୍କ ଧ୍ୱଜା ପାଉଣା ବାବଦକୁ ୮ଲକ୍ଷ ୭୫ ହଜାର ବ୍ୟୟ ଅଟକଳ ହୋଇଥିଲା, ହେଲେ ସେଥିରେ ଖର୍ଚ୍ଚ ହୋଇଛି ୧୩ ଲକ୍ଷ ୮୩ ହଜାରରୁ ଅଧିକ ଟଙ୍କା । ତାଛଡ଼ା ଚନ୍ଦନ ଯାତ୍ରାବେଳେ ସେବକଙ୍କ ପ୍ରାପ୍ୟ ଅଟକଳ ଥିଲା ସାଢ଼େ ୫ଲକ୍ଷ, କିନ୍ତୁ ଖର୍ଚ୍ଚ ହୋଇଛି ୧୧ଲକ୍ଷ ୨୮ ହଜାର । ସେବକଙ୍କ ସ୍ୱାସ୍ଥ୍ୟବୀମା ବାବଦକୁ ବି ୭୬ଲକ୍ଷ ୭୫ ହଜାର ଟଙ୍କାର ବ୍ୟୟ ଅଟକଳ ଥିଲା, କିନ୍ତୁ ଖର୍ଚ୍ଚ ହୋଇଛି ୩ କୋଟି ୧୦ଲକ୍ଷ ୯୨ ହଜାର ଯାହାକି ମୂଳ ଆକଳନଠୁ ଏକାଥରେ ୨କୋଟି ୩୨ଲକ୍ଷ ଅଧିକ ।

ଠାକୁରଙ୍କ ନୀତିକାନ୍ତିରେ ବ୍ୟବହୃତ ସାମଗ୍ରୀ ହେଉ କି ବିମାନବଡ଼ୁ ପାଉଣା, ସବୁଥିରେ ହୋଇଛି ଆକାଶଛୁଆଁ ଖର୍ଚ୍ଚ । ଯଦି କେବଳ ରଥଯାତ୍ରା ହିସାବକୁ ନିଆଯାଏ, ତାହାଲେ ଏପ୍ରିଲରୁ ଜୁନ୍ ଭିତରେ ୧କୋଟି ୮୦ ଲକ୍ଷ ବ୍ୟୟ ଅଟକଳ ସ୍ଥାନରେ ଖର୍ଚ୍ଚ ହୋଇଛି ପ୍ରାୟ ୬ କୋଟି ଟଙ୍କା ,ଯାହାକୁ ନେଇ ପୂର୍ବତନ ପରିଚାଳନା କମିଟି ସଦସ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଥିବାବେଳେ ଦୁର୍ନୀତିର ଗନ୍ଧ ବାରିଛନ୍ତି ବୁଦ୍ଧିଜୀବୀ ।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍‌ ମନା, କଡ଼ା ନିର୍ଦ୍ଦେଶ ଲାଗୁ

ଶ୍ରୀମନ୍ଦିର ଆୟ-ବ୍ୟୟ ହିସାବରେ ଏଭଳି ଆକାଶ-ପାତାଳ ଫରକ କାହିଁକି ? ଅବାଟରେ ଖର୍ଚ୍ଚ ହୋଇଯାଉନି ତ ଭକ୍ତଙ୍କ ଦାନ ଅର୍ଥ ? ମହାପ୍ରଭୁଙ୍କ ନାଁରେ ଏଭଳି ହାତଖୋଲା ଖର୍ଚ୍ଚ ଶ୍ରୀମନ୍ଦିର ରାଜକୋଷକୁ ଦେବାଳିଆ କରି ଦେବନି ତ ? ଯେହେତୁ ୨୦୧୫ ମସିହା ନବକେଳବର ବର୍ଷଠାରୁ ସେବକଙ୍କ ପାଉଣା ଓ ପୁରସ୍କାର ରାଶି ବୃଦ୍ଧି ଘଟିଛି, ସେବେଠୁ ଶ୍ରୀମନ୍ଦିରର ବ୍ୟୟ ଅଟକଳ ବି ବଢ଼ି ବଢ଼ି ଚାଲିଛି ।

ହେଲେ ଆୟ ତୁଳନାରେ ଅତିମାତ୍ରାରେ ବ୍ୟୟକୁ ଦେଖି ଉଠିଲାଣି ଆପତ୍ତି । ଏଭଳି ଖୋଲା ଫାଙ୍କିଆ ଖର୍ଚ୍ଚ ଚାଲୁ ରହିଲେ, ଠାକୁରଙ୍କ ରାଜକୋଷ ଅଳ୍ପଦିନରେ ଖାଲି ହୋଇଯିବାର ଆଶଙ୍କାକୁ ବି ଏଡ଼ାଇ ଦିଆଯାଇ ନପାରେ । ଏଭଳି ସ୍ଥିତିରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କିନ୍ତୁ ଏଭଳି ବ୍ୟୟକୁ ଅତି ହାଲ୍କା ଭାବେ ନେଇଛନ୍ତି- ସେ କହିଛନ୍ତି ଆୟବ୍ୟୟ ହିସାବ ସେମିତି କିଛି ଗଡ଼ବଡ ହେଉନି । ଠାକୁରଙ୍କ ବିଭିନ୍ନ ଯାନିଯାତ୍ରାରେ ଅଧିକ ଖର୍ଚ୍ଚ ପଡୁଛି । ସେହିପରି ପରିଚାଳନା କମିଟି ସଦସ୍ୟ କହିଛନ୍ତି-ପ୍ରାରମ୍ଭରେ ଯାହା ବ୍ୟୟ ଆକଳନ ହୁଏ, ତାହା ପରେ ଅଧିକ ହେଲେ ତାକୁ ସପ୍ଲିମେଣ୍ଟାରି ବଜେଟରେ ପାସ୍ କରି ଦିଆଯାଏ । ଏଥିରେ କୌଣସି ଅସୁବିଧା ନାହିଁ... ।

ମହାପ୍ରଭୁ ଜଗନ୍ନାଥଙ୍କ ଯାନିଯାତ୍ରା ଖର୍ଚ୍ଚ ହେଉ କି ସେବାୟତ ପାଉଣା, ସବୁ କିଛି ବହନ କରେ ଶ୍ରୀମନ୍ଦିର ପ୍ରଶାସନ । ଯାହା ଉଭୟ ଭକ୍ତଙ୍କ ଦାନ, ରାଜସ୍ୱ ଆୟ ଓ ସରକାରୀ ଅନୁଦାନରୁ ଭରଣା ହୁଏ । ତେବେ ଠାକୁରଙ୍କ ରାଜକୋଷରୁ ଅର୍ଥ ଦେଖିଚାହିଁ ବ୍ୟୟ କରିବାକୁ ଭକ୍ତ ମହଲରେ ଦାବି ହେଉଛି ।