/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704984997.jpg)
Srimandir Heritage Corridor
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବର ଅୟମାରମ୍ଭକୁ, ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଆସନ୍ତାକାଲି ସନ୍ଧ୍ୟା ଠାରୁ ୬ ଦିନ ପାଇଁ ଉତ୍ସବ ମୁଖର ହୋଇଉଠିବ ଶ୍ରୀକ୍ଷେତ୍ର। ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ, ସବିଶେଷ କାର୍ଯ୍ୟସୂଚୀ ସଂପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ୧୨ ତାରିଖ ଅର୍ଥାତ୍ ଆସନ୍ତାକାଲି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଶ୍ରୀନଅର ଠାରେ ଗଜପତି ମହାରାଜା ଆଚାର୍ଯ୍ୟବରଣ କରିବେ । ଗୁଆଟେକା କାର୍ଯ୍ୟ ପରେ ଅଙ୍କୁରରୋପଣ ଅନୁଷ୍ଠିତ ହେବ । ୧୩ ତାରିଖ ଶନିବାର ଦିନ ୧୧ଟାରୁ ରାତି ୮ଟା ଯାଏଁ ଅଙ୍କୁରପୂଜନ ହେବ। ୧୪ ତାରିଖରେ ଅଙ୍କୁରପୂଜନ, ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜାସ୍ଥାପନ ଓ ତୋରଣସ୍ଥାପନ ହେବ ।
୧୫ରେ ସକାଳ ସାଢ଼େ ୭ଟାରେ ଅଖଣ୍ଡଦୀପ ସ୍ଥାପନ, ସନ୍ଧ୍ୟା ୬ଟା ଭିତରେ ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦପାରାୟଣ ଏବଂ ଅନ୍ତପ୍ରଦକ୍ଷିଥ ପଥରେ ନାମ ସଂକୀର୍ତ୍ତନ, ହବନ, ଆରତୀ ଓ ପୁଷ୍ପାଞ୍ଜଳି ଆଦି ହେବ। ୧୬ରେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ଶାଳା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ପୁଷ୍ପାଞ୍ଜଳି, ଆରତୀ, ହବନ ଓ ସଂକୀର୍ତ୍ତନ ଆଦି ହେବ । ଶେଷରେ ୧୭ ତାରିଖ ବୁଧବାର ସକାଳ ୭ଟାରୁ ଆରମ୍ଭ ହୋଇଯିବ ପୂଜା ଓ ପ୍ରତିଷ୍ଠା କାର୍ଯ୍ୟ । ଅପରାହ୍ଣ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ଶୁଭ ମୁହୂର୍ତ୍ତରେ ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ଦିନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଯଜ୍ଞ ପୂର୍ଣ୍ଣାହୂତି ଦେବେ। ନାମ ସଂକୀର୍ତ୍ତନ ଓ ଶେଭାଯାତ୍ରା ପରେ, ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଶେଷରେ ଅପରାହ୍ଣ ୩ଟା ପରେ ପରିକ୍ରମା ମାର୍ଗକୁ ଯାଇପାରିବେ ସାଧାରଣ ଶ୍ରଦ୍ଧାଳୁ ।
ସୂଚନା ଅନୁସାରେ, ଆଜି ରାତି ସୁଦ୍ଧା ସମ୍ପୂର୍ଣ୍ଣ ହୋଇଯିବ ୭୫ ମିଟର ବଳୟ ଭିତରେ ଥିବା ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟ। ଆସନ୍ତାକାଲି ସକାଳୁ ନିର୍ମାଣକାରୀ ସଂସ୍ଥା ଓବିସିସି ଏହା ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବ। ତେବେ କାମ ଏବେବି ଅନେକ ସ୍ଥାନରେ ଅଧପନ୍ତରିଆ । କେଉଁଠି ରଙ୍ଗବୋଳା ଚାଲିଛି, କେଉଁଠି ଚାରା ରୋପଣ, ତ ଆଉ କେଉଁଠି ଯଜ୍ଞ ମଣ୍ଡପରେ ଚାଳ ଛାଉଣୀ ପଡ଼ୁଛି । ଅନେକ ସ୍ଥାନରେ ପଡ଼ିରହିଛି ପଥରଖଣ୍ଡ। ଦିନରାତି କାମ ଚାଲିଥିଲେ ବି, ସମ୍ପୂର୍ଣ୍ଣ ହେବାକୁ ଆହରୁ ବେଶ୍ କିଛି ବାକି ଅଛି । କେତେକ ମଠକୁ ବାହାରୁ ଚକାଚକ୍ କରାଯାଇଥିଲେ ବି, ଭିତରର ସ୍ଥିତି ଅବହେଳିତ। ଏମାର, ଦକ୍ଷିଣ ପାର୍ଶ୍ୱ ଓ ପଞ୍ଜବୀ ମଠରେ ବାହାର କାର୍ଯ୍ୟ ବି ସରିନି । ଚାରିପଟେ ବିଦ୍ୟୁତ ଖୁଣ୍ଟ ପଡ଼ିଥିବା ବେଳେ, ଆଲୋକୀକରଣ ପାଇଁ ପ୍ରସ୍ତୁତି ଚାଲିଛି ।
ସୂଚନା ଯୋଗ୍ୟ ଯେ, ପରିକ୍ରମା ପ୍ରକଳ୍ପରେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ପାଇଁ ସିଂହଦ୍ୱାରକୁ ଛାଡ଼ି ବାକି ୩ଟି ଦ୍ୱାରରେ ଶୌଚାଳୟ, ସେଲଟର ପାଭିଲିୟନ ଏବଂ ଜୋତା ଓ ମୋବାଇଲ ଷ୍ଟାଣ୍ଡ କରାଯାଇଛି । ଗଡ଼ନ୍ତି ଛକ ନିକଟରେ ନୀଳଚକ୍ରରେ ପତିତପାବନ ବାନା ବନ୍ଧା ଦୃଶ୍ୟ ଦେଖିବା ପାଇଁ ଗ୍ୟାଲେିର ସୁବିଧା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)