• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅତିଥି ହେବେ ବହୁ ମାନ୍ୟଗଣ୍ୟ । ୮୫୭ ମନ୍ଦିରକୁ ବି ହେବ ସାଦର ନିମନ୍ତ୍ରଣ । ଜାନୁଆରୀ ୧୭, ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ । ବିଶ୍ୱ ଦେଖିବ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଚତୁଃପାର୍ଶ୍ୱର ଆଖିଝଲସା ସୌନ୍ଦର୍ଯ୍ୟ । ଭବ୍ୟ ଉତ୍ସବ ପାଇଁ ଶ୍ରୀମନ୍ଦିର ପ୍ରଶାସନ ବି ଜୋରସରରେ ଲାଗିଛି । କେଉଁ ବିଶିଷ୍ଟ ବ୍ୟକ୍ତି ଅତିଥି ହେବେ, କେଉଁ ସବୁ ମନ୍ଦିରକୁ ନିମନ୍ତ୍ରଣପତ୍ର ପଠାଯିବ ସେ ତାଲିକା ସରିଲାଣି । ସୂଚନା ଅନୁସାରେ-ରାଜ୍ୟ ଓ ରାଜ୍ୟ ବାହାରୁ ୭୪୬ଟି ଜଗନ୍ନାଥ ମନ୍ଦିର ଓ ୧୧୧ଟି ଅନ୍ୟ ପ୍ରମୁଖ ଧାର୍ମିକସ୍ଥଳୀଙ୍କୁ ମିଶାଇ ମୋଟ ୮୫୭ ଦେବସ୍ଥାନକୁ ନିମନ୍ତ୍ରଣ ପତ୍ର ପଠାଯିବ । ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିବା ଇଏ ସେହି ନିମନ୍ତ୍ରଣପତ୍ର ।

ଯେଉଁଥିରେ ଆମ ରାଜ୍ୟର ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୬୮, ଗଂଜାମରୁ ୬୦, କଟକ ଓ ଖୋର୍ଦ୍ଧାରୁ ୫୮ଟି ଲେଖାଏଁ ଜଗନ୍ନାଥ ମନ୍ଦିରକୁ ବି ନିମନ୍ତ୍ରଣପତ୍ର ପଠାଯିବ । ବଡ଼ ଅତିଥିମାନଙ୍କ ମଧ୍ୟରେ ୪ ଧାମର ଶଙ୍କରାଚାର୍ଯ୍ୟ, ପ୍ରମୁଖ ଧର୍ମପୀଠମାନଙ୍କରୁ ସାଧୁସନ୍ଥଙ୍କ ସହ ନେପାଳ ରାଜାଙ୍କୁ ବି ଡକାଯିବ । ଏଥିପାଇଁ ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ଟିମ୍ ଭାଗ ଭାଗ ହୋଇ ବାହାରିବେ । ସେମାନେ ଅତିଥିଙ୍କୁ ଏକ ଇନଭିଟେସ୍ କିଟ୍ ପ୍ରଦାନ କରିବେ । ଯେଉଁଥିରେ ଶ୍ରୀମନ୍ଦିର ପ୍ରଶାସନର ନିମନ୍ତ୍ରଣପତ୍ର ସହ, ମହାପ୍ରଭୁଙ୍କ ଓଲାଗି ଧ୍ୱଜା, ମହାପ୍ରସାଦ ଓ ପରିକ୍ରମା ପ୍ରକଳ୍ପର ବିବରଣୀ ପୁସ୍ତିକା ସଜେଇ ରଖାଯିବ ।

ଏପଟେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବି ହାତକୁ ନେଇଛନ୍ତି ଉଭୟ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ- ବାହାରୁ ଭକ୍ତମାନେ ଆସି ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିବା ପରେ ସେଠି ଏକ ଅଭ୍ୟର୍ଥନା କକ୍ଷ ସହ ପ୍ରଦର୍ଶନୀ ମଣ୍ଡପ ନିର୍ମାଣ ହେବ । ଯେଉଁଠି ଶ୍ରୀମନ୍ଦିରର ସ୍ୱର୍ଣ୍ଣିମ ଇତିହାସ, ମହାପ୍ରଭୁଙ୍କ ଲୀଳା, ବେଶ ଓ ଯାନିଯାତର ପ୍ରତିକୃତି ପ୍ରଦର୍ଶନ କରାଯିବ। ଏଥିସହ ମ୍ୟୁନିସିପାଲିଟି ମାର୍କେଟରେ ଏକ ଲେଜର ସୋ’ ଚାଲିବ, ସେଥିରେ ଗଜପତି ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନର ଗାଥା ପ୍ରଦର୍ଶନ ହେବ ।

ତା’ ସହ ଉତ୍ସବ ସମୟରେ ସମଗ୍ର ପୁରୀ ସହରକୁ ଆଲୋକୀକରଣ କରିଯିବ ଓ ଅନ୍ୟ ସମସ୍ତ ଛୋଟବଡ଼ ମଠ ମନ୍ଦିରକୁ ସଜ୍ଜିତ କରାଯିବ । ପୁରୀ ସହରବାସୀଙ୍କୁ ନିଜ ଘରେ ଦୀପ ଜାଳି ଅତିଥିଙ୍କୁ ସ୍ୱାଗତ ପାଇଁ ବି ନିବେଦନ କରିଛି ଜିଲ୍ଲା ପ୍ରଶାସନ । ତେଣେ ଲୋକାର୍ପଣ ଉତ୍ସବ ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ, ସେମାନଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସହ ଠାକୁରଙ୍କ ନୀତିକାନ୍ତି ଉପରେ ଜୋର ଦେଇଛନ୍ତି ଭକ୍ତ ଓ ସେବାୟତ । ଏଣେ ପରିକ୍ରମା ପ୍ରକଳ୍ପର ଲୋକର୍ପଣ ଉତ୍ସବ ଯେତିକି ପାଖୋଉଛି-ଯଜ୍ଞସ୍ଥଳ, ଦେବ ମଣ୍ଡପ ଓ ମଞ୍ଚସ୍ଥଳ ପାଇଁ ଗ୍ରାଉଣ୍ଡ ଜିରୋରେ ପ୍ରସ୍ତୁତି ମଧ୍ୟ ସେତିକି ତୀବ୍ର ହୋଇଛି ।

  • Reported by:
  • PRADEEP MAHANTY